ଚଢ଼ା ଦରରେ ସାର ବିକ୍ରିକୁ ନେଇ ଚାଷୀ ହନ୍ତସନ୍ତ, ୧୦ ବସ୍ତା ୟୁରିଆ ବଦଳରେ ମିଳୁଛି ୨

ଲ୍ୟାମ୍ପ୍‌ସକୁ ସାର ପ୍ରଦାନ ନେଇ ଦାବି

ମାଲକାନଗିରି: ମାଲକାନଗିରିରେ ସାର ପାଇଁ ଏବେ ଚାଷୀ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ରହିଥିବା ୮ଟି ଲ୍ୟାମ୍ପ୍‌ସରେ ଚାଷୀଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଚାଷୀଙ୍କୁ ୧୦ ବସ୍ତା ସାର ଦରକାର ପଡୁଥିବା ବେଳେ ମାତ୍ର ଗୋଟିଏ କିମ୍ବା ଦୁଇ ବସ୍ତା ସାର ପ୍ରଦାନ କରାଯାଉଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ମାଲକାନଗିରି ଲ୍ୟାମ୍ପ୍‌ସରେ ସାରର ଦାମ ଠିକ ବିକ୍ରି କରାଯାଉଥିବା ବେଳେ କାଲିମେଳା ସହ ଅନ୍ୟ ଲ୍ୟାମ୍ପ୍‌ସରେ ସାର ଗୁଡିକର ଦାମ ବଢାଇ ବିକ୍ରି କରାଯାଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି।

ସେହିପରି ଘରୋଇ ଡିଲର ମାନଙ୍କ ପାଖରୁ ସାର କିଣିବାକୁ ଚାଷୀ ଚାହୁଁନଥିବା ବେଳେ ଲ୍ୟାମ୍ପ୍‌ସକୁ ସାର ପ୍ରଦାନ କରାଯାଉ ବୋଲି ଦାବି କରିଛି ଚାଷୀ ସଂଘ ଓ ବିଭିନ୍ନ ରାଜନୈତିକ ଦଳ। ମାଲକାନଗିରି ଜିଲ୍ଲାରେ ରହିଥିବା ୮ଟି ଲ୍ୟାମ୍ପ୍‌ସ ମଧ୍ୟରୁ ମାଲକାନଗିରି ଲ୍ୟାମ୍ପକୁ ୧୩୨ ଟନ୍ ୟୁରିଆ ସାର ପ୍ରଦାନ କରାଯାଇଥିବା ବେଳେ ଏମ୍ଓ‌ପି ୩୦ ଟନ୍ ଏବଂ ୨୦.୨୦.୧୩ ସାର ୧୦୦ ଟନ୍ ପ୍ରଦାନ କରାଯାଇଛି।

ଶିଖପାଲୀ ଲ୍ୟାମ୍ପ୍‌ସକୁ ୧୫୫ ଟନ୍ ୟୁରିଆ ସାର ପ୍ରଦାନ କରାଯାଇଥିବା ବେଳେ ଏମ୍ଓ‌ପି କିମ୍ବା ଡିଏପି ପ୍ରଦାନ କରାଯାଇ ନାହିଁ। ୨୦.୨୦.୧୩ ୧୪୮ ଟନ୍ ପ୍ରଦାନ କରାଯାଇଛି। ମାଥିଲି ଲ୍ୟାମ୍ପ୍‌ସକୁ ୨୪୪ ଟନ୍ ୟୁରିଆ ପ୍ରଦାନ କରାଯାଇଥିବା ବେଳେ ୨୫ ଟନ୍ ଏମ୍ଓ‌ପି, ୨୭ ଟନ୍ ଡିଏପି,୧୩୫ ଟନ୍ ୨୦.୨୦.୧୩ ସାର ପ୍ରଦାନ କରାଯାଇଛି। ପଡିଆ ଲ୍ୟାମ୍ପ୍‌ସକୁ ୨୩୪ ଟନ୍ ୟୁରିଆ ପ୍ରଦାନ କରାଯାଇଥିବା ବେଳେ ୧୨ ଟନ୍ ଏମଓପି, ୨୫ ଟନ୍ ଡିଏପି ଏବଂ ୧୩୫ ଟନ୍ ୨୦.୨୦.୧୩ ସାର ପ୍ରଦାନ କରାଯାଇଛି। କାଲିମେଳା ଲ୍ୟାମ୍ପ୍‌ସକୁ ୭୬ ଟନ୍ ୟୁରିଆ, ୩୦ ଟନ୍ ଏମଓପି ଏବଂ ୧୦୫ ଟନ୍ ୨୦.୨୦.୧୩ ସାର ପ୍ରଦାନ କରାଯାଇଛି।

