ରାୟଗଡ଼ା: ବର୍ଷା ୩ ମାସ ଛାଡ଼ିଲେ ଅନ୍ୟ ଦିନରେ ଚାଷ ପାଇଁ ପାଣି ଟୋପାଏ ମିଳୁନଥିଲା। ନାଗାବଳୀ ଜଳ ଜମିକୁ ମାଡ଼ୁନଥିବା ବେଳେ ପାହାଡ଼ିଆ ଅଞ୍ଚଳ ଯୋଗୁ ଉଠାଜଳସେଚନ ପ୍ରକଳ୍ପ ଫେଲ୍ ମାରିଥିଲା। ଜଳସେଚନ ସମସ୍ୟା ଯୋଗୁ ଚାଷକାର୍ଯ୍ୟରୁ ମୁହଁ ଫେରାଇ ନେଇଥିବା ଚାଷୀ ପ୍ରଭାକର ଆଡକୁଲା। ହେଲେ ଫାର୍ମ ପଣ୍ଡ ପ୍ରଭାକରଙ୍କ ଜଳସେଚନ ଚିନ୍ତା ଦୂର କରିବା ସହ ସ୍ବାବଲମ୍ବୀ କରିବାରେ ନେଇଛି ପ୍ରମୁଖ ଭୂମିକା। ସମ୍ମନ୍ବିତ କୃଷି ଯୋଜନା ଓ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ପ୍ରଭାକର ବାର୍ଷିକ ମାଛ ଓ ପନିପରିବା ଚାଷରୁ ଦେଢ଼ ଲକ୍ଷ ଏବଂ ପୋଖରୀ ହୁଡ଼ାରେ ଫୁଲ ଓ ନଡ଼ିଆ ଗଛ ଚାଷ କରି ବେଶ ଲାଭବାନ ହେଉଛନ୍ତି। ପ୍ରଭାକରଙ୍କ ଚାଷ ପ୍ରଣାଳୀକୁ ନମୁନା ଭାବେ ଗ୍ରହଣ କରି ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଅନ୍ୟ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଯୋଜନା କରିଛି।

Advertisment

ରାୟଗଡ଼ା ବ୍ଲକ କେରେଡ଼ା ଗ୍ରାମର ଚାଷୀ ପ୍ରଭାକର ଆଡକୁଲା। ୨ ଏକର ଜମିରେ ଋତୁ ଅନୁଯାୟୀ ପନିପରିବା ଓ ରେଶମ ଚାଷ କରୁଥିଲେ। ଚାଷ ଭଲ ହେଉଥିବାରୁ ସେଥିରୁ ଆୟ ଅର୍ଥରେ ହିଁ ପରିବାର ଚଳାଉଥିଲେ ପ୍ରଭାକର। କିନ୍ତୁ ସମୟକ୍ରମେ ଜଳସେଚନ ସମସ୍ୟା ଉପୁଜିବା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ବର୍ଷର ୯ ମାସ ଜଳସେଚନ ସମସ୍ୟା ଲାଗି ରହିବା ପରେ ସମାଧାନର ରାସ୍ତା ନ ବାହାରିବାରୁ ଚାଷ କାର୍ଯ୍ୟ ଛାଡ଼ିବାକୁ ମନ ବଳାଇଥିଲେ। ବାହାର ରାଜ୍ୟରେ ଅନ୍ୟ କାମଧନ୍ଧା କରି ପରିବାର ଚଳାଇବାକୁ ମନ ବଳାଇଥିଲେ ମଧ୍ୟ କରୋନା କଟକଣା ଯୋଗୁ ଭିଟାମାଟି ଛାଡ଼ି ଅନ୍ୟତ୍ର ଯାଇପାରିନଥିଲେ। ଏପରି ସ୍ଥିତିରେ ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ସଂସ୍ପର୍ଶରେ ଆସି ନିଜ ଜମିରେ ଫାର୍ମ ପଣ୍ଡ ପାଇଁ ଆବେଦନ କରିଥିଲେ। ଜଳ ବିଭାଜିକା ବିଭାଗର ଅନୁମୋଦନ ପରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ସ୍ବଂୟ ସହାୟକ ଗୋଷ୍ଠୀ ସହଯୋଗରେ ପୋଖରୀ ଖୋଳିଥିଲେ।

publive-image Sambad

୨୦୨୧ ଏପ୍ରିଲ ମାସରେ ପୋଖରୀ ଖନନ ସରିବା ପରେ ପୁଣି ଆରମ୍ଭ କରିଥିଲେ ଚାଷ କାର୍ଯ୍ୟ। ୧ ଲକ୍ଷ ୯୯ ହଜାର ଟଙ୍କାରେ ନିର୍ମିତ ଫାର୍ମ ପଣ୍ଡ ଏବେ ଚାଷ କ୍ଷେତ୍ରରେ ଲାଗି ରହିଥିବା ଜଳସେଚନ ସମସ୍ୟାକୁ ଦୂର କରିବା ସହ ୨ ଏକର ଜମିରେ ପନିପରିବା ଓ ମାଛ ଚାଷରେ ସହାୟକ ହୋଇଛି। ‌ମାଛ ଚାଷରୁ ପ୍ରଭାକର ଗତବର୍ଷକ ମଧ୍ୟରେ ୭୦ ହଜାର ଟଙ୍କା ଲାଭ ପାଇଛନ୍ତି। ସେହିପରି ରେଶମ ଚାଷରୁ ୫ ହଜାର, ପନିପରିବା ଚାଷରୁ ୮ ହଜାର, ମଲ୍ଲୀ ଫୁଲ ଚାଷରୁ ୫ ହଜାର ଟଙ୍କାର ଲାଭ ପାଇଛନ୍ତି। ପୋଖରୀ ହିଡ଼ରେ ହୋଇଥିବା କଦଳୀ, ଅମୃତଭଣ୍ଡା, ନଡ଼ିଆ ଚାଷରୁ ମଧ୍ୟ ବେଶ୍ ଭଲ ରୋଜଗାର ‌ହୋଇଛି ପ୍ରଭାକରଙ୍କର। ଉତ୍ପାଦିତ କଦଳୀ ବିକ୍ରି କରି ୧୦ ହଜାର, ଅମୃତଭଣ୍ଡା ବିକ୍ରି କରି ୮ ହଜାର ଟଙ୍କା ଲାଭ ପାଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି। ଏଥି ସହିତ ପରୀକ୍ଷାମୂଳକ ଭାବେ ପ୍ରଭାକର ଡାଳିମ୍ବ ଓ ସପୁରୀ ଚାଷ ମଧ୍ୟ ଆରମ୍ଭ କରିଛନ୍ତି। ଫାର୍ମ ପଣ୍ଡ ଦ୍ବାରା ଚାଷୀ ପ୍ରଭାକର ସଫଳ ହେବା ପରେ ନିକଟରେ ପ୍ରଭାକରଙ୍କ କ୍ଷେତ ପରିଦର୍ଶନ କରିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ରବି ନାରାୟଣ ତ୍ରିପାଠି, ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଡଃ. ଦୟାନିଧି ବାଗ, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ। ପୂର୍ବରୁ ହେଉଥିବା ପାରମ୍ପରିକ ଚାଷ ପଦ୍ଧତି ବଦଳରେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କଲେ ସମସ୍ତ ଚାଷୀଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସି ପାରିବ ବୋଲି ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଶ୍ରୀ ବାଗ କହିଛନ୍ତି।