ମଣ୍ଡିରୁ ଉଠୁନି ଧାନ,ରାସ୍ତା ଅବରୋଧ କଲେ ଚାଷୀ

କୃଷକଙ୍କ ଧାନ ଗଚ୍ଛିତ ନେଇ ସର୍ଭେ ପରେ ଧାନ କିଣାଯିବ-ଜିଲ୍ଲା ଯୋଗାଣ ଅଧିକାରୀ

ମାଲକାନଗିରି/ମାଥିଲି : ମାଲକାନଗିରି ଜିଲ୍ଲାରେ ଆସନ୍ତା ଏକ ସପ୍ତାହ ଧରି ଧାନ ଖରିଦ କରାଯିବ ନାହିଁ ବୋଲି ଗତ କିଛି ଦିନ ତଳେ ଜିଲ୍ଲା ଯୋଗାଣ ଅଧିକାରୀ ସମ୍ବାଦକୁ ସାକ୍ଷାତ ଦେଇ ପ୍ରକାଶ କରିଥିଲେ।ଏନେଇ ଖବର ସମ୍ବାଦରେ ପ୍ରକାଶ ମଧ୍ୟ ପାଇଥିଲା।ତେବେ ମାଥିଲି ବ୍ଲକର ଦୁର୍ଗମ ସାଲିମି ଅଂଚଳରେ ରହିଥିବା ମଣ୍ଡି ବନ୍ଦ ହେବା ଫଳରେ ଚାଷୀ ଉତ୍ତେଜନା ଦେଖାଦେଇଛି।ଅଚାନକ ମଣ୍ଡି ବନ୍ଦ ହେବା ଫଳରେ ଚାଷୀଙ୍କ ନିକଟରେ ରହିଥିବା ଧାନଗୁଡିକ କିପରି ବିକ୍ରି ହୋଇପାରିବ ସେନଇ ଚିନ୍ତାରେ ପଡିଥିଲେ।ଗତ କିଛି ଦିନ ଧରି ମଣ୍ଡି ଲଗାତାର ବନ୍ଦ ହେବା ଫଳରେ ଆଉ ମଣ୍ଡି ଆରମ୍ଭ ହେବାର ସମ୍ଭାବନା ଦେଖାଯାଉନଥିବାରୁ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି।ବିଭିନ୍ନ ମଣ୍ଡିରେ ଶହ ଶହ କ୍ବିଣ୍ଟାଲ ଧାନ ପଡି ରହିଥିବା ବେଳେ ଚାଷୀ ଏବେ ମଣ୍ଡିରେ ଧାନକୁ ଜଗି ରହିଛି। ଏପଟେ ଜିଲ୍ଲା ଯୋଗାଣ ବିଭାଗ ଧାନ ମଣ୍ଡିକୁ ବନ୍ଦ କରି ଚାଷୀଙ୍କ ନିକଟରେ ଆହୁରି କେତେ ଧାନ ଗଚ୍ଛିତ ରହିଛି ଏହାର ସର୍ଭେ କରୁଛି।ଆସନ୍ତା ଏକ ସପ୍ତାହ ଧରି ସର୍ଭେ କାମ କରାଯିବାକୁ ଥିବା ବେଳେ ସେତେ ଦିନ ପର୍ଯ୍ୟନ୍ତ ମଣ୍ଡିକୁ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।ତେବେ ସାଲିମି ଅଂଚଳର ଶତାଧିକ ଚାଷୀ ଛତିଶଗଡକୁ ଯୋଗାଯୋଗ ହେଉଥିବା ସାଲିମି ଏବଂ କମାରପାଲୀ ମୁଖ୍ୟ ରାସ୍ତାରେ ଧାନଗାଡିଗୁଡିକ ରଖିବା ସହ ଚାଷୀ ରାସ୍ତାରେ ବସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି।ଚାଷୀ ଧାରକରଜ କରି ଧାନ ଚାଷ କରି ଫସିଯାଇଥିବା କହିଥିଲେ।ମଣ୍ଡିରେ ଯଦି ଧାନ ବିକ୍ରି ନହୁଏ ତେବେ ଚାଷୀ ରାଜରାସ୍ତାକୁ ଆସିଯିବେ।ତେବେ ଧାନ ଖରିଦ ନକରାଯିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଅଡି ବସିଥିଲେ।ତେବେ ମାଥିଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ରାସ୍ତାରୁ ହଟିଥିଲେ।ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥଙ୍କୁ ପଚାରିବାରୁ ସେ ଗତଥର ଯାହା କହିଥିଲେ ଏବେ ମଧ୍ୟ ସେୟା ହିଁ କହିଥିଲେ।ଆଗାମୀ ଏକ ସପ୍ତାହ ମଣ୍ଡି ବନ୍ଦ ରହିବା ସହ କୃଷକମାନଙ୍କ ନିକଟରେ କେତେ ଧାନ ରହିଛି ତାହାର ଆକଳନ କରାଯାଇ ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କ ଅବଗତ କରାଇ ଟାର୍ଗେଟ ମଗାଯିବ।ନଚେତ ଦଲାଲ ଏବେ ସମସ୍ତ ମଣ୍ଡିରେ ସକ୍ରିୟ ହୋଇଉଠିଛନ୍ତି।ପ୍ରକୃତ ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି ହୋଇପାରିବ ନାହିଁ।ତେଣୁ ଏଭଳି ଯୋଜନା କରାଯାଇଥିବା ସେ କହିଥିଲେ।ଏବେ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଥିବା କୁହାଯାଇଛି।ଆସନ୍ତା ସୋମବାରକୁ ପୁଣି ମଣ୍ଡି ଖୋଲିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର