ପାଗ ଭିଡ଼ିଲେଣି ଚାଷୀ, ଖୋ‌ଜିଲେ ମିଳୁନି ‘ସାରଳା’, ‘ଧଳା ସ୍ବର୍ଣ୍ଣ’

ଗୋଦାମରୁ ଫେରି‌ଲେ ବିହନ ଉତ୍ପାଦନକାରୀ ଚାଷୀ

କେନ୍ଦ୍ରାପଡ଼ା: ଜୁନ୍ ସରିବାକୁ ବସିଲାଣି। କିନ୍ତୁ ଚାଷୀଙ୍କୁ ଏଯାଏ ମିଳିଲାନି ମନ ପସନ୍ଦର ବିହନ । ଯେଉଁ ବିହନ ଗୋଦାମରେ ମହଜୁଦ୍ ଅଛି, ତାକୁ ନେବାକୁ ମଂଗୁନାହାନ୍ତି ସାଧାରଣ ଚାଷୀ  ଏପରିକି ବିହନ ଉତ୍ପାଦନକାରୀ ଚାଷୀଙ୍କୁ ବି ଗୋଦାମରୁ ବିହନ ମିଳୁନାହିଁ। ଆଜି ଶତାଧିକ ଚାଷୀ ରାଜ୍ୟ ବିହନ ନିଗମର କେନ୍ଦ୍ରାପଡ଼ା ଜଜାଙ୍ଗସ୍ଥିତ ଗୋଦାମରୁ ଫେରି ଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଗୋଦାମରେ ସାଧାରଣ ଚାଷୀଙ୍କ ପାଇଁ ଖୋଲାଯିବାକୁ ଥିବା କାଉଣ୍ଟର୍‌ ବି ଏଯାଏ ଖୋଲା ଯାଇନାହିଁ। ଚାଷୀ ଆସିଲେ ଏକ ନିର୍ଦ୍ଦିଷ୍ଟ ଡିଲର୍‌ ପାଖରୁ ବିହନ ନେଇଯିବାକୁ କର୍ତ୍ତୃପକ୍ଷ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ଚାଷୀ ସାରଳା, ୧୦୭୫, ଧଳାସ୍ବର୍ଣ୍ଣ କିସମ ବିହନ ଖୋଜିଲା ବେଳକୁ ତାହା ମିଳୁନାହିଁ। କର୍ତ୍ତୃପକ୍ଷ ବି ଏହି କିସମର ବିହନ କେବେ ଆସିବ, ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବା ସହିତ ଅସନ୍ତୋଷ ତେଜିଲାଣି।  ଜିଲ୍ଲା କୃଷି ବିଭାଗର ତଥ୍ୟ କହୁଛି, ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୨୪ହଜାର ୬୦୦ହେକ୍ଟର ଜମିରେ ଧାନ ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କିନ୍ତୁ ଅଦ୍ୟାବଧି ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ବିହନ ଆସିନାହିଁ। ଉଲ୍ଲେଖନୀୟ କଥା ହେଉଛି, ଯେଉଁ ବିହନ ଅଛି, ତାକୁ ନେବାକୁ ଚାଷୀ ଅମଂଗ ହେଉଛି ା ପୂଜା, କଳାଚମ୍ପା, ୧୦୦୧ସବ ୱାନ୍, ନାଲି ସ୍ବର୍ଣ୍ଣ, ସିଆର‌୍‌–୧୦୦୧, ସିଆର‌୍‌–୧୦୧୮ ଆଦି କିସମର ବିହନ ଆସିଥିଲେ ବି ଚାଷୀଙ୍କ ଚାହିଦା ସାରଳା, ୧୦୭୫, ଧଳାସ୍ବର୍ଣ୍ଣ ଉପରେ ରହିଛି। ସବୁଠୁ ଅଧିକ ଡିମାଣ୍ଡ୍‌ କିନ୍ତୁ ସାରଳା ବିହନ ଉପରେ ରହିଥିବା ବେଳେ ତାହା ଚାଷୀଙ୍କୁ ଯୋଗାଇ ଦିଆଯାଇପାରୁନାହିଁ।

