ଲ୍ୟାମ୍ପ ନିକଟରେ ସାସ୍ ନଥିବାରୁ ମଣ୍ଡିକୁ ଧାନ ନେଇ ବିକି ପାରୁନାହାନ୍ତି ଚାଷୀ

ଶତାଧିକ କାଳିଆଗାଁ ଚାଷୀ ସହକାରୀ ଯୋଗଣ ଅଧିକାରୀଙ୍କୁ ଘେରିଲେ

ଜୟପୁର: ଟକୋନ ମିଳିଛି। ଟକୋନର ଧାର୍ଯ୍ୟ ସମୟ ମଧ୍ୟରେ ଏବେ ଧାନ ବିକ୍ରି କରିବାକୁ ମଣ୍ଡିକୁ ଚାଷୀ ଗଲା ବେଳେ କ୍ରୟକାରୀ ସଂସ୍ଥା ଧାନ କିଣିବା ପାଇଁ ସାସ୍ ମିଳିନି ବୋଲି କହୁଛି। ଚାଷୀଙ୍କ ନିକଟରେ ଯେତିକି ପରିମାଣର ଧାନ ଗଚ୍ଛିତ ରହିଛି ସେଥିକି ଧାନକୁ ଏହି ସ୍ଥିତିରେ ଚାଷୀ ମାନେ କେଉଁଟିକୁ ନେଇ ବିକ୍ରି କରିବୁ ବୋଲି ପ୍ରଶ୍ନ କରିଛନ୍ତି। ମଣ୍ଡିରେ ଧାନ ଜମା କରି ରଖିବା ପାଇଁ ଅନୁସଙ୍ଗିକ ଭିତ୍ତିଭୁମିର ସୁଧାର ହୋଇନି। ଖୋଲାମେଲା ଜାଗାରେ ଧାନକୁ ରଖିଲେ ଅଚାନକ ବର୍ଷାରେ ଭିଜିଗଲେ ଆଦ୍ରାତା ଅଧିକା ରହିଛି କହି ଅଧିକା କଟନି ଛଟନି କରାଯିବ। ଆମେ କ୍ଷତିରେ ପଡ଼ିବୁ। ତେଣୁ କ୍ରୟକାରୀ ସଂସ୍ଥାକୁ ତୁରନ୍ତ ସାସ୍ ଦିଅ୍ ନଚେତ ଆମ ଟାକୋନର ସମୟ ବି ଚାଳିଯିବ। ଆମେ ଆଉ ଧାନ ବିକ୍ରି କରି ପାରିବୁ ନାହିଁ।

କାଳିଆ ଗାଁ ଅଞ୍ଚଳର ଶତାଧିକ ଚାଷୀ ଆଜି ଏଭଳି ଅଭିଯୋଗ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କ ଅନୁପସ୍ଥିତିରେ ସହକାରୀ ଯୋଗାଣ ଅଧିକାରୀ ପ୍ରିୟମ୍ବଦା ବେହେରାଙ୍କୁ ଭେଟି ନିଜ ନିଜ ଧାନ କେଉଁଟି ବିକ୍ରି କରିବେ ବୋଲି ପ୍ରଶ୍ନ କରି ତାଙ୍କୁ ଘେରିଥିଲେ। କେଉଁ ମଣ୍ଡିରେ କେତେ ଚାଷୀ ରହିଛନ୍ତି। କେଉଁ ଦିନ କେଉଁ ମଣ୍ଡିରେ କେତେ ଚାଷୀ କ‌େତେ କୁଇଣ୍ଟାଲ ଧାନ ବିକ୍ରି କରିଲେ ଏବଂ କେତେ ଚାଷୀ ଧାନ ବିକ୍ରି କରି ନ ପାରି ବଳକା ରହିଛନ୍ତି ତାହାର କିଛି ହିସାବ କିତାବ ଜିଲ୍ଲା ଯୋଗାଣ ବିଭାଗ ଓ ପ୍ରଶାସନ ରଖୁ ନାହିଁ କି ବୋଲି ଚାଷୀ ମାନେ ପ୍ରଶ୍ନ କରିଥିଲେ। ଚାଷୀଙ୍କ ସଂଖ୍ୟା, କରିଥିବା ଜମିରେ ଉତ୍ପାଦିତ ଧାନର ପରିମାଣକୁ ନେଇ କ୍ରୟକାରୀ ସଂସ୍ଥାକୁ ସାସ୍ ଦେବା କଥା। ତେବେ କାହିଁକି ଅଳ୍ପ ଅଳ୍ପ କରି ସାସ୍ ଦିଆଯାଇ ଚାଷୀଙ୍କୁ ହଇରାଣ ହରକତ କରାଯାଉଛି ବୋଲି ଚାଷୀ ମାନେ କହିଥିଲେ। ମଣ୍ଡି ଗୁଡିକରେ ଧାନ ବିକ୍ରୀ କରିବା ପାଇଁ ଚାଷୀଙ୍କ ମଧ୍ୟରେ ଟଣାଓଟରା ଓ ମାରପିଟ୍ ହେବାକୁ ପଡ଼ୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଥିଲେ। ୨୨୦୦ କ୍ବିଣ୍ଟାଲ ଧାନ କାଳିଆ ଗାଁ ମଣ୍ଡିରେ ବିକ୍ରି କରିବାକୁ ବାକି ରହିଥିବା ବେଳେ ୭୦୦ କ୍ବିଣ୍ଟାଲ ଧାନ କିଣିବାକୁ ଲ୍ୟାମ୍ପକୁ ସାସ୍ ଦେବା କେତେ ଦୁର ଯୁକ୍ତି ଯୁକ୍ତ ବୋଲି ଚାଷୀମାନେ ପ୍ରଶ୍ନ କରିଥିଲେ।

ତେବେ ସବୁ ଧାନ କିଣିବା ପାଇଁ କ୍ରୟକାରୀ ସଂସ୍ଥା ଉମୁରୀ ଲ୍ୟାମ୍ପକୁ ସାସ୍ ଦିଆସରିଛି, ଆଜି ଠାରୁ ହିଁ ଉମୁରୀ ଲ୍ୟାମ୍ପ ଧାନ ଉଠାଇବ ବୋଲି ପ୍ରତିଶ୍ରୃତି ଦେଇଥିଲେ ସହକାରୀ ଯୋଗଣଅଧିକାରୀ। ସୂଚନା ଯୋଗ୍ୟ, ଜିଲ୍ଲାରେ ୧୫ହଜାର ୧୫୬ଜଣ ଚାଷୀ ରବିରେ ଧାନ ବିକ୍ରି କରିବାକୁ ପଞ୍ଜୀକୃତ କରିଥିଲେ। ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ୧ମ ପର୍ଯ୍ୟାୟରେ ୧୦ଲକ୍ଷ ୩୭ହଜାର ୩୧ ମେଟ୍ରୀକ ଟନ୍, ୨ୟ ପର୍ଯ୍ୟାୟରେ ୧୦ହଜାର ୪୪୭ ଏମଟି, ୩ୟ ପର୍ଯ୍ୟାୟରେ ୭ହଜାର ୪୬୨ଏମଟି, ୪ର୍ଥ ପର୍ଯ୍ୟାୟରେ ୧୪୯୨ଏମଟି ଧାନ ଏଭଳି ୧୨ ଲକ୍ଷ ୩୧ ହଜାର ମେଟ୍ରୀକ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଦିଆଯାଇଥିଲା। ୧୪ହଜାର ୬୪୧ଜଣ ଚାଷୀଙ୍କ ଠାରୁ ଏବେ ପର୍ଯ୍ୟନ୍ତ ୧୨ଲକ୍ଷ୨୦ହଜାର ୩୭୮ମେଟ୍ରିକ ଟନ୍ ଧାନ ଉଠି ସାରିଛି ବୋଲି ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଅଳ୍ପ କିଛି ଜଣ ଚାଷୀ ନିଜ ଧାନ ବିକ୍ରି କରି ପାରିନାହାନ୍ତି। ତେବେ ସବୁ ଚାଷୀଙ୍କର ଧାନ କିଣାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡା।

ସମ୍ବନ୍ଧିତ ଖବର