ଆଳି: ଲଗାଣ ବର୍ଷାରେ ଆଳି ବ୍ଲକ ୩୪ ପଞ୍ଚାୟତର ୬ ହଜାର ହେକ୍ଟର ଜମିର ଧାନ ଓ ୨ ହଜାର ହେକ୍ଟର ଜମିର ବିରି ଓ ପନିପରିବା ଫସଲ ସମୂଳେ ଉଜୁଡି ଯାଇଛି। ପତ୍ରପୁର ପଞ୍ଚାୟତ ବିଲିକଣାର ଚାଷୀ ହରାଇଛନ୍ତି କୋବି, ମଟର, ପୋଟଳ, ବାଇଗଣ, କଲରା, ବିମ୍ସ, ସହିତ ବିରି ଫସଲ। ପାଣିମାଡ ଖାଇଥିବା କୋବି, ବାଇଗଣ ଗଛ ଛନଛନ ସବୁଜ ଦେଖାଯାଉଥିଲେ ବି ଶୁଖି ମରିବାରେ ଲାଗିଛି। ବିଲିକଣାର ଚାଷୀ କୈବଲ୍ୟ ମଲିକ, ଘନଶ୍ୟାମ ମଲିକ, ଉଦକର ମଲିକ, କେଳୁ ମଲିକ, କୈଳାସ ମଲିକ, ସୌଭାଗ୍ୟ ତରାଇ, ନାରାୟଣ ମଲିକ, ପ୍ରଭାକର ମଲିକ ପ୍ରମୁଖ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ସେହିପରି ପନିପରିବା ଫସଲ ସହିତ ସେମାନେ ଜମି ହଳ ବେଉଷଣ କରି ସୂର୍ଯ୍ୟମୁଖୀ ବିହନ ବୁଣିଥିଲେ। ଗଜା ଧୋଇ ହୋଇଗଲା ବୋଲି କହିଛନ୍ତି ଜୁଆଣିଆ ପଞ୍ଚାୟତ ହଦୁଆର ଚାଷୀ ପ୍ରମୋଦ ସେଠୀ, ବୈଦ୍ୟନାଥ ସେଠୀ, ପ୍ରଫୁଲ୍ଲ ବେହେରା, ଅମୂଲ୍ୟ ସେଠୀ ପ୍ରମୁଖ। ପତ୍ରପୁର ଗ୍ରାମର ଚାଷୀ ଧାନ, ବିରି ଫସଲ ସହିତ ପନିପରିବା ଫସଲ ହରାଇଛନ୍ତି।

Advertisment

ପତ୍ରପୁରର କ୍ଷତିଗ୍ରସ୍ତ ଚାଷୀ ବିନୋଦ ପରିଡା, କାଶୀନାଥ ବେହେରା, ବ୍ରହ୍ମାନନ୍ଦ ସାହୁ, ରାମଚନ୍ଦ୍ର ନାଥ, କପିଳ ପରିଡା, ପ୍ରହଲ୍ଲାଦ ମଲିକ, ଯଦୁମଣି ନାୟକ, ଗଣେଶ୍ବର ମହାନ୍ତି, ହରେକୃଷ୍ଣ ଦାସ, ଧରଣୀଧର ଗିରି, ଗଜେନ୍ଦ୍ର ମଲିକ, ମାନସ ସାହୁ, ସୋମନାଥ ମଲିକ, ସନ୍ନ୍ୟାସୀ ବାରିକ, ରାଜୀବ ରାଉଳ, ସୁଶାନ୍ତ ଦାସ ପ୍ରମୁଖ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚିନ୍ତାରେ ସବୁ ଚାଷୀ ପରିବାରରେ ଭାଳେଣି ପଡି ଯାଇଛି। ଚାଷୀମାନଙ୍କୁ କୃଷି ସହାୟତା ଯୋଗାଇ ଦେବାକୁ ଏହି କ୍ଷତିଗ୍ରସ୍ତ ଚାଷୀମାନେ ଆକୁଳ ନିବେଦନ କରିଥିବା ବେଳେ ତୁରନ୍ତ କ୍ଷତିପୂରଣ ପାଇଁ ପତ୍ରପୁର ସରପଞ୍ଚ ପ୍ରତିନିଧି ସୁବ୍ରତ ବେହୁରା ପ୍ରଶାସନ ନିକଟରେ ଦାବି କରିଛନ୍ତି।