‘ସମ୍ବାଦ’ ଫୋକସ୍, ଗରଦପୁର କୃଷି ବିଭାଗରେ କର୍ମଚାରୀ ମରୁଡ଼ି, ଚାଷୀକୁ ଭରସା ଭଗବାନ

ଗରଦପୁର: କୃଷି ଓ କୃଷକର ସଶକ୍ତିକରଣ ଯୋଜନା ପରେ ଯୋଜନା ଖଞ୍ଜି ଦେଉଛନ୍ତି ସରକାର। ଏପରିକି କୃଷି ବିଭାଗକୁ ୫-ଟି ଅଧୀନରେ ରଖାଯାଇଛି। ହେଲେ, ଗରଦପୁର ବ୍ଲକ୍‌ କୃଷି ବିଭାଗ ଭିନ୍ନ କଥା କହୁଛି। ଏଠାକାର ଅଚଳାବସ୍ଥା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବ୍ଲକ୍‌ କୃଷି ବିଭାଗରେ ଏକାଧିକ ଅଧିକାରୀ, କର୍ମଚାରୀ ପଦ ଖାଲି ପଡ଼ିଛି। ଏଥିଯୋଗୁ ନା ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରୁଛି ନା ଚାଷୀ ଆବଶ୍ୟକ ସୂଚନା କି ପରାମର୍ଶ ପାଇ ପାରୁଛି। ଏପରିକି ‘ଆତ୍ମା’ର ସୁପରିଚାଳନା ପାଇଁ ଆର୍ଥିକ ପରିଚାଳନା କ୍ଷମତା କାହାକୁ ଦିଆଯାଇନାହିଁ। ‘ଆତ୍ମା’ କର୍ମଚାରୀ ଦରମା ପାଉନାହାନ୍ତି। ଏଭଳି ସମସ୍ୟାର ପ୍ରତିକାର ପାଇଁ କାହାରି ଦୃଷ୍ଟି ପଡ଼ୁନି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। ଆସନ୍ତାକାଲି ଅକ୍ଷୟ ତୃତୀୟା। ଚାଷୀ କୃଷି କ୍ଷେତ୍ରକୁ ଯାଇ ବିହନ ଅନୁକୂଳ କରିବ। କୃଷି ବିଭାଗର ବୈଜ୍ଞାନିକ ପରାମର୍ଶକୁ ଆଧାର କରି ଅଧିକ ଅମଳ କରି ଶସ୍ୟ ଯୋଗାଇବ। ହେଲେ ଗରଦପୁର କୃଷି ବିଭାଗରେ କର୍ମଚାରୀ ମରୁଡ଼ି ଯୋଗୁ ଚାଷୀ ବୈଜ୍ଞାନିକ ପରାମର୍ଶ ପାଇବା ତ ଦୂରର କଥା ଆବଶ୍ୟକ ସୂଚନା ବି ପାଇ ପାରୁନି। ଏଭଳି ଅଚଳାବସ୍ଥା ଚାଷୀଙ୍କୁ ବିମୁଖ କରିଛି। ଗରଦପୁର ବ୍ଲକ୍ କୃଷି ବିଭାଗରେ କର୍ମଚାରୀ ଓ କୃଷି ଅଧିକାରୀଙ୍କ ସଙ୍କଟ ଯୋଗୁ ସରକାରଙ୍କ ବିଭାଗର ବିଭିନ୍ନ ଜନହିତକର ଯୋଜନା ସଫଳ କାର୍ଯ୍ୟକାରିତାରେ ବାଧା ସୃଷ୍ଟି ହେଉଛି। ୪ ମାସ ହେବ ବ୍ଲକ୍ କୃଷି ଅଧିକାରୀ ମଧୁସ୍ମିତା ଜେନା ମୟୁରଭଂଜକୁ ବଦଳି ହୋଇଯାଇଛନ୍ତି। ତାଙ୍କ ସ୍ଥାନରେ ଏଯାଏ କାହାକୁ ନିଯୁକ୍ତି ମିଳିନାହିଁ। ସେହିପରି ବର୍ଷେ ହେବ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି ମାର୍ଶାଘାକୁ ବଦଳି ହୋଇ ଯାଇଛନ୍ତି। ଏଥିସହିତ ୮ ମାସ ହେବ ଅନ୍ୟତମ ସହକାରୀ କୃଷି ଅଧିକାରୀ ପ୍ରିୟବ୍ରତ ଜେନା ଅନ୍ୟତ୍ର ବଦଳି ହୋଇ ଯିବା ପରେ ୨ଟି ଯାକ ସହକାରୀ କୃଷି ଅଧିକାରୀ ପଦବି ମଧ୍ୟ ଖାଲି ପଡ଼ିଛି।

ସେହିପରି ବ୍ଲକ୍‌ର ୧୮ଟି ପଂଚାୟତ‌‌ରେ ୯ ଜଣ ଭିଏଡ଼ବ୍ଲୁ ପରିବର୍ତ୍ତେ ମାତ୍ର ୫ ଜଣ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ଭିଏଡ଼ବ୍ଲୁ ବିକାଶ ଜେନାଙ୍କ ପଦୋନତି ହେବାରୁ ସେ ବଦଳି ହୋଇ ଚାଲିଯାଇଛନ୍ତି। ଏବେ ମାତ୍ର ୪ ଜଣ ଭିଏଡ଼ବ୍ଲୁ ୧୮ଟି ପଂଚାୟତର ଦାୟିତ୍ବ ବୁଝୁଛନ୍ତି। ଏଥିଯୋଗୁ ସେମାନେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଜଣେ ମାତ୍ର କୃଷି ଓଭରସିୟର ଅମରେନ୍ଦ୍ର ସିଂ ସହକାରୀ କୃଷି ଅଧିକାରୀ ଭାବରେ ଦାୟିତ୍ବ ତୁଲାଉଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ କ୍ଷେତ୍ରରେ ବୁଲି କାର୍ଯ୍ୟ କରିବାକୁ ତାଙ୍କୁ ମନା। କର୍ମଚାରୀ ସଙ୍କଟ ଯୋଗୁ କୃଷି ବିଭାଗରେ ଏବେ ଚାଲିଥିବା ଜଳନିଧି ଯୋଜନା, ଏନଏଫଏସଏମ, ମୁଗ ଯୋଜନା ଓ ଅଏଲ ସିଡ୍‌ ଚିନାବାଦମ ଯୋଜନା କାର୍ଯ୍ୟକାରୀ କରିବାରେ ଘୋର ଅସୁବିଧା ସୃଷ୍ଟି ହେଉଛି ବୋଲି ବ୍ଲକ୍ ‘ଆତ୍ମା’ ଅଧ୍ୟକ୍ଷ ଦୀପକ ରାଉତ ସୂଚନା ଦେଇଛନ୍ତି। ଏପରିକି ‘ଆତ୍ମା’ର ସୁପରିଚାଳନା ପାଇଁ ଆର୍ଥିକ ପରିଚାଳନା କ୍ଷମତା କାହାକୁ ଦିଆଯାଇନାହିଁ ବୋଲି ଜଣାପଡ଼ିଛି। ସେଥିପାଇଁ ‘ଆତ୍ମା’ର କର୍ମଚାରୀ ଦାମା ପାଉନାହାନ୍ତି। ‘ଆତ୍ମା’ର ଆବାହକ ଓ କୃଷି ଅଧିକାରୀ କେହି ନ ଥିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଛି। ଅକ୍ଷୟ ତୃତୀୟା ଆସିଥିଲେ ମଧ୍ୟ ଖରିଫ ବିହନ ଯୋଗାଣ ବ୍ୟାହତ ହେବାର ଆଶଙ୍କା ରହିଛି। ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଆତ୍ମା ଅଧ୍ୟକ୍ଷ ଶ୍ରୀ ରାଉତ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର