ଖୋର୍ଦ୍ଧା: ତମାଣ୍ଡୋ ନିକଟସ୍ଥ ନନପୁଟ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ନେଇ ସରପଂଚ ଓ ଗ୍ରାମ୍ୟ କମିଟି ସଭାପତିଙ୍କ ସମେତ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Advertisment

ନନପୁଟ ଏସସିଏସର ପୂର୍ବତନ ସଭାପତି ସୁଧାଂଶୁ ଶେଖର ବଡ଼ଜେନା, ନନପୁଟ ପଂଚାୟତ ସରପଂଚ ସୁରେନ୍ଦ୍ରନାଥ ଜଗଦେବ, ଗ୍ରାମ୍ୟ କମିଟି ସଭାପତି ରବୀନ୍ଦ୍ର କୁମାର ମହାପାତ୍ର ଆଦିଙ୍କ ସ୍ୱାକ୍ଷରିତ ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ ଅନଲାଇନ ପଂଜୀକରଣରେ ଚାଷୀଙ୍କୁ ୨୮ ଡିସେମ୍ବର, ୪, ୧୧, ୧୮ ଓ ୨୫ ଜାନୁଆରୀ ପାଇଁ ଟୋକେନ୍ ମିଳିଥିଲା ।

ଡିସେମ୍ବର ୨୮ ତାରିଖରେ ଧାନମଣ୍ଡି ସହ ଅନୁବନ୍ଧିତ ଥିବା ମିଲର ଏମ୍କେ ମିନରାଲ୍ ଆଣ୍ଡ ମେଟାରିଆଲ୍ ୨୨୦୦ କ୍ୱିଂଟାଲ୍ ଧାନ କିଣିବାକୁ କୁହାଯାଇଥିଲା । କିନ୍ତୁ ଯୋଗାଣ ବିଭାଗ ଏହି ଦିନ ୨୨୦୦ କ୍ୱିଂଟାଲ୍ ପରିବର୍ତେ ୬୦୦ କ୍ୱିଂଟାଲ୍ ଧାନ କିଣିଥିଲେ । ଫଳରେ ସେହିଦିନ ଟୋକେନ୍ ମିଳିଥିବା ୬୧ ଚାଷୀ ଧାନ ନେଇ ମଣ୍ଡିରେ ପହଂଚିଥିବା ବେଳେ ମିଲର କେବଳ ୧୫ଜଣଙ୍କ ଠାରୁ ୫୫୫ କ୍ୱିଂଟାଲ୍ ଧାନ କିଣିଥିଲା ।

ଏନେଇ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିବାରେ ମିଲର ପରିବର୍ତନ କରାଯାଇ ଜାନୁଆରୀ ୪ ତାରିଖରେ ଧାନ ସଂଗ୍ରହ କରାଗଲା । ୨୮ ତାରିଖରେ ଟୋକେନ୍ ପାଇ ଧାନ ବିକ୍ରି କରିନଥିବା ଚାଷୀଙ୍କ ଭାଗକୁ ବଳକା ଥିବା ପ୍ରାୟ ୧୫୦୦ କ୍ୱିଂଟାଲ୍ ଧାନ ୪ ତାରିଖର ଚାଷୀଙ୍କ ଖାତାରେ ଯୋଡ଼ି ହୋଇଯାଇଥିଲା ।

ଏନେଇ ଅସନ୍ତୋଷ ସୃଷ୍ଟି ହେବାରୁ ପର୍ଯ୍ୟାୟ କ୍ରମେ ଧାନ ନିଆଯାଇନଥିବା ଚାଷୀଙ୍କ ଠାରୁ ଧାନ ନେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । କିନ୍ତୁ ଜଣେ ମିଲରକୁ ଧାର୍ଯ୍ୟ ହୋଇଥିବା ଧାନ ସହ ଅତିରିକ୍ତ ଧାନ କିଣିବା ସମ୍ଭବ ନଥିବାରୁ ଦୁଇ ଜଣ ମିଲରଙ୍କୁ ସେହି ମଣ୍ଡିରେ ଅନୁବନ୍ଧିତ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ବୋଲି ସୁଧାଂଶୁ ଶେଖର ବଡ଼ଜେନା କହିଛନ୍ତି ।