ରାୟଗଡା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାୟଗଡା ଜିଲ୍ଳା କୃଷି ବିଭାଗ ଆନୁକୂଲ୍ୟରେ କଲ୍ୟାଣସିଂହପୁର ବ୍ଳକ ନାରାୟଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ସରକାରୀ କୃଷି ଫାର୍ମରେ ଯଥାରୀତି ଜିଲ୍ଳାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାୟଗଡା ଉପଜିଲ୍ଳାପାଳ ଭୀମସେନ ଶବର ଲଙ୍ଗଳ ବୁଲାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବିଷୁପ୍ରସାଦ ସାହୁ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପତିତପାବନ ସାମନ୍ତରାଏ, କୃଷି ବିଶେଷଜ୍ଞ ରାଜୀବ ତୁଡୁ, ବିଡିଓ ସୁନୀଲ ଖରା, ସରପଞ୍ଚ ସୀତାରାମ କାଡ୍ରକା, କୃଷି ବ୍ଳକ ଅଧିକାରୀ ଜ୍ଞାନେନ୍ଦ୍ର ପାଣିଗ୍ରାହୀ, ପି. ଶ୍ରୀନିରାସ ରାଓଙ୍କ ସମେତ କୃଷି, ଉଦ୍ୟାନ କୃଷି ଓ ମୃତିକା ସଂରକ୍ଷଣ ବିଭାଗୀୟ ସଂପୃକ୍ତ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସମତେ ସ୍ଥାନୀୟ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିବା ସହ ଚାଷୀଙ୍କୁ ଉତ୍ସାହିତ କରିଥିଲେ। ଭୂମି ପୂଜାର୍ଚ୍ଚନା କରାଯିବା ପରେ ଅଖିମୁଠି ଅନୁକୂଳ କରି ଲଙ୍ଗଳ ବୁଲାଇଥିଲେ ଉପଜିଲ୍ଳାପାଳ ଶ୍ରୀ ଶବର।

Advertisment

publive-image Sambad

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଭାଗୀୟ ଆନୁକୂଲ୍ୟରେ ଧୁମଧାମରେ ପାଳିତ ହୋଇଛି କୃଷକ ଦିବସ। ଚାଷ କାମ ଯାହାର କେଡେ ସୁଖ ତାହାର, ସେ ସିନା ଯୋଗାଉଛି ଦୁନିଆକୁ ଆହାର’ବୋଲି ଉପଜିଲ୍ଳାପାଳ ଶ୍ରୀ ଶବର ନିଜ ଭାଷଣରେ କହିବା ସହ ଚାଷୀଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକକୁ ପ୍ରଶାସନ ସ୍ତରରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ତତ୍ପରତା ଦେଖାଇ ଆସୁଛି। ଫଳରେ ଜିଲ୍ଳାରେ ଚାଷୀ ଓ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରୁଛି ବୋଲି କହିଥିଲେ। ଚଳିତବର୍ଷ ଚାଷ ଏବଂ କୃଷକ ପାଇଁ ବର୍ଷଟି ଅନୁକୂଳ ହେଉ ବୋଲି ଶ୍ରୀ ଶବର କାମନା କରିଥିବା ବେଳେ ଚାଷୀମାନେ ମଧ୍ୟ କୃଷକ ଦିବସକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସାହୁ ଚାଷ ଓ ଚାଷୀଙ୍କ ନିମନ୍ତେ ଉପଲବ୍ଧ ସମସ୍ତ ସରକାରୀ ସହାୟତା, ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଅର୍ଥକାରୀ ଫସଲକୁ ମଧ୍ୟ ଗୁରୁତ୍ୱ ଦେବା ପାଇଁ କହିଥିଲେ। କାର୍ଯ୍ୟକ୍ରମରେ ମିଲଟ ମିସନ ପକ୍ଷରୁ ୨ଟି ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ଜାଣ୍ଡୁ ହିମିରିକା ଓ ଅନ୍ୟ ଜଣେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆୟୋଜିତ ସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବନମାଳୀ କାଡ୍ରକା ଏବଂ ସ୍ଥାନୀୟ ବୁଦ୍ଧିଜୀବି ପି. ମାଧବ ରାଓ, ପ୍ରମୁଖ ମଞ୍ଚାସୀନ ହୋଇଥିଲେ।