ବାରିପଦା : ବାତ୍ୟା ୟାସକୁ ନେଇ ଚିନ୍ତାରେ ଜିଲ୍ଲାର ଚାଷୀକୁଳ। ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଜିଲ୍ଲାରେ ବାତ୍ୟା କ୍ଷୟକ୍ଷତି କରିବାର ଆଶଙ୍କା କରାଯାଉଛି। ଏପ୍ରିସ୍ଥଳେ ଜିଲ୍ଲାର ମୋଟ ୫,୬୯୫ ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ ଅମଳ ହୋଇପାରିନାହିଁ। ଏଥି ମଧ୍ୟରେ ୧,୧୫୪ ହେକ୍ଟର ଜମିରେ ଧାନ, ୧,୨୫୨ ହେକ୍ଟର ଜମିରେ ଚିନାବାଦାମ, ୮୩୭ ହେକ୍ଟର ଜମିରେ ମୁଗ, ୨,୪୫୨ ହେକ୍ଟର ଜମିରେ ପନିପରିବା ଆଦି ଅମଳ ହୋଇପାରିନଥିବା ଗତକାଲି କୃଷି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ବଡ଼ସାହି ବ୍ଲକରେ ସର୍ବାଧିକ ୧୬୦ ହେକ୍ଟର ଧାନ ଅମଳ ହୋଇପାରିନଥିବାବେଳେ ବିଜାତଳା ବ୍ଲକରେ ସର୍ବନିମ୍ନ ୭ ହେକ୍ଟର ଜମିରେ ଧାନ ଖଳାକୁ ଆସିପାରିନାହିଁ। ସେହିପରି ଶାମାଖୁଣ୍ଟା ଓ ବାଙ୍ଗିରିପୋଷି ବ୍ଲକରେ ସର୍ବାଧିକ ୩୦୦ ହେକ୍ଟର ଜମିରେ ଚିନାବାଦାମ, ବେତନଟୀ ବ୍ଲକରେ ସର୍ବନିମ୍ନ ୫ ଏକର ଜମିରୁ ଅମଳ ହୋଇପାରିନାହିଁ। ଉଦଳା ବ୍ଲକରେ ସର୍ବାଧିକ ୧୭୦ ହେକ୍ଟର ଜମିରେ ମୁଗ, ବାରିପଦା ବ୍ଲକରେ ସର୍ବନିମ୍ନ ୫ ହେକ୍ଟର ଜମିରେ ମୁଗ ଅମଳ ହୋଇପାରିନାହିଁ। କୁଳିଅଣା ବ୍ଲକରେ ସର୍ବାଧିକ ୩୫୫ ହେକ୍ଟର ଜମି ସହିତ ରାଇରଙ୍ଗପୁର ବ୍ଲକରେ ସର୍ବନିମ୍ନ ୯ ହେକ୍ଟର ଜମିରେ ପରିବା ଚାଷ ଅମଳ ହୋଇପାରିନାହିଁ। ସେହିପରି କୁଳିଅଣା ବ୍ଲକରେ ସର୍ବାଧିକ ୭୫୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ,ବାଙ୍ଗିରିପୋଷି ବ୍ଲକରେ ୬୫୦ ହେକ୍ଟର, ସାରସକଣା ବ୍ଲକରେ ୬୦୦ ହେକ୍ଟର, ଶାମାଖୁଣ୍ଟା ବ୍ଲକରେ ୫୭୦ ହେକ୍ଟର, ଉଦଳା ବ୍ଲକରେ ୩୭୬ ହେକ୍ଟର, ଯଶୀପୁର ବ୍ଲକରେ ୩୧୫ ହେକ୍ଟର, ବଡ଼ସାହି ବ୍ଲକରେ ୨୪୦ ହେକ୍ଟର, ମୋରଡ଼ା ବ୍ଲକରେ ୨୩୦ ହେକ୍ଟର, ଗୋପବନ୍ଧୁନଗର ବ୍ଲକରେ ୨୦୦ ହେକ୍ଟର, ରରୁଆଁ ବ୍ଲକରେ ୧୮୫ ହେକ୍ଟର, ବାରିପଦା ବ୍ଲକରେ ୧୮୨ ହେକ୍ଟର, ଖୁଣ୍ଟା ବ୍ଲକରେ ୧୮୧ ହେକ୍ଟର, ଶୁଳିଆପଦା ବ୍ଲକରେ ୧୭୦ ହେକ୍ଟର ଏହିପରି ଜିଲ୍ଲାର ୨୬ଟି ବ୍ଲକରେ ମୋଟ ୫,୬୯୫ ହେକ୍ଟର ଜମିରେ ଧାନ ଓ ଅଣଧାନ ରବି ଫସଲ ଅମଳ ହୋଇପାରିନଥିବା ଜିଲ୍ଲା କୃଷି ଉପନିର୍ଦେଶକ ଦାମୋଦର ସେଠୀ ସୂଚନା ଦେଇଛନ୍ତି। ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ବ୍ୟାଙ୍କରୁ ଋଣ, ହାତ ଉଧାରି , ଗାଉଲୀ ସୁଧ ଆଦିରେ ଟଙ୍କା ଋଣ କରି ଧାନ ଓ ଅଣଧାନ ଚାଷ କରିଥିବା ବେଳେ ବର୍ତ୍ତମାନ ୟସ୍ ବାତ୍ୟା ସେମାନଙ୍କୁ ବିପଦକୁ ଠେଲିଦେଇଛି। ବାତ୍ୟାର ପ୍ରଭାବ ଆଜିଠାରୁ ଜିଲ୍ଲାରେ ପ୍ରତିଫଳିତ ହୋଇଛି । ଆଜି ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକଗୁଡ଼ିକରେ ହାଲୁକା ଧରଣର ବର୍ଷା ସାଙ୍ଗକୁ ପବନ ହୋଂଥିବାର ଜଣାପଡ଼ିଛି । ଜିଲ୍ଲାରେ ଅତିପ୍ରବଳ ବା ପ୍ରବଳ ବର୍ଷା ହେଲେ ଏହି ସମସ୍ତ ଧାନ ଓ ଅଣଧାନ ଚାଷ ଜମିରେ ପାଣି ଫଶଲକୁ ସମ୍ପୂର୍ଣ୍ଣ ଭାବେ ଉଜାଡ଼ି ଦେବ । ଧାନ କ୍ଷେତ ପାଣିରେ ବୁଡ଼ି ଧନକୁ ଗଜା କରାଇ ଦେବା ସାଙ୍ଗକୁ ଗଛକୁ ପାଣିରେ ମିଶାଇ ଦେବ । ସେହିପରି ମୁଗ, ଚିନାବାଦାମ ଓ ପନିପରିବା ଆଦି ସମସ୍ତ ଚାଷ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଇ ଦେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଚାଷୀମାନଙ୍କ ଆଖିରୁ ନିଦ ହଜାଇ ଦେଇଛି । ଏହି ସମୟରେ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ଚାଷୀମାନଙ୍କୁ ଶୀଘ୍ର ଅମଳ କରି ନିରାପଦ ସ୍ଥାନରେ ସୁରକ୍ଷିତ ଭାବେ ସାଇତି ରଖିବାକୁ ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟା ୟାସକୁ ନେଇ ଚିନ୍ତାରେ ଜିଲ୍ଲାର ଚାଷୀକୁଳ
୧୧୫୪ ହେକ୍ଟର ଜମିରୁ ରବି ଧାନ ଅମଳ ହୋଇପାରି ନାହିଁ