ରାୟଗଡା: ଚାଷୀ ଏବେ ପୁରୁଣା ଚାଷ ପଦ୍ଧତିକୁ ଆପଣାଉ ଥିବା ଦେଖିବାକୁ ମିଳିଛି। ଦେଶୀ ଧାନକୁ ପୁଣି ପ୍ରାଧାନ୍ୟ ଦେବାକୁ ଆରମ୍ଭ କଲେଣି ରାୟଗଡାର ଦୁର୍ଗମ ଅଞ୍ଚଳର ଚାଷୀ। ସରକାରୀ ଧାନ ବିହନ ଉପରେ ବିଶ୍ବାସ କରି ଚାଷୀ ଅସଫଳ ହେବା ପରେ ଏବେ ଦେଶୀ ଧାନ ଉପରେ ନଜର ଦେଇଛନ୍ତି। ଗତବର୍ଷ ରାୟଗଡା ଜିଲ୍ଳା କାଶିପୁର ବ୍ଳକର ଶଙ୍କରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଉଳି ଗ୍ରାମର ୩୫ଜଣ ଚାଷୀଙ୍କୁ ରାୟଗଡା ଅର୍ଗାନିକ ପ୍ରୋଡୁସର କମ୍ପାନି ତରଫରୁ ମାଛକଣ୍ଟା, କୁଡେଇଚୁଡି ଓ କଳାଜୀରା ଭଳି ଦେଶୀ ଧାନ ବିହନ ସଂରକ୍ଷଣ ନିମନ୍ତେ ବଣ୍ଟନ କରାଯାଇଥିଲା।
ଚଳିତବର୍ଷ ସେହି ଗ୍ରାମର ଅନ୍ୟ ପ୍ରାୟ ୬୦ଜଣ ଚାଷୀ ଗ୍ରାମର ପୁରୁଣା ଚାଷୀଙ୍କ ଠାରୁ ବିହନ ଅଦଳବଦଳ ମାଧ୍ୟମରେ ମାଛକଣ୍ଟା ଏବଂ କୁଡେଇଚୁଡି ଧାନ ତଳି ପ୍ରସ୍ତୁତ କରିଛନ୍ତି। ଫଳରେ ଚଳିତବର୍ଷ ରାଉଳି ଗ୍ରାମରେ ପ୍ରାୟ ୧୦୦ଏକର ଚାଷ ଜମିରେ ଚାଷୀମାନେ ଦେଶୀ ଧାନ କରିବା ପାଇଁ ପୁରୁଣା ଚାଷୀଙ୍କ ଠାରୁ ଧାନ ବିହନ ନେଇଛନ୍ତି। ଏପରିକି ଉପରସିପିଲି ଗ୍ରାମର ଚାଷୀ ମାନେ ମଧ୍ୟ ରାଉଳି ଗ୍ରାମ ଚାଷୀଙ୍କ ଠାରୁ ମାଛକଣ୍ଟା ଦେଶୀ ଧାନ ବିହନ ନେଇ ତଳି ପକାଇଛନ୍ତି ବୋଲି ଗ୍ରାମର ଚାଷୀ ସାଲେମି ମାଝୀ, କାନ୍ଦରା ମାଝୀ, କଟେମେ ମାଝୀ, ରେଲି ମାଝୀ, ଦାସ ମାଝୀ, ରମାଇ ମାଝୀ, ଦିବାଣୀ ମାଝୀ, ଗୋପାଳ ମାଝୀ, ଉମେଶ ମାଝୀ, ଘେନୁ ମାଝୀ, ସାନ ମାଝୀ, ଶ୍ୟାମ ମାଝୀ, ଟଙ୍କ ମାଝୀ, ପ୍ରହ୍ଳାଦ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, କାଶିପୁର ଅଞ୍ଚଳରେ ପୂର୍ବରୁ ୨୦୦ରୁ ଅଧିକ ପ୍ରଜାତିର ଦେଶୀ ଧାନ ଦେଖିବାକୁ ମିଳୁଥିଲା କିନ୍ତୁ ଆଉ ଆଜିକାଲି ଏହି ଦେଶୀ ଧାନ ଦେଖିବାକୁ ମିଳୁନାହିଁ। ସମସ୍ତ ଚାଷୀ ସରକାରୀ ଧାନ ଉପରେ ନିର୍ଭର କରୁଛନ୍ତି ଏବଂ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଓ ଠିକ୍ ସମୟରେ ଧାନ ବିହନ ମଧ୍ୟ ପାଉ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ଅଗ୍ରଗାମୀ ଏବଂ ଅର୍ଗାନିକ ପ୍ରୋଡୁସର କମ୍ପାନି ତରଫରୁ ଦେଶୀ ଧାନ ବିହନ ପ୍ରଚଳନର କାର୍ଯ୍ୟକ୍ରମ ନିମନ୍ତେ ଏକ ଜୈବିକ କମ୍ପାନି ସହଯୋଗରେ ପୁଣିଥରେ କାଶୀପୁର ଅଞ୍ଚଳରେ ଦେଶୀ ଧାନ ଚାଷକୁ ଅଧିକ ପ୍ରଧାନ୍ୟ ଦେବା ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଛି।
/sambad/media/post_attachments/wp-content/uploads/2023/07/Rgda-Desi-Dhana-ku-pradhanya-2.jpg)
ଦେଶୀ ଧାନ ଫସଲ ନିମନ୍ତେ ଚଳିତବର୍ଷ ତଳି ପ୍ରସ୍ତୁତରେ ସଫଳତା ଚାଷୀ ପାଇଥିବା ବେଳେ ସରକାରୀ ଧାନ ବିହନ ଉପରେ ଆଉ ଚାଷୀ ନିର୍ଭର କରୁ ନ ଥିବା ଜଣାପଡିଛି। ସରକାରୀ ବିହନ ଚାଷୀଙ୍କୁ ବହୁ ସମୟରେ ଧକ୍କା ଦେଇଥିବାରୁ ଚାଷୀ ଆଉ ସରକାରୀ ବିହନକୁ ଅନାଉ ନାହାନ୍ତି। ବିଭିନ୍ନ କିସମର ଦେଶୀ ଧାନ ଏବେ ରାୟଗଡାରେ ଗଚ୍ଛିତ ହୋଇ ରହିଥିବା ବେଳେ ଏହାକୁ ପୁଣି ଚାଷ କରି ଜିଲ୍ଲାସାରା ଏହାର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।ତେବେ ଲୋକମାନେ ମଧ୍ୟ ଦେଶୀ ଧାନର ଚାଉଳ ଖୋଜୁଥିବାରୁ ଚାଷୀ ଏବେ ସେହି ପୁରୁଣା ପଦ୍ଧତିକୁ ଆପଣେଇଲେଣି। ଦେଶୀ ଧାନରେ ନିରୋଗ ରହୁଥିବା ଲୋକେ ଅବଗତ ହେବା ପରେ ଚାଷଙ୍କ ଠାରୁ ଲୋକେ ଦେଶୀ ଧାନ ଖରିଦ କରିବାକୁ ଆଗ୍ରହ ଦେଖାଉଛନ୍ତି। ଯାହାଫଳରେ କାଶୀପୁର ଅଞ୍ଚଳର ଚାଷୀ ଏବେ ପ୍ରାୟ ୧୦୦ ଏକରରୁ ଉର୍ଦ୍ଧ୍ବ ଜମରେ ଦେଶୀ ଧାନ କରି ବଜାରକୁ ଛାଡିବେ ବୋଲି ପ୍ରକାଶ କରିଛନ୍ତି।