ବାଲିଅନ୍ତା: ସ୍ଥାନୀୟ ସରକଣା ସେବା ସମବାୟ ସମିତି ଧାନମଣ୍ଡିରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ହୋଇଛି। ଯାହାଫଳରେ ବହୁ ଚାଷୀ ଟୋକନ ପାଇ ସୁଦ୍ଧା ସମିତି ମଣ୍ଡିରେ ଧାନ ବିକ୍ରି କରିପାରିଲେ ନାହିଁ। ବହୁ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇ ନପାରିବା କାରଣରୁ ଟୋକନ ପାଇ ପାରିଲେ ନାହିଁ। ତେଣୁ ଏହି ଚାଷୀମାନେ ମଧ୍ୟ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ ସମିତି ଗୋଟିଏ ଜମିରେ ୧୦ ଜଣ ଚାଷୀଙ୍କ ନାମ ପଞ୍ଜୀକରଣ କରି ଶହ ଶହ କ୍ବିଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡ଼ିଛି।
ସମିତି କର୍ତ୍ତୃପକ୍ଷ ଓ ଅସାଧୁ ଧାନ ବ୍ୟବସାୟୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଷୀ ଅଭାବି ଧାନ ବିକ୍ରି ସମସ୍ୟାର ସମ୍ମୁଖୀନ ହେଲେ। ବହୁ ଚାଷୀ ