ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚାଷୀର ଧାନ ବିକ୍ରି ବେଳେ କଟନି ଛଟନିକୁ ନେଇ ଚାଷୀଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାଫିଆ ମିଲରଙ୍କ ଦ୍ବାରା ଚାଷୀଙ୍କୁ ଶୋଷଣ କରାଯାଉଥିବା ବେଳେ ଏହାର ସିଧା ସଳଖ ପ୍ରତିବାଦର ସ୍ବର ଉଠାଇଛନ୍ତି ଭଦ୍ରକ ଜିଲ୍ଲାର ଶୋଷିତ ଚାଷୀ। ଭଦ୍ରକ ଜିଲ୍ଲରାରେ ଚାଷୀ ଶୋଷଣର ଚରମ ସୀମା ଟପିଥିବା ବେଳେ ଅସହ୍ୟ ଆଜି ସକାଳୁ ସକାଳୁ ଅତି ଚତୁରତାର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରୁ ଧାନ ଗାଡି ପୁରାଇ ବସ୍ତା ବସ୍ତା ଧାନର ଲାଟ ମାରି ଦେଇଥିଲେ। ଦୁଇ ଶହରୁ ଉର୍ଦ୍ଧ୍ବ ବସ୍ତା ଧାନ କେହି କିଛି ବୁଝିବା ଆଗରୁ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ପରିସରରେ ଲୁହା ଗେଟ ଅତିକ୍ରମ ଧାନ ଗାଡି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ଗଦା କରି ଦେଇଥିଲେ। ଧାନ ବସ୍ତା ରଖି ସକାଳୁ ସକାଳୁ ଚାଷୀମାନେ ଅଫିସ ଆଗରେ ଧାରଣା ଦେଇଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ ଅଫିସ ଭିତରକୁ କିଭଳି ଚାଷୀ ପ୍ରବେଶ କଲେ। ଏ କଥା ଜିଲ୍ଲାର ପୁଲିସ ବିଭାଗର ଗୁଇନ୍ଦା ବିଭାଗ ଫେଲ ମାରିଥିଲା।
ଜିଲ୍ଲା ପୁଲିସର ଗୁଇନ୍ଦା ବିଭାଗର ବଡ ବାବୁ ବୁଲାଉଥିବା ଅଧିକାରୀ କିଭଳି ଜାଣିପାରିଲେ ନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଏତେ ସଂଖ୍ୟକ ଚାଷୀ ଓ ଚାଷୀ ନେତା ପଶି ଧାନ ବସ୍ତା ଢାଳି ଆନ୍ଦୋଳନ କଲେ। ଏ କଥା ପୁଲିସ ଜାଣିଲା ବେଳକୁ ଗଣମାଧ୍ୟମାରେ ଖବର ପ୍ରଚାରିତ ହୋଇ ସାରିଲାଣି। ଏଇଠୁ ଅନୁମାନ କରାଯାଇ ପାରୁଛି ଜିଲ୍ଲାର ପୁଲିସ ଗୁଇନ୍ଦା କେତ ସଜାଗ। ଜିଲ୍ଲାରେ ପୁଲିସର ଗୁଇନ୍ଦା ଫେଲ ମାରିଥିବା ବେଳେ ଧାନବସ୍ତା ରଖି ଚାଷୀ ଆନ୍ଦୋଳନ ଖବର ପାଇ ଭଦ୍ରକର ଟାଉନ ଆଇଆଇସି, ପୁରୁଣାବଜର ଆଇଆଇସି, ଭଦ୍ରକ ସିଟି ଡିଏସପିଙ୍କ ସହ ବହୁ ପୁଲିସ ସଦଳବଳେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାନ ଢାଳି ଆନ୍ଦୋଳନ କରିଥିବା ଚାଷୀ ଓ ଚାଷୀ ନେତାଙ୍କୁ ବୁଝା ସୁଝା କରିଥିଲେ। ପରେ ଚାଷୀ ମାନେ ଦିନ ତମାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକ ଆଗରେ ଧାରଣା ଦେଇଥିଲେ। କିନ୍ତୁ କାର୍ଯ୍ୟାଳୟ ଆଗରୁ ଧାନ ବସ୍ତା ଉଠାଇ ନଥିଲେ।
ଖବର ଲେଖା ହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳଙ୍କ ଅଫିସ ଆଗରୁ ଧାନ ବସ୍ତା ଉଠାଇ ନଥିଲେ। ସେମାନଙ୍କ ଜିଦ୍ ଥିଲା ଯେ, ଆମେ ଧାନ ଉଠାଇବୁ ନାହିଁ। ଆମ ଧାନ ସିଏସଓ ଉଠାଇ ମଣ୍ଡିରେ ବିକ୍ରି କରି ଆମକୁ ପ୍ରାପ୍ୟ ଦିଅନ୍ତୁ। ଆନ୍ଦୋଳନକାରୀ ଚାଷୀଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ଯେତେ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀ ମାନେ ଧାନ ଉଠାଇ ନଥିଲେ। ଆଜିର ଏଇ ଅଭାବନୀୟ ଘଟଣା ସାରା ଜିଲ୍ଳାରେ ଚର୍ଚ୍ଚାକୁ ଆସିଥିବା ବେଳେ ଆଗାମୀ ଦିନରେ ମିଲରମାନେ କଟନି ଛଟନି ବନ୍ଦ ନକଲେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଚାଷୀ ନେତାମାନେ ଚତୋବନୀ ଦେଇଛନ୍ତି।
ଏଇ ଆନ୍ଦୋଳନ ବେଳେ ନବ ନିର୍ମାଣ କୃଷକ ସଂଗଠନର ନେତା ସତ୍ୟରଞ୍ଜନ ନାୟକ, ତ୍ରିଲୋଚନ ପଣ୍ଡା, ସୀତାକାନ୍ତ ସାହୁ, ରବି ପଣ୍ଡା, ଗଗନ ପଣ୍ଡା, ପ୍ରଭାତ ମହାଲି, ଚନ୍ଦ୍ରକାନ୍ତ ଦଳାଇ, ଅମୂଲ୍ୟ ମହାପାତ୍ର, ଆର୍ତ୍ତ ତିଆରି, ଜାହିର ଖାଁନ, ସବିର ଅଲ୍ଲିଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀମାନେ ଆନ୍ଦୋଳନରେ ସାମିଲ ହୋଇ କଟନି ଛଟନିକୁ ତୀବ୍ର ବିରୋଧ କରିଥିଲେ। ଚାଷୀର ଧାନ କୁଇଣ୍ଟାଲରେ କାହିଁକି ୧୬ କିଲୋ ଧାନ କଟିବ। ଜିଲ୍ଲାର କିଛି ଶୋଷଣକାରୀ ଦଲାଲ ମିଲର ଧାନ ମଣ୍ତିରେ ଧାନ କିଣିବା ବେଳେ ଏଫଏକ୍ୟୁ ଧାନ ମାନ କହି ୬ କିଲୋ କାଟୁଥିବା ବେଳେ ଧାନର ଆଦ୍ରତା ମାପ କରି ଓଦା ଧାନର ଆଳ ଦେଖାଇ ପ୍ରତି କ୍ବିଣ୍ଟାଲ ଉପରେ ୧୦ କେଜି ଧାନ କାଟୁଛନ୍ତି। ଏମିତି ଭାବରେ ଚାଷୀଙ୍କଠାରୁ କୁଇଣ୍ଟାଲରେ ୧୬ କିଲୋ ଧାନ କାଟି ନେବାର ଚକ୍ରାନ୍ତ କରୁଛନ୍ତି ମିଲର।
ମିଲରଙ୍କ ସ୍ବାର୍ଥକୁ ଦେଖିବାକୁ ଥିବା ପ୍ରଶାସନ ଚାଷୀର ସ୍ବାର୍ଥ ଦେଖୁ ନାହାନ୍ତି। ଧାନ ବିକ୍ରି ଆରମ୍ଭ ହେବାର ଏହା ଭିତରେ ୨୦ ଦିନ ବିତିଯାଇଥିଲା ବେଳେ ଚାଷୀର ଅଭିଯୋଗକୁ କର୍ଣ୍ଣପାତ କରୁଥିବା ପ୍ରଶାସନକୁ ଆଜି ଠିକଣା ଜବାଦ ଦେଇଛନ୍ତି ଜିଲ୍ଲାର ଚାଷୀ ନେତା। ଆଗାମୀ ଦିନରେ ପ୍ରଶାସନ ଚାଷୀର ସ୍ବାର୍ଥ ପ୍ରତି ଦୃଷ୍ଟି ନଦେଇ ମିଲରଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଲେ ଭୟଙ୍କର ଚାଷୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଜିଲ୍ଲା ଯୋଗାଣ ବିଭାଗ ଏବେ ଜିଲ୍ଲାରେ ନିଦା ବିଷ୍ଣୁ ସାଜି ଥିବା ବେଳେ ଚାଷୀ ମାରଣ ନୀତିରେ ରହିଛି ଜିଲ୍ଲା ଯୋଗାଣ ବିଭାଗ। ଯୋଗାଣ ବିଭାଗ ଚାଷୀଙ୍କ ସ୍ବାର୍ଥ ରକ୍ଷା ଦିଗରେ କାମ ନକରି ମିଲରଙ୍କ ସ୍ବାର୍ଥ ରକ୍ଷା କରିବାରେ ବ୍ୟସ୍ତ ରହୁଛି। ମିଲର ଓ ଯୋଗାଣ ବିଭାର ମଧୁଚନ୍ଦ୍ରିକାରେ ଚାଷୀର ଧାନ ଲୁଟ ଚାଲିଛି। ଚାଷୀଙ୍କୁ ଏଭଳି ଲୁଟ୍ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଆଜିର ଆନ୍ଦୋଳନ ବେଳେ ବହୁ ପୁରୁଖା ଚାଷୀ ଚେତାବନୀ ଦେଇଛନ୍ତି।
ଚାଷୀ ନିଜ ଜିଦରେ ଅଟଳ ରହିବା ପରେ ଜିଲ୍ଲାପାଳଙ୍କ ସହ ଚାଷୀମାନେ ଆଲୋଚନା କରିଥିଲେ। ଆସନ୍ତାକାଲି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି କଟନି ଛଟନି କରାଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ପରେ ଆନ୍ଦୋଳନରୁ ଚାଷୀମାନେ ଓହରି ଯାଇଥିଲେ। କିନ୍ତୁ ଯେଉଁ ଧାନ ବସ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପକାଇ ଆନ୍ଦୋଳନ କରାଯାଇଥିଲା। ସେହି ଧାନ ବସ୍ତା ଉଠାଇ ନେବାକୁ ଚାଷୀଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ କହିଥିଲେ ମଧ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଚାଷୀ ନେତା ମାନେ ଏଠାରୁ ଧାନ ଉଠାଇବୁ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ। ଆମ ଧାନ ପ୍ରଶାସନ ଉଠାଇ ନେଇ ମଣ୍ଡିରେ ବିନା କଟନିରେ ବିକ୍ରି କରି ଆମକୁ ଆମ ପ୍ରାପ୍ୟ ପ୍ରଦାନ କରୁ ବୋଲି କହିଥିଲେ। ଏହି ଧାନକୁ ସିଏସଓ ସିଜ୍ କରି ଦେବେ ବୋଲି ଆନ୍ଦୋଳନକାରୀଙ୍କୁ ଚେତାବଦୀ ଦେଇଥିବା ବେଳେ ଏହାକୁ ନେଇ ପୁଣି ଚାଷୀ ନେତା ତାତିଛନ୍ତି। ଧାନ ସିଜ୍ ହେଲେ ଏହାର କଡାଗଣ୍ଡା କରି ପ୍ରାପ୍ୟ ସିଏସଓଙ୍କ ଠାରୁ ଆଦାୟ କରିବୁ ବୋଲି ଚାଷୀ ନେତା ସତ୍ୟରଞ୍ଜନ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଚାଷୀର ସ୍ବାର୍ଥ ସହିତ ଖେଳିଲେ ଆଗାମୀ ଦିନରେ ଜିଲ୍ଲୋ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ଶହରୁ ଉର୍ଦ୍ଧ୍ବ ବସ୍ତା ଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପଡି ରହିଛି।