ଗୋବିନ୍ଦପାଲୀ ଲ୍ୟାମ୍ପ୍‌ସକୁ ୧୬୩ ଟନ୍ ୟୁରିଆ, ୨୫ ଟନ୍ ଏମ୍ଓ‌ପି ଏବଂ ୧୫୫ ଟନ୍ ୨୦.୨୦.୧୩ ସାର ପ୍ରଦାନ କରାଯାଇଛି। କୁଡୁମୁଲୁଗୁମ୍ମା ଲ୍ୟାମ୍ପ୍‌ସକୁ ୮୬ ଟନ୍ ୟୁରିଆ, ୬ ଟନ୍ ଏମଓପି, ୮୨ ଟନ୍ ୨୦.୨୦.୧୩ ସାର ପ୍ରଦାନ କରାଯାଇଛି। କୋରକୋଣ୍ଡା ଲ୍ୟାମ୍ପ୍‌ସକୁ ୨୧୬ ଟନ୍ ୟୁରିଆ, ୩୨ ଟନ୍ ଏମ୍ଓ‌ପି ଏବଂ ୧୩୨ ଟନ୍ ୨୦.୨୦.୧୩ ସାର ପ୍ରଦାନ କରାଯାଇଛି। ତେବେ କେବଳ ମାଥିଲି ଏବଂ ପଡିଆ ଲ୍ୟାମ୍ପ୍‌ସକୁ ଛାଡିଦେଲେ ଅନ୍ୟ କୌଣସି ଲ୍ୟାମ୍ପ୍‌ସକୁ ଡିଏପି ସାର ପ୍ରଦାନ କରାଯାଇ ନାହିଁ। ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାହାରେ ଡିଲର ମାନଙ୍କ ପାଖରେ ଡିଏପି ସାର ଗଚ୍ଛିତ ହୋଇଥିବା ବେଳେ ଏହା ଡିଲର ମାନେ ଚଢା ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଅନ୍ୟଦିଗରେ ଆଗ୍ରୋ କେଉଁ ଡିଲରକୁ କେତେ ସାର ପ୍ରଦାନ କରିଛି ତାହା ଜଣାପଡି ନାହିଁ। ମାଲକାନଗିରି ଠାରେ ରହିଥିବା ଆଗ୍ରୋ ଅଫିସରେ କେହି ମୁରବୀ ନଥିବା ବେଳେ କୋରାପୁଟରୁ ଏହି କାର୍ଯ୍ୟାଳୟକୁ ଚଲାଯାଉଛି।

Sambad

ସ୍ଥାନୀୟ ଜଣେ ଅଧିକାରୀଙ୍କୁ ଯଦି ଏହାର ଦାୟୀତ୍ବ ପ୍ରଦାନ କରାଯାଇଥାନ୍ତା ତେବେ ସାର ବଣ୍ଟନରେ କୌଣସି ଅସୁବିଧା ହୋଇନଥାନ୍ତା ବୋଲି କୁହାଯାଇଛି। ଚାଷୀ ସକାଳୁ ଘରୁ ବାହାରି ସଂଧ୍ୟାରେ ଘରକୁ ଖାଲି ହାତରେ ଫେରୁଛି। କାରଣ ଶହଶହ ଚାଷୀ ସାର ନେବା ପାଇଁ ଲ୍ୟାମ୍ପ୍‌ସରେ ଭିଡ ଜମାଉଥିବା ବେଳେ ଲ୍ୟାମ୍ପ୍‌ସ କର୍ତ୍ତୃପକ୍ଷ ଚାଷୀଙ୍କୁ ସାର ଦେବାରେ ଏକ ପ୍ରକାର ତତ୍ପରତା ଦେଖାଉ ନାହାଁନ୍ତି। ଯେଉଁଥିପାଇଁ ଚାଷୀ ପ୍ରତିଦିନ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଅନ୍ୟ ଲ୍ୟାମ୍ପ୍‌ସ ଗୁଡିକରେ ଅଧିକା ଦାମରେ ସାର ବିକ୍ରି ହେଉଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତେବେ ଏହାକୁ ରୋକିବା ପାଇଁ ଦାବି ହୋଇଛି। ଲ୍ୟାମ୍ପ୍‌ସକୁ କେବଳ ୟୁରିଆ ସାର ପ୍ରଦାନ କରି ମାର୍କଫେଡ ଚୁପ ରହିଛି। ଡିଏପି ସାରକୁ ଡିଲର ମାନଙ୍କୁ ଦେଇଥିବା ଜଣାପଡିଛି। ଡିଲର ମାନେ ଏହାକୁ ଚଢା ଦରରେ ଚାଷୀଙ୍କୁ ବିକ୍ରି କରୁଛନ୍ତି। ସାରର କଳାବଜାରି ରୋକିବା ନେଇ ବିଜେପିର କୋରକୋଣ୍ଡା ଜିଲ୍ଲା ପରିଷଦ ବିଜୟ ବୈରାଗୀ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଥିଲେ। ତେବେ ପ୍ରଥମେ ଲ୍ୟାମ୍ପ୍‌ସକୁ ସାର ଯୋଗାଇ ଦିଆଯାଉ ପରେ ଡିଲର କଥା ଚିନ୍ତା କରାଯାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର