ପୁଣି ବର୍ଷା… ଚାଷୀ ଆଖିରେ ପାଣି

କେନ୍ଦ୍ରାପଡ଼ା: ପ୍ରଥମେ ବାତ୍ୟା ମାଡ଼; ପରେ ପରେ କ୍ଷତିଗ୍ରସ୍ତ ଫସଲ ସର୍ଭେରେ ଟାଳଟୁଳ ନୀତି। ଆଉ ଏବେ ପୁଣି ଅଦିନିଆ ବର୍ଷା। ପ୍ରକୃତିର ଏଭଳି ପ୍ରକୋପ ସାଂଗକୁ ସରକାରୀ କ୍ଷେତ୍ର କର୍ମଚାରୀଙ୍କ ଦାଉ ଏଥର ଚାଷୀଙ୍କ ଭୟଙ୍କର ଦୁର୍ଦ୍ଦଶା ମୁହଁକୁ ଠେଲି ଦେଇଛି। ଆଖି ଆଗରେ ପାଚିଲା ଧାନ ଉଜୁଡ଼ି ଯାଉଥିବାର ଦୃଶ୍ୟ ଦେଖି ଚାଷୀ କୋହ ସମ୍ଭାଳି ପାରୁନି। ବାତ୍ୟାଜନିତ ପ୍ରବଳ ବର୍ଷାଠାରୁ ଯାହା କିଛି ଧାନ ଫସଲ ବର୍ତ୍ତି ଯାଇଥିଲା, ତାହା ଏବେ ସଂପୂର୍ଣ୍ଣ ଉଜୁଡ଼ି ଯିବା ଉପରେ। ଅଧିକାଂଶ ଜାଗାରୁ ଯଦିଓ ଧାନ କଟା ସରିଛି, କିନ୍ତୁ ଅମଳ ହୋଇନାହିଁ। କେହି କେହି ଖଳାରେ ଅମଳ ପାଇଁ ଧାନ ଠୁଳ କରିଥିବା ବେଳେ କେହି କେହି ଧାନ କାଟି ବିଲରେ ପକାଇଛି। ଆଉ ଯେଉଁମାନେ ମେସିନ୍‌ରେ ଧାନ କାଟିଥିଲେ, ସେମାନେ ଅନ୍ତତଃପକ୍ଷେ ବର୍ଷଠାରୁ ବର୍ତ୍ତି ଯାଇଛନ୍ତି। ଜିଲ୍ଳାରେ ଚଳିତ ବର୍ଷ ୧ଲକ୍ଷ ୨୪ହଜାର ୬୦୦ ହେକ୍ଟର୍‌ ଜମିରେ ଧାନ ଫସଲ ହୋଇଥିଲା। ବାତ୍ୟା ଯୋଗୁ ୧୮୮ଟି ପଂଚାୟତର ୧,୧୧୩ଟି ଗ୍ରାମରେ ୪୧ପ୍ରତିଶତ ବା ୫୧ହଜାର ୬୬୪ହେକ୍ଟର୍‌ ଫସଲ ଉଜୁଡ଼ି ଯାଇଥିଲା। ରାଜନଗର ବ୍ଲକ୍‌ରେ ସର୍ବାଧିକ ୧୩ହଜାର ୭୮୦ହେକ୍ଟର ବିଲରେ ଧାନ ଫସଲ କ୍ଷତି ହୋଇଥିଲା ବେଳେ ଡେରାବିଶରେ ସର୍ବନିମ୍ନ ୭୨୮ହେକ୍ଟର ଫସଲ ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଏହି କ୍ଷୟକ୍ଷତି ରିପୋର୍ଟ ଆଧାରରେ ସରକାର ଚାଷୀଙ୍କୁ ୪୨କୋଟିରୁ ଅଧିକ ଟଙ୍କା କ୍ଷତିପୂରଣ ରାଶି ପଠାଇଛନ୍ତି। ହେଲେ ନିର୍ବାଚନ ଆଚରଣ ବିଧି ଲାଗୁ ହେଇଗଲା ପଛେ ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ରାଶି ବାଣ୍ଟି ପାରିଲା ନାହିଁ। ଚାଷୀ ବାତ୍ୟା ଦୁଃଖ ଭିତ‌େରେ ଏଯାଏ ଘାଣ୍ଟି ହେଉଥିବା ବେଳେ ପୁଣି ଅଦିନିଆ ବ‌ର୍ଷା ଦୁର୍ଦ୍ଦଶାକୁ ଦ୍ବିଗୁଣିତ କରି ଦେଇଛି।