ଏଣୁ ଚାଷ କାର୍ଯ୍ୟ ପଛେଇବା ଆଶଙ୍କା ସୃଷ୍ଟି ହୋଇଛି ା ଗତବର୍ଷ ବି ଅନୁରୂପ ପରିସ୍ଥିତି ଉପୁଜିଥିଲା। ମନ ପସନ୍ଦର ବିହନ ନ ମିଳିବାରୁ ଚାଷୀ ଶେଷରେ ଅନ୍ୟ କ୍ଷେତ ଅନୁକୂଳ ବିହନ ପକାଇବାକୁ ବାଧ୍ୟ ହୋଇଥିଲା। ପ୍ରତିବଷର୍ଷ ଏହି ସ୍ଥିତି ଉପୁଜୁଥିବା ବେଳେ କର୍ତ୍ତୃପକ୍ଷ କାହିଁକି ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରୁନାହାନ୍ତି, ତାହା ଏବେ ପ୍ରଶ୍ନର ବିଷୟ ହୋଇଛି ା ସବୁଠୁ ବଡ଼ କଥା ହେଉଛି, ବିହନ ଉତ୍ପାଦନକାରୀ ଚାଷୀଙ୍କୁ ବି ଏଯାଏ ବିହନ ମିଳିପାରିଲା ନାହିଁ। ରେକର୍ଡ କହୁଛି  ଗତବର୍ଷ ୧୫୮ଜଣ ବିହନ ଉତ୍ପାଦନକାରୀ ପଂଜୀକୃତ ଚାଷୀ ୩୧୮ହେକ୍ଟର୍‌ ଜମିରେ ଚାଷ କରିଥିଲେ ା ସେଥିରୁ ଅମଳ କରି ବିହନ ନିଗମକୁ ୩ହଜାର ୨୫୯କୁଇଣ୍ଟାଲ୍‌ ବିହନ ଦେଇଥିଲେ ା ମାତ୍ର ଏଥର ନିଗମ ଜମି ପରିମାଣ କମାଇ ୨୨୦ହେକ୍ଟର୍‌ କରି ଦେଇଛି ା ଏହା ସତ୍ତ୍ବେ ବି ଆଜିସୁଦ୍ଧା ବିହନ ମିଳିପାରିଲା ନାହିଁ ବୋଲି ବିହନ ଉତ୍ପାଦନକାରୀ ଚାଷୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି, ଆଜି ବିହନ ନେବାକୁ ଆସିଥିଲୁ। ମାତ୍ର ଆବଶ୍ୟକୀୟ ପରିମାଣର ବିହନ ନାହିଁ। ଅଳ୍ପ ବିହନକୁ ସମସ୍ତଙ୍କ ମଧ୍ୟରେ ଭାଗବାଣ୍ଟ କରି ନେବାକୁ କୁହାଯାଉଛି। ଏହା କିଭଳି ସମ୍ଭବ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ କର୍ତ୍ତୃକ୍ଷଙ୍କ କହିବା କଥା ହେଉଛି, ଗୋଟିଏ ନିର୍ଦ୍ଦିଷ୍ଟ କିସମର ବିହନ ତ ପର୍ଯ୍ୟାପ୍ତ ପରିମାଣର ଦେଇହେବ ନାହିଁ। ତାର ବିକଳ୍ପ ବିହନ ବି ଅଛି। ସାରଳା ପରିବର୍ତ୍ତେ କଳାଚମ୍ଫା ବି ଚାଷୀ ନେଇପାରିବେ। ମାତ୍ର ଧାନ ମୋଟା ହେଇଥିବା କାରଣରୁ ଚାଷୀ ଏହାକୁ ନେବାକୁ ଅମଂଗ ହେଉଛନ୍ତି।

ସମ୍ବନ୍ଧିତ ଖବର