ଭଦ୍ରକ : ସରକାର ଧାନ କିଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଓଡିଶା କୃଷକ ସଭାର ଗଣଧାରଣା

ଭଦ୍ରକ  : ପ୍ରତି ପଞ୍ଚାୟତରେ ସରକାର ଧାନ ମଣ୍ଡି ନ ଖୋଲି ଧାନ କିଣାରେ ଟୋକନ ବ୍ୟବସ୍ଥାର ପ୍ରହସନ କରିବା ବିରୁଦ୍ଧରେ ଆଜି  ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ଲାଲ ପଟୁଆର ଭଦ୍ରକ ବନ୍ତ ଛକ ଠାରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରିଥିଲେ ।

ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ଧାନ କିଣିବା ପାଇଁ ଚାଷୀ ମାନଙ୍କୁ ଟୋକନ ଦିଆଯାଇ ବର୍ତ୍ତମାନ ଧାନ କିଣାର ଟାର୍ଗେଟ ସରିଯାଇଛି ବୋଲି କହିବା ନବୀନ ପଟ୍ଟନାୟକ ସରକାରର ଚାଷୀପ୍ରୀତି କୁ ପଦାରେ ପକାଇଛି । ଓଡିଶା ବିଧାନସଭା ପରିସରରେ ଟୋକନ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ସରକାର ଘୋଷଣା କରିଥିବା ବେଳେ ଧାନ ନକିଣି ଚାଷୀ ମାନଙ୍କୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଦୋମୁଆଁ ନିଷ୍ପତ୍ତିକୁ ପଦାରେ ପକାଇଛି । ଏ ପଟେ ଭଦ୍ରକ ଜିଲ୍ଲାର ପାଖାପାଖି ୮୦୦୦ ମେଟ୍ରିକ ଟନ୍ ଧାନ ଚାଷୀ ଓ ଭାଗଚାଷୀ ମାନଙ୍କ ପାଖରେ ପଡି ରହିଛି । ଜିଲ୍ଲାର ଅଳ୍ପ କିଛି ଚାଷୀ ଧାନ ବିକ୍ରି କରିଥିବା ବେଳେ ଜଣେ ହେଲେବି ଭାଗଚାଷୀ ଧାନ ବିକ୍ରି କରିପାରିନାହାଁନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭାଗଚାଷୀଙ୍କ ଠାରୁ ଧାନ କିଣିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା କରିନାହାନ୍ତି । ଏହି ଧାନ କିଣାରେ ସରକାରୀ ଉଦାସୀନତା ବିରୁଦ୍ଧରେ ଓ ଚାଷୀ , ଭାଗଚାଷୀ ମାନଙ୍କ ଠାରୁ ତୁରନ୍ତ ଧାନ କିଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ମାନେ ସଂଧ୍ୟା ପର୍ୟ୍ୟନ୍ତ ଧାରଣା ରେ ବସିରହିଥିଲେ ।

ଆସନ୍ତା ମାର୍ଚ୍ଚ ୨୩ ତାରିଖ ରେ ବିଧାନସଭା ସାମ୍ନାରେ ହଜାର ହଜାର ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚାଷୀ ନେତା ମାନେ ଏହି ଧାରଣା ସ୍ଥାନରେ ସୂଚନା ଦେଇଥିଲେ । ଏହି ଧାରଣା ଓ ବିକ୍ଷୋଭରେ ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ନାୟକ ସଭାପତିତ୍ୱ କରିଥିବା ବେଳେ ସଂପାଦକ ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ, କୃଷକ ନେତା ଅଭିରାମ ବଳ, ଗୟାଧର ସାହୁ, ରବିନ୍ଦ୍ର ନାୟକ, ଓଡିଶା କ୍ଷେତମଜଦୂର ୟୁନିୟନ ରାଜ୍ୟ ଉପସଭାପତି ପ୍ରଫୁଲ୍ଲ ପାଢୀ, ଅଇନଜୀବୀ ଗିରିଧାରୀ ନାଥ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଚାନ୍ଦବାଲି ବ୍ଲକ ସଭାନେତ୍ରୀ ମଧୁସ୍ମିତା ପାକଳ, ମହିଳା ନେତ୍ରୀ ରୋଜାଲିନ, ସାମ୍ୟବାଦୀ କୃଷକ ନେତା ଜୟନୁଲ ଆବେଦନ, ରାଧାଶ୍ୟାମ ନାୟକ, ନିରଞ୍ଜନ ପାଣି ପ୍ରମୁଖ ନେତୃତ୍ବ ନେଇଥିଲେ । ଧାନ କିଣା ର ଶିଥିଳତା ଓ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତା ୭ ଦିନ ମଧ୍ୟରେ ଭଦ୍ରକ ବନ୍ଦ କରାଯିବ ବୋଲି ଚାଷୀ ନେତା ମାନେ ଚେତାବନୀ ଦେଇଥିଲେ ।ଏହି ଆନ୍ଦୋଳନରେ ଶତାଧିକ ଚାଷୀ ଓ ଭାଗଚାଷୀ ଯୋଗଦେଇ ଥିଲେ ।

ସମ୍ବନ୍ଧିତ ଖବର