ଖୋର୍ଦ୍ଧା ଜିଲ୍ଲାରେ ଚାଷ ଜମିକୁ ଜଳସେଚନ, କେବଳ ଯୋଜନାରେ ସୀମିତ

ଖୋର୍ଦ୍ଧା: ପ୍ରତିବର୍ଷ ଜିଲ୍ଲା ପ୍ରଶାସନର ଖରିଫ ଓ ରବି ଋତୁ ପାଇଁ କୃଷି ନିର୍ଦ୍ଧାରଣ କମିଟି ବୈଠକ ହେଉଛି। ବୈଠକରେ ଚାଷୀ ଓ ଚାଷର ବିକାଶ ପାଇଁ ଯୋଜନା କରାଯାଉଛି। ଚାଷ କାମରେ ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରୟୋଗ, ଜଳସେଚନ ପାଇଁ ବୋର୍ୱଲ୍ ଆଦି କୃତ୍ରିମ ଜଳସେଚନର ବ୍ୟବସ୍ଥା କଥା କୁହାଯାଉଛି, କିନ୍ତୁ ବାସ୍ତବରେ ଏହି ଯୋଜନା ବୈଠକ ଓ ଯୋଜନାର ନଥିପତ୍ରରେ ସୀମିତ ରହିଯାଉଛି।

ଜିଲ୍ଲାର ମୋଟ ଚାଷ ଜମିର ମାତ୍ର ଅଧା ଜମିକୁ ଜଳସେଚନ କରାଯାଇଥିବା ବେଳେ ଚାଷ ଉପକରଣ ଯୋଗାଇବା ଧାର୍ଯ୍ୟ ଲକ୍ଷ୍ୟର ୭୦-୮୦ ଭାଗ ହିଁ ପୂରଣ ହୋଇପାରୁଛି। ଚଳିତ ବର୍ଷ ଜୁନ୍ ୭ ତାରିଖରେ ଖରିଫ ଚାଷ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟି ବୈଠକ ହୋଇଥିଲା।

ବୈଠକରେ ୨୦୨୧-୨୨ ଖରିଫ ଋତୁରେ ୧ଲକ୍ଷ ୨୦ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। କେବଳ ଏହାନୁହେଁ ୫୯ହଜାର ହେକ୍ଟର ଜମିରେ ଜଳସେଚନ କରିବା ସହ ୬୨୫ କୋଟି କୃଷି ଋଣ ଯୋଗାଇବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଜିଲ୍ଲାର ଜଳସେଚିତ ଜମିର ପରିସଂଖ୍ୟାନକୁ ଦେଖିଲେ ଯୋଜନା ଠାରୁ ଅନେକ କମ୍ ଜମିକୁ ଜଳ ଯୋଗାଣ ହେଉଛି। ରାଜ୍ୟ ସରକାର ୨୦୦୫-୦୬ରେ ୨୦୧୪ ସୁଦ୍ଧା ମୋଟ ଜମିର ୩୫ ପ୍ରତିଶତ ଜମିକୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଲକ୍ଷ୍ୟର ଏହା ମଧ୍ୟରେ ଅତିରିକ୍ତ ୭ ବର୍ଷ ବିତିଯାଇଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ବଡ଼ କେନାଲ୍, ମଧ୍ୟମ ଓ କ୍ଷୁଦ୍ର କେନାଲ୍ ଦ୍ୱାରା ଯଥାକ୍ରମେ ୧୭, ୩୮୦ ହେକ୍ଟର, ୬୩୨୮ ହେକ୍ଟର ଓ ୧୩୨୮୫ ହେକ୍ଟର ଜମିକୁ ଆସୁଥିବା ପାଣିକୁ ବାଦ୍ ଦେଲେ ବଳକା ଜମିରେ ଉଠା ଜଳସେଚନ, ଡଗ୍‌ୱେଲ୍‌ ଆଦି ଆବଶ୍ୟକ ପ୍ରଗତି କରିପାରିନାହିଁ।

ଜିଲ୍ଲା କୃଷି ବିଭାଗର ପରିସଂଖ୍ୟାନ ଅନୁସାରେ, ୨୦୨୦ ଖରିଫ ଋତୁରେ ଜିଲ୍ଲାରେ ୩୪୯ଟି ସରକାରୀ ଉଠା ଜଳସେଚନ ଦ୍ୱାରା ୬୬୦୦ ହେକ୍ଟର ଜଳ ସେଚନ କରିବାକୁ ଲକ୍ଷ୍ୟ ରଖିଥିଲେ କିନ୍ତୁ ଏହାର ଅଧା ଅଞ୍ଚଳକୁ ଅର୍ଥାତ୍ ୩୩୧୭ ହେକ୍ଟରକୁ ହିଁ ଜଳ ଯୋଗାଣ ସମ୍ଭବ ହୋଇପାରିଛି। ସେହିଭଳି ୧୪୪୬ଟି ଡଗ୍‌ୱେଲ୍‌ ଦ୍ୱାରା ୭୨୩ ହେକ୍ଟର ଜମିକୁ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୬୪ ହେକ୍ଟର ଜମିକୁ ଜଳ ଯୋଗାଣ ହୋଇପାରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସରକାରୀ ଉଠାଜଳସେଚନ ବ୍ୟବସ୍ଥାରେ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ଜମିକୁ ଜଳ ମାଡ଼ି ପାରୁନଥିବା ବେଳେ ଘରୋଇ ଉଠା ଜଳସେଚନ ବ୍ୟବସ୍ଥା କିନ୍ତୁ ପ୍ରଭାବଶାଳୀ ଭାବେ କାମ କରୁଛି। ୨୦୨୦ ତାରିଖରେ ୩୩୧୭ ଉଠା ଜଳସେଚନ ପଏଣ୍ଟ ଧ୍ୱାରା ୨୦୭୮ ହେକ୍ଟର ଜମିକୁ ଜଳ ଯୋଗାଣ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଲକ୍ଷ୍ୟ ଠାରୁ ଅଧିକ ୨୩୧୭ ହେକ୍ଟର ଜମିକୁ ଜଳ ଯୋଗାଣ ସମ୍ଭବ ହୋଇପାରିଥିଲା। ସରକାରୀ ବ୍ୟବସ୍ଥା ଦ୍ୱାରା ସ୍ଥାପିତ ଉଠାଜଳସେଚନ ବ୍ୟବସ୍ଥା ଠିକଣା ଭାବେ କାମ କରୁନଥିବା ଯୋଜନାର ବିଫଳତା ଓ କାର୍ଯ୍ୟକାରିତାରେ ସମସ୍ୟା ଆଡ଼କୁ ଅଙ୍ଗୁଳି ନିର୍ଦେଶ କରୁଛି। ଯଦି ସମଗ୍ର (ଉଭୟ ପ୍ରାକୃତିକ ଓ କୃତ୍ରିମ) ଜଳସେଚନ ବ୍ୟବସ୍ଥାକୁ ଅନୁଶୀଳନ କରାଯାଏ ତେବେ ମୋଟ ୧ଲକ୍ଷ ୨୬ ହଜାର ହେକ୍ଟର ଚାଷ ଜମିରୁ ୨୦୨୦ ଖରିଫରେ କେବଳ ୪୨,୮୪୩ ହେକ୍ଟର ଅର୍ଥାତ୍ ୩୬ ପ୍ରତିଶତ ଚାଷ ଜମିକୁ ଜଳ ସେଚନ ହୋଇପାରିଥିଲା।

ସମ୍ବନ୍ଧିତ ଖବର