ଜୱାଦଜନିତ ବର୍ଷାରେ କାଦୁଆ ଜମି ଶୁଖି ଆସୁଥିବା ବେଳେ ଏହି ଅଦିନିଆ ବର୍ଷା ଚାଷୀ ଆଖିରେ ଲୁହ ଭରି ଦେଇଛି। ଡେରାବିଶ ବ୍ଳକ ଚାନ୍ଦୋଳ, ପଲେଇ, ମୁକୁନ୍ଦପୁର, ଦାନପୁର, ରତାଦିଆଖଣ୍ତସାହି, ଇନ୍ଦାଳୋ, ହରିଅଙ୍କ, ଯଅଁରାବାରିମୂଳ, ବସପୁର ଆଦି ପଞ୍ଚାୟତରେ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ସେହିପରି ମାର୍ଶାଘାଇ ବ୍ଲକର ପରକୁଳା, ବଛରାଇ, ବନ୍ଧକଟା, ମେହେନ୍ଦିନଗର, ଆଖୁଆଦକ୍ଷିଣୀ, ଜମପଡା, କରିଲୋପାଟଣା, ଆଇତିପୁର, ଜଳପୋକ, ମଙ୍ଗରାଜପୁର, ଅନ୍ତେଇ, ବଟିରା, ବେରୁହାଁ, ତାଳସଙ୍ଗା ଆଦି ପଂଚାୟତର ଖାଲୁଆ ଜମିରେ ଏ ଯାଏ ପାଣି ଜମି ରହିଥିବା ବେଳେ ଅଦିନିଆ ବର୍ଷା ବଞ୍ଚିଥିବା ଫସଲକୁ ଉଜାଡ଼ି ଦେଇଛି। ଏହି ବ୍ଲକରେ ପରିବା ଓ ବିରି ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଅନ୍ୟପଟେ ପଟ୍ଟାମୁଣ୍ଡାଇର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡ଼ାରୁ ପାଣି ଶୁଖି ନ ଥିବା ବେଳେ ଏ ବର୍ଷା ପରିସ୍ଥିତିକୁ ସଂଗିନ କରିଛି। ଶତାଧିକ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି। ‘ଜୱାଦ’ରେ ମହାକାଳପଡା ଅଂଚଳର ୪୦ ଭାଗ ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ଆକଳନ କରାଯାଇଥିବା ବେଳେ ଯାହା କିଛି ଫସଲ ବଞ୍ଚିଥିଲା ତାହା ଏହି ଅଦିନିଆ ବର୍ଷାରେ ନଷ୍ଟ ହୋଇଯିବ ବୋଲି ଜଳଜଳ ହୋଇ ଦିଶୁଛି। ସେହିପରି ଆଳି, ରାଜକନିକା, ଗରଦପୁର ବ୍ଲକରେ ଶତାଧିକ ହେକ୍ଟର ଜମିରେ କଟା ହୋଇ ପଡ଼ିଥିବା ଧାନରେ ପୁଣି ପାଣି ମାଡ଼ି ଯାଇଛି। ଏଭଳି ବିଷମ ପରିସ୍ଥିତିରେ ଚାଷୀ ହାହାକାର ଡ଼ାକୁଥିବା ବେଳେ କ୍ଷତିପୂରଣ ପାଇଁ ଦାବି କରିଛି।

କ୍ଷେତ, ଖଳା ଓ ମଣ୍ତିରେ ଭିଜୁଛି ଧାନ

ଡେରାବିଶ ଅଦିନିଆ ବର୍ଷା ଡ଼େରାବିଶ ଅଞ୍ଚଳର ଚାଷୀଙ୍କୁ ଚିନ୍ତାରେ ପକାଇଛି। ଜୱାଦ କ୍ଷତି ଭରି ନ ଥିବା ବେଳେ ଅଦିନିଆ ବର୍ଷା ସେମାନଙ୍କ ଆଖ‌ିରେ ପାଣି ଭରି ଦେଇଛି। ବ୍ଲକ ଅଂଚଳର ଚାଷୀମାନେ ଧାନ ଫସଲ କାଟି କ୍ଷେରେ ଶୁଖାଇଥିବା ସହ ମେସିନରେ ଅମଳରେ ବ୍ୟସ୍ତ ରହିଥିଲେ। ତେବେ ଅଦିନିଆ ବର୍ଷାରେ କ୍ଷେତରେ କଟା ହୋଇ, ମଣ୍ଡି ବାହାରେ ଓ ଖଳାକୁ ଆସି ଖୋଲାମେଲା ଅବସ୍ଥାରେ ପଡିଥିବା ଧାନ ଫସଲ ଓଦା ହୋଇଯାଇଛି। ଏହି ବର୍ଷା ଲାଗି ରହିଲେ ପାଚିଲା ଓ ଅମଳକ୍ଷମ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର