ଖୋର୍ଦ୍ଧା: ଖଣି ଆଇନର ସ୍ପଷ୍ଟ ନିର୍ଦେଶ ଖଣି ଖନନ ଯୋଗୁ କୌଣସି ଚାଷ ଜମି ନଷ୍ଟ ହେବ ନାହିଁ। କିନ୍ତୁ ଖଣି ମାଲିକ ଖଣି ଖନନ ମାଲିକାନା ପାଇବା ପରେ ଏହାର ଖୋଲା ଉଲ୍ଲଂଘନ କରିଛନ୍ତି, କେବଳ ଏହାନୁହେଁ ଏନେଇ ଉଚ୍ଚନ୍ୟାୟାଳୟ ଦେଇଥିବା ନିର୍ଦେଶକୁ ମଧ୍ୟ ମାନୁ ନାହାନ୍ତି। ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ପୁଲିସ କିମ୍ବା ରାଜସ୍ୱ ବିଭାଗ ଉକ୍ତ ଖଣି ଖନନକାରୀ ସଂସ୍ଥା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଭଳି ଏକ ଘଟଣା ଘଟିଛି ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁ ଗ୍ରାମରେ। ଗାଁ ନିକଟରେ ଏକ ଖଣି ଖନନକାରୀ ସଂସ୍ଥା ଜୁଲାଇ ମାସରେ ଖଣି ଖନନ ଆରମ୍ଭ କରିଛି। ମୁଣ୍ଡିଆ ନିକଟରେ ଚାଷ ଜମି, କିନ୍ତୁ ଖଣି ମାଲିକ ଚାଷ ଜମି ଉପରେ ଜେସିବି, ଟ୍ରାକ୍ଟର, ଟ୍ରକ୍ ଆଦି ଚଲାଇ ସ୍ୱପ୍ନେଶ୍ୱର ଭୋଳ, ରବୀନ୍ଦ୍ର ଭୋଳଙ୍କ ୪ ଏକର ଜମି ନଷ୍ଟ କରି ସାରିଲେଣି। ପୂର୍ବେ ଏନେଇ ସେମାନେ ସ୍ଥାନୀୟ ଥାନା ଓ ରାଜସ୍ୱ ଅଧିକାରୀଙ୍କୁ ଜଣାଇଥିଲେ, କିନ୍ତୁ କେହି ନଶୁଣିବାରୁ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚନ୍ୟାୟାଳୟ ଆବେଦନକୁ ଗ୍ରହଣ କରିବା ସହ ଉକ୍ତ ଖଣି ଖନନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅନୁଭବ କରିଥିଲେ।

Advertisment

ଅଗଷ୍ଟ ୧୯ ତାରିଖରେ ମାମଲାର ବିଚାର କରି, ଆସନ୍ତା ୧୦ ଦିନ ମଧ୍ୟରେ ଖୋଦ୍ ଜିଲ୍ଲାପାଳ ନିକଟରେ ଉପସ୍ଥିତ ରହି ଆବେଦନ କରିବା ସହ ଯଦି ରାଜସ୍ୱ ବିଭାଗ ଖଣି ଖନନ ପାଇଁ ଅନୁମତି ଦେଇଛନ୍ତି ତେବେ କ୍ଷତିଗ୍ରସ୍ତ ଚାଷୀ ଓ ଖଣି ସଂସ୍ଥା ଉଭୟଙ୍କ ପକ୍ଷ ଠାରୁ ଆପତ୍ତି ଓ ଅଭିଯୋଗ ଶୁଣି ୧ ମାସ ମଧ୍ୟରେ ମାମଲାର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। କିନ୍ତୁ ଏହା ମଧ୍ୟରେ ୧ ମାସରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ସ୍ୱପ୍ନେଶ୍ୱର ଭୋଳ ଅଭିଯୋଗ କରିଛନ୍ତି। ପୁରୁଣା ଜିଲ୍ଲାପାଳଙ୍କ ବଦଳି ହୋଇଯାଇଥିବାରୁ ପୁଣି ଥରେ ନୂତନ ଜିଲ୍ଲାପାଳଙ୍କୁ ଏନେଇ ଅନୁରୋଧ କରିବାକୁ ଆସିଛନ୍ତି ବୋଲି ସେ କହିଛନ୍ତି।