କ୍ଷତିପୂରଣ ଦାବିରେ ତହସିଲ ଘେରିଲେ ଚାଷୀ

ବର୍ଷାରେ ଫସଲ ନଷ୍ଟ

ବ୍ରହ୍ମଗିରି: ଲଗାଣ ବର୍ଷାରେ ବ୍ରହ୍ମଗିରି ବ୍ଲକରେ ଚାଷୀ ହତାଶ ହୋଇ ପଡିଛନ୍ତି। ପାଚିଲା ଧାନ କ୍ଷେତରେ ପଡି ଗଜା ହୋଇଛି । ଗଜା ଧାନକୁ ଧରି ଚାଷୀ ଏବେ ଚିନ୍ତାରେ ପଡିଛି । ରବି ଋତୁରେ ଧାନ ଚାଷ ପାଇଁ ଚାଷୀଙ୍କ ପାଖରେ ବିହନ ନାହିଁ । ନିଜର ପରିବାର ପ୍ରତିପୋଷଣ କରିବାକୁ ପାଖରେ କିଛି ନାହିଁ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ସାମସ୍ୟାରେ ପଡିିଛି । ତେବେ କ୍ଷତିପୂରଣ ମିଳି ନଥିବାରୁ ଆଜି ବ୍ରହ୍ମଗିରି ବ୍ଲକ୍‌ର ବ୍ରହ୍ମଗିରି ପଞ୍ଚାୟତର ଶତାଧିକ ଚାଷୀ ଆଜି ମଧ୍ୟାହ୍ନରେ ସ୍ଥାନିୟ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ଏକତ୍ର ହୋଇ ଏକ ଶୋଭାଯାତ୍ରାରେ ବ୍ରହ୍ମଗିରି ତହସିଲ ଆଗରେ ପହଞ୍ଚ ଥିଲେ । ହାତରେ ଥିଲା ସେମାନଙ୍କର ଗଜା ଧାନ ।

ତୁରନ୍ତ କ୍ଷତି ପୂରଣ ଦେବାକୁ ଦାବି କରି ଚାଷୀ ତହସିଲ ଆଗରେ ଦେଢ ଘଣ୍ଟା ଧରି ବିକ୍ଷୋଭ ସହିତ ଆନ୍ଦୋଳନ କରିଥିଲେ । ଏହା ପରେ ଚାଷୀଙ୍କର ଏକ ପ୍ରତିନିଧିଦଳ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ତୁରନ୍ତ ଏ ନେଇ ତଦନ୍ତ କରାଯାଇ ରିପୋର୍ଟ ଜିଲ୍ଲା କାର୍ଯ୍ୟାଳୟକୁ ପଠା ଯିବାକୁ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଏହି ଆନ୍ଦୋଳନ ହଟିଥିଲା । ସେତେବେଳକୁ ଅପରାହ୍ନ ଦୁଇଟା ବାଜି ସାରିଥିଲା । ଆଗକୁ ଏହି ଆନ୍ଦୋଳନ ଜୋରଦାର ହେବାକୁ ବିଭିନ୍ନ ଚାଷୀ ସଙ୍ଗଠନ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ସେହିପରି ଚାଷୀ ପ୍ରତିନିଧି ଦଳ ସ୍ଥାନୀୟ କୃଷି ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର