ଭଦ୍ରକ: ଧାନ ଗଛରେ କାଣ୍ଡବିନ୍ଧା ପୋକ ଲାଗି ଗଛକୁ ନଷ୍ଟ କରି ଦେଲାଣି। ଖରିଫ ଧାନଗଛରେ ରୋଗ ପୋକ ଲାଗିବାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି। ଗତ ପ୍ରାୟ ଏକ ସପ୍ତାହ ଧରି ଲଗାଣ ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁ ଧାନ ବିଲରେ ବିଭିନ୍ନ ରୋଗପକ ଦେଖା ଦେଇଛି। ଧାନ ଗଛର କଅଁଳିଆ ପତ୍ର ଏବଂ କାଣ୍ଡରେ ଏବେ କାଣ୍ଡବିନ୍ଧା ପୋକ, ଗୁଣ୍ଡି ପୋକ ଏବଂ ପତ୍ର ଝାଉଁଳା ରୋଗ ଦେଖା ଦେଇଛି। ଯାହାକି ଚାଷୀଙ୍କ ଚିନ୍ତା ବଢ଼େଇ ଦେଇଛି। ତୁହାକୁ ତୁହା ବର୍ଷା ଲାଗି ରହିଥିବା ଯୋଗୁ ଧାନ ଗଛରେ ବିଷ ସିଞ୍ଚନ କଲେ ମଧ୍ୟ ତାହା ବର୍ଷା ପାଣିରେ ଧୋଇ ଯାଉଛି। ଟଙ୍କା ଖର୍ଚ୍ଚ କରି ବିଲରେ ବିଷ ଦେଲେ ମଧ୍ୟ ତାହା କାମ ଦେଉନି। ଏହିଭଳି ପାଗ ଆଉ କିଛିଦିନ ଲାଗି ରହିଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଚାଷୀ କୂଳରେ ଭାଳେଣି ପଡ଼ିଛି। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ସହିତ ଚାନ୍ଦବାଲି, ଭଣ୍ଡାରିପୋଖରୀ, ବନ୍ତ, ଧାମନଗର, ତିହିଡି ଏବଂ ବାସୁଦେବପୁର ବ୍ଳକରେ ଖରିଫ ଧାନରେ ରୋଗ ପୋକକୁ ନେଇ ଚାଷୀ ବ୍ୟତିବ୍ୟସ୍ତ ହୋଇଛନ୍ତି।
ଚଳିତବର୍ଷ ପଛୁଆ ବେଉଷଣ ସତ୍ୱେ ଜିଲ୍ଲାରେ ଖରିଫ ଧାନ ଚାଷ ଶହେ ପ୍ରତିଶତ ଧାର୍ଯ୍ୟ ଲକ୍ଷ ପୂରଣ ହୋଇଛି। ଜିଲା କୃଷି ବିଭାଗ ସୂଚନା ଅନୁଯାୟୀ ଜିଲ୍ଲାର ସବୁ ବ୍ଳକରେ ଭଲ ଚାଷ ହୋଇଛି। ପାଣିପାଗ ଅନୁକୂଳ ରହିଲେ ଚଳିତବର୍ଷ ଜିଲ୍ଲାରେ ଶହେ ପ୍ରତିଶତ ଧାନ ଅମଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଲଗାଣ ବର୍ଷା ଯୋଗୁ ଏବେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଖରିଫ ଧାନ ଚାଷ ରୋଗ ପୋକ ଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି। ତେବେ ତାହା ସେହିଭଳି ଉତ୍କଟ ହୋଇନଥିବା କହିଛନ୍ତି ଜିଲ୍ଲା କୃଷି ବିଭାଗ। ଯେଉଁଠି ବି ଏହି ରୋଗ ଦେଖା ଦେଇଛି ପାଗ ବଦଳିବା ପରେ ତାହା ଠିକ ହୋଇଯିବ ବୋଲି କୃଷି ବିଭାଗ କହିଛନ୍ତି। ତେବେ ଜିଲ୍ଲା କୃଷି ବିଭାଗର ଏହି ଆଶ୍ୱାସନା ଚାଷୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ଆଗକୁ ଏହି ଧରଣର ପାଣିପାଗ ଲାଗି ରହିଲେ ଜିଲ୍ଲାରେ ଖରିଫ ଧାନ ଚାଷ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀକୁଳ ଆଶଙ୍କା କରିଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ୧ ଲକ୍ଷ ୬୧ ହଜାର ହେକ୍ଟର ଜମିରେ କେବଳ ଖରିଫ ଧାନ ଚାଷ ହୋଇଛି।