ଲୁହରାଘାନିରେ ଜଳସେଚନ ପ୍ରକଳ୍ପ ସ୍ଥାପନ ଦାବି, ବିଧାୟକଙ୍କୁ ଚାଷୀ ଦେଲେ  ୨ଦଫା ଦାବିପତ୍ର

ଭବାନୀପାଟଣା: ଚଳିତ ବର୍ଷର ବିଳମ୍ବିତ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଥିବାବେଳେ ଲଗାତାର ବର୍ଷାଭାବ ଯୋଗୁଁ ଚାଷୀର ଦୁଃଖ ଆହୁରି ବଢିଯାଇଛି । ତେବେ ଚିର ମରୁଡି ପ୍ରପୀଡିତ ଓ ଜଳସେଚନର କୌଣସି ସୁବିଧା ନଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ଗୋପାଳପୁର, ଭାଲୁଚଞ୍ଚରା ଓ ପାଟଭାଲେର ଗାଁର ଚାଷୀମାନଙ୍କ ପାଇଁ ଚାଷକାମ ଏବେ କ୍ଷତିଜନକ ବେଉସା ପାଲଟିଛି । ଚାଷକାମ ସେମାନଙ୍କର ଏକମାତ୍ର ବେଉସା ହୋଇଥିବାରୁ ବାରମ୍ବାର କ୍ଷତିଗ୍ରସ୍ତ ହେବା ସତ୍ତ୍ୱେ ସେମାନେ ଚାଷ ଛାଡି ପାରୁନାହାନ୍ତି । ବର୍ଷା ହେଲେ ମାତ୍ର ଗୋଟିଏ ବୋଲି ଖରିଫ୍ ଚାଷ କରିପାରୁଥିବା ଏହି ତିନୋଟି ଗାଁର ଚାଷୀମାନେ ଜଳସେଚନର ସ୍ଥାୟୀ ବ୍ୟବସ୍ଥା ପାଇଁ ଗତ ୨୦ ବର୍ଷ ହେଲା ସଂଘର୍ଷ କରୁଥିବାବେଳେ ଆଜିଯାଏଁ ଏହାର ସମାଧାନ ହୋଇପାରୁନାହିଁ ।

ପୂର୍ବ ଦିଗରେ ମାତ୍ର ଅଧ କିମି ଦୂରରେ ସାନ୍ଦୁଲ ନଦୀ, ଦକ୍ଷିଣ-ପଶ୍ଚିମ ଦିଗରେ ମାତ୍ର ଦଶ କିମି ଦୂରରେ ରେତ୍ ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି ସତ କିନ୍ତୁ ପାଟି ପାଖରେ ପାଣି ଥାଇ ଶୋଷରେ ଆଉଟୁପାଉଟୁ ହେବାଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଏହି ତିନୋଟି ଗାଁର ପ୍ରାୟ ଚାରିିଶହ ଚାଷୀ । ଏ ନେଇ ବାରମ୍ବାର ଦାବି ଓ ଆନ୍ଦୋଳନ ପରେ ବି ଆଜିଯାଏଁ ଏହାର ସମାଧାନ ହୋଇପାରିନାହିଁ । ଏହାକୁ ନେଇ ଚାଷୀମାନେ ଏ ଅଫିସରୁ ସେ ଅଫିସ ଦୌଡୁଛନ୍ତି ସତ କିନ୍ତୁ ଜଳସେଚନର ସ୍ଥାୟୀ ସମାଧାନ ବାହାରି ପାରୁନାହିଁ ।

ଆଜି ଅଞ୍ଚଳରେ ସ୍ଥାୟୀ ଜଳସେଚନର ବ୍ୟବସ୍ଥା ପାଇଁ ଅଞ୍ଚଳର ଚାଷୀମାନେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କୁ ସାକ୍ଷାତ କରି ଦୁଇଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରିଛନ୍ତି । ଅଞ୍ଚଳର ଦାବି ଅନୁଯାୟୀ, ଏହି ତିନୋଟି ଗାଁକୁ ଜଳସେଚନ ପାଇଁ ସାନ୍ଦୁଲ ନଦୀ ବହିଯାଉଥିବା ପାଟଭାଲେର ଗାଁ ନିକଟସ୍ଥ ଲୁହରାଘାନିଠାରେ କଳାହାଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ଏକ ଆନିକଟ ନିର୍ମାଣ ସହ କେନାଲ ଯୋଗେ ଜଳସେଚନ ବ୍ୟବସ୍ଥା ନଚେତ୍ ଜିଲ୍ଲା ଉଠାଜଳସେଚନ ବିଭାଗ ଦ୍ୱାରା ସେଇ ଲୁହରାଘାନିଠାରେ ମେଗା ଜଳସେଚନ ପ୍ରକଳ୍ପ ସ୍ଥାପନ କରିବାକୁ ଦାବି କରିଛନ୍ତି । ଏହାସହିତ ଚାଷୀମାନେ ପ୍ରକଳ୍ପ ସ୍ଥାପନ ପାଇଁ ଜମି ଅଧିଗ୍ରହଣ କରାଗଲେ କୌଣସି ଆପତ୍ତି ନଥିବା ଦର୍ଶାଇଛନ୍ତି ।

ବିଧାୟକ ଶ୍ରୀ ଦିଶାରି ଚାଷୀମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିବା ସହିତ ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରି ତ୍ୱରିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିନିମନ୍ତେ ଏକ ଚାଷୀ ପ୍ରତିନିଧି ଦଳରେ ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ଯୁବଲେଖକ ଓ ସମାଜସେବୀ ସୁଶୀଲ କୁମାର ବାଗ, ବିଜୟ କୁମାର ପାଢୀ, ପୁରୁଷୋତ୍ତମ ପୁଟେଲ, ଅନୀଲ କୁମାର ପାଢୀ, ସୁରେଶ କରୁଆଁ, ନୀଳମଣି ପୁଟେଲ, ଭିକାରୀ ପଧାନ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିବାବେଳେ ବିଧାୟକଙ୍କ ପ୍ରତିନିଧି ଋତୁରାଜ ମାଝୀ, ପୂର୍ବତନ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର