କେନ୍ଦ୍ରାପଡା/ପଟ୍ଟାମୁଣ୍ଡାଇ: ପୁଣି ଚର୍ଚ୍ଚାକୁ ଆସିଛି ପଟ୍ଟାମୁଣ୍ଡାଇ ତହସିଲ। ବେଆଇନ ଇଟାଭାଟି ରୋକିବାରେ ସଂପୂର୍ଣ୍ଣ ଫେଲ୍ ମାରିଥିବା ଏହି ତହସିଲ୍ ଏବେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ବାଣ୍ଟିବାରେ ବି ବିଫଳ ହୋଇଛି। ତହସିଲର ଏଭଳି ଅପାରଗତା ପାଇଁ ଏବେ ପାଖାପାଖି ୩କୋଟି ଟଙ୍କା ଫେରିଯିବାକୁ ବସିଛି। ରାଜ୍ୟ ସରକାର ଟଙ୍କା ଫେରସ୍ତ ଚିଠି କରିବା ପରେ ଜିଲ୍ଲା ପ୍ରଶାସନ ତନାଘନା କରିଛି। ଖୋଦ୍ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ ଆଜି ତହସିଲକୁ ଯାଇ ଏତାଦୃଶ ଅବେହଳା ପାଇଁ ବିରକ୍ତି ପ୍ରକାଶ କରିବା ସହିତ ତୁରନ୍ତ ଚାଷୀଙ୍କୁ ଟଙ୍କା ବାଣ୍ଟିବାକୁ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ତାଗିଦ୍ କରିଥିବା ସୂଚନା ମିଳିଛି। ହେଲେ ଯେଉଁଠି ଆର୍ଡିସିଙ୍କ ନିର୍ଦ୍ଦେଶ ଆଉ ବିଧାୟକଙ୍କ ହସ୍ତକ୍ଷେପ ପରେ ବି କ୍ଷତିପୂରଣ ରାଶି ଚାଷୀଙ୍କୁ ବଣ୍ଟାଯାଇପାରିଲା ନାହିଁ, ସେଠି ଧରିନେବାକୁ ପଡ଼ିବ ଯେ ପଟ୍ଟାମୁଣ୍ଡାଇ ତହସିଲ୍ ସଂପୂର୍ଣ୍ଣ ସ୍ଥାଣୁ ଓ ପଙ୍ଗୁ ପାଲଟି ଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ-ଦୁର୍ଦ୍ଦଶା ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଆଦୌ ବିଚଳିତ କରୁନାହିଁ। ଗତ କିଛି ମାସ ତଳେ ବେଆଇନ ଇଟାଭାଟି ବନ୍ଦ କରିବାରେ ବିଫଳ ହେବାକୁ ନେଇ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ତହସିଲଦାର ଶ୍ରୀ ସେଠୀ। ଇଟା ମାଫିଆଙ୍କ ବିରୋଧରେ ଗୁହାରି କରିବାକୁ ଆସିଥିବା ଆନ୍ଦୋଳନକାରୀଙ୍କୁ ତହସିଲଦାର ନାଲିଆଖି ଦେଖାଇବା ସହିତ ଚାପୁଡ଼ା ମାରିବା ଘଟଣା ସେତେବେଳେ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏବେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ବାଣ୍ଟି ନପାରିବାର ଦୁର୍ନାମ ମୁଣ୍ଡାଇବାକୁ ଯାଉଛି ପଟ୍ଟାମୁଣ୍ଡାଇ ତହସିଲ। ଟଙ୍କା ଫେରସ୍ତ ଚିଠି ଆସିବା ପରେ ଯଦିଓ ଅତିରିକ୍ତ ଜିଲ୍ଳାପାଳ ପୀତାମ୍ବର ସାମଲ ତହସିଲ୍ ଯାଇ ତନାଘନା କରିବା ସହିତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ବାଣ୍ଟିବାକୁ ତହସିଲଦାରଙ୍କୁ ତାଗିଦ୍ କରିଛନ୍ତି, କିନ୍ତୁ ତାହା ଯେ ପଟ୍ଟାମୁଣ୍ଡାଇ ତହସିଲର ଦୁର୍ବଳ ବ୍ୟବସ୍ଥା ତଥା ଚାଷୀ ପ୍ରତି ଅସମ୍ବେଦନଶୀଳତା ନୀତିକୁ ପଦାରେ ପକାଇ ଦେଇଛି ଏ କଥାକୁ ଅସ୍ବୀକାର କରାନଯାଇପାରେ। ଗତବର୍ଷ ଡିସେମ୍ବରରେ ଜୱାଦ୍ ବାତ୍ୟା ଯୋଗୁ ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଉତିକଣଭେଡ଼ା ସମେତ ପଟ୍ଟାମୁଣ୍ଡାଇ ତହସିଲର ୧୩ଟି ଆରଆଇ ସର୍କଲରେ ଥିବା ଜଳସେଚିତ ଓ ଅଣଜଳସେଚିତ କରାଯାଇଥିବା ଧାନ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଥିଲା। ପାଚିଲା ଧାନ ପାଣିରେ ସପ୍ତାହ ଯାଏ ବୁଡି ରହିବାରୁ ହଜାର ହଜାର ହେକ୍ଟର ଧାନ ଫସଲ ଗଜା ହେଇ ନଷ୍ଟ ହେଇଯାଇଥିଲା। ଫଳରେ ପଟ୍ଟାମୁଣ୍ଡାଇ ତହସିଲ ୧୩ଟି ସର୍କଲର ୧୨ଟି ରାଜସ୍ବ ଗ୍ରାମର ପାଖାପାଖି ୧୫ ହଜାର ଚାଷୀ ସର୍ବସ୍ବାନ୍ତ ହୋଇପଡିଥିଲେ। ରାଜ୍ୟ ଓ କେନ୍ଦ୍ର ଟିମ୍ କ୍ଷତିଗ୍ରସ୍ତ କ୍ଷେତ ପରିଦର୍ଶନ କରି ଧାନ ଫସଲର କ୍ଷୟକ୍ଷତି ଆକଳନ କରିଥିଲେ। ଏହି କ୍ରମରେ ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲ୍ଲାକୁ ଯେଉଁ କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ, ସେଥିମଧ୍ୟରୁ ପଟ୍ଟାମୁଣ୍ଡାଇ ତହସିଲକୁ ମିଳିଥିଲା ସାଢ଼େ ୮ କୋଟି ଟଙ୍କା। ହେକ୍ଟର ପିଛା ଜଳସେଚିତ ଜମି ପାଇଁ ୧୩ ହଜାର ୬ଶହ ଓ ଅଣ ଜଳସେଚିତ ଜମି ପାଇଁ ୬ ହଜାର ୮ଶହ ଟଙ୍କା ଦେବାକୁ ଚାଷୀଙ୍କୁ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ଥିଲା।
ମାତ୍ର ତହସିଲଦାରଙ୍କ କାଳକ୍ଷେପଣ ନୀତି ଯୋଗୁ ଟଙ୍କା ବଂଟା ହୋଇନପାରି ୭ ମାସ ପଡିରହିଲା। ବିଭିନ୍ନ ଚାଷୀ ସଂଗଠନ ସମେତ ପଟ୍ଟାମୁଣ୍ଡାଇ ପ୍ରେସ କ୍ଲବ ଏ ସଂକ୍ରାନ୍ତରେ ଜିଳ୍ଲାପାଳଙ୍କୁ ଅଭିଯୋଗ ଆଉ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ହସ୍ତକ୍ଷେପ ଓ ତାଗିଦ ପରେ ଗତ ଜୁଲାଇରୁ ପଟ୍ଟାମୁଣ୍ଡାଇ ତହସିଲ ଚାଷୀଙ୍କୁ କ୍ଷତିପୂରଣ ରାଶି ବାଣ୍ଟିବା ଆରମ୍ଭ କଲା। ଏପର୍ଯ୍ୟନ୍ତ ବିଭିନ୍ନ କିସ୍ତିରେ ତହସିଲ ସାଢ଼େ ୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଆଉ ୩ କୋଟି ଟଙ୍କା ବାଣ୍ଟି ପାରିନାହିଁ। ବଡ଼ କଥା ହେଉଛି, ଏହି ମାସ ସୁଦ୍ଧା ବାଣ୍ଟି ନ ପାରିଲେ ଟଙ୍କା ଫେରାଇ ଦେବାକୁ ରାଜ୍ୟ ସରକାର ଚିଠି କରିଛନ୍ତି। ତହସିଲଦାର ଶ୍ରୀ ସେଠୀ କହିଛନ୍ତି ଯେ କିଛି ଚାଷୀଙ୍କ ଆକାଉଣ୍ଟ୍ ନମ୍ବର ଭୁଲ୍ ଅଛି। ତା’ ଛଡ଼ା ଟଙ୍କା ଆଉ ଦେବାର ଆବଶ୍ୟକତା ନାହିଁ। ଯେଉଁ କେଶ ରେକର୍ଡଗୁଡିକୁ ଜିଳ୍ଲାପାଳ ଅନୁମୋଦନ କରିଛନ୍ତି, ସେହି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇଛି। ଅନ୍ୟପକ୍ଷରେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ କହିଛନ୍ତି ଚାଷୀଙ୍କ ପାଇଁ ଆସିଥିବା ଟଙ୍କା କୌଣସି ପରିସ୍ଥିତିରେ ଫେରିଯିବା ଉଚିତ୍ ନୁହେଁ। ଏ ସଂକ୍ରାନ୍ତରେ ଏକାଧିକବାର ତହସିଲଦାର ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିବା ସେ କହିଛନ୍ତି। ତେଣେ ଦିଆନପୁର ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ନାରାୟଣ ପ୍ରସାଦ ମହାନ୍ତି, ଓଉପଦା ପଂଚାୟତର ନିମାଇଁ କର, ସୁବାସ ପ୍ରଧାନ, ମାଗୁଣି ଲେଙ୍କା କହିଛନ୍ତି ତହସିଲ ଅଫିସର ଅପାରଗତା ଯୋଗୁ ଚାଷୀ କ୍ଷତିପୂରଣ ପାଇବାରୁ ବଂଚିତ ହୋଇଛନ୍ତି। ଏପରିକି ଓଉପଦା ପଂଚାୟତର ଓଉପଦା, କଜଳବଂଧ, ବିଲପୋଖରିଆପଡା, ବିଶୁନୁପୁର, କୋରିଆପଲ୍ଲା ପ୍ରଭୃତି ଗ୍ରାମର ବହୁ ଚାଷୀ କ୍ଷତିପୂରଣ ପାଇନଥିବା ବେଳେ ବିଲିକଣା, ବଡ଼ପାଳର ପଂଚାୟତର ୨୦ ଭାଗ ଚାଷୀଙ୍କୁ ଛାଡ଼ିଦେଲେ ଅନ୍ୟମାନେ କେହି ପାଇନାହାନ୍ତି। ଟଙ୍କା ପାଇଥିଲେ ମଧ୍ୟ ଅନ୍ୟମାନେ କେହି ପାଇ ନାହାନ୍ତି। ଏଭଳି ସ୍ଥିତିରେ ତହସିଲଦାର ଯଦି ଟଙ୍କା ଦେବାର ଆବଶ୍ୟକତା ନ ଥିବା କହୁଛନ୍ତି, ତା'ହେଲେ କେଉଁ ଆଧାରରେ ସାଢ଼େ ୮କୋଟି ଟଙ୍କା କ୍ଷତିପୂରଣ ରାଶି ଆସିଥିଲା? ଆରଆଇଙ୍କ କ୍ଷୟକ୍ଷତି ଆକଳନ ରିପୋର୍ଟ କ’ଣ ଭୁଲ୍ ଥିଲା କି ବୋଲି ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/4372BA14-1D87-4575-8933-051501C0C4B2091248.jpg)