ହରିଚନ୍ଦନପୁର : ଟୋକନ ଅବଧି ଶେଷ ହୋଇଥିବା ଚାଷୀଙ୍କଠାରୁ ଧାନ କିଣିବା ଦାବିରେ ଆଜି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନରଣପୁର-ଡୁବୁରି ରାସ୍ତାର ହରିଚନ୍ଦନପୁର ବାଇପାସ୍ ଛକରେ ବଡ଼ପଳାଶପାଳ ଓ ଭଅଁରପୁର ପଞ୍ଚାୟତର ମହିଳା ଓ ପୁରୁଷ ଚାଷୀମାନେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିି ଠିଆ ହୋଇଥିଲା।
ଚାଷୀଙ୍କ କହିବା ଅନୁସାରେ, ସେମାନଙ୍କୁ ଧାନ ବିକିବାପାଇଁ ଟୋକନ ମିଳିଥିଲା। ଲ୍ୟାମ୍ପସ ଧାନ ନ କିଣିବାରୁ ସେମାନଙ୍କ ଟୋକନ ଅବଧି ଶେଷ ହୋଇଯାଇଛି। ସରକାରଙ୍କ ଭୁଲ୍ ଯୋଗୁଁ ସେମାନେ ଧାନ ବିକ୍ରି କରିପାରିଲେ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଟୋକନ ଅବଧି ଶେଷ ହୋଇଥିବା ଚାଷୀଙ୍କୁ ପୁଣି ଟୋକନ ଦେଇ ସେମାନଙ୍କ ଧାନ କିଣିବା ଦାବିରେ ବନିତା ପାଇକରାୟ, ବାସନ୍ତୀ ସାହୁ, ସତ୍ୟଭାମା ସାହୁ, କଳାବତୀ ପାଇକରାୟ, ସଞ୍ଜ ବେହେରା, ସସ୍ମିତା ମହାନ୍ତ, ଲୀଳାବତୀ ସାହୁ, ନୁଥମଣି ବିଶ୍ଵାଳ, ସଂଯୁକ୍ତା ବେହେରା, ପ୍ରମିଳା ସାହୁ, ଆନନ୍ଦ ସାହୁ, ଅକ୍ଷୟ ସାହୁ, ଭିକାରି ପାଇକରାୟ, ତ୍ରିଲୋଚନ ମହାନ୍ତ, ମହାନନ୍ଦ ସାହୁ, ସଂଜୟ ସାହୁ, ପ୍ରତାପ ସାହୁ, ରଂଜନ ନାୟକ, ଚିନ୍ତାମଣି ମହାନ୍ତ, କରୁଣାକର ମହାନ୍ତ, ନନ୍ଦକିଶୋର ସାହୁ ଓ ନିତ୍ୟାନନ୍ଦ ଗିରି ପ୍ରମୁଖ ନରଣପୁର-ଡୁବୁରି ରାସ୍ତାର ହରିଚନ୍ଦନପୁର ବାଇପାସ୍ ଛକରେ ରାସ୍ତା ଅବରୋଧ କରିଥିଲେ। ଯେଉଁ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଛି ସେମାନଙ୍କୁ ପୁଣି ଟୋକନ ପ୍ରଦାନପାଇଁ ସରକାରଙ୍କୁ ଚିଠି ଲେଖାଯାଇଛି। ଟୋକନ ଆସିଲେ ଚାଷୀଙ୍କଠାରୁ ଧାନ କିଣାଯିବ ବୋଲି ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଶାନ୍ତ କୁମାର ସେଠୀ ଓ ଘଟଗାଁ ଏସ୍ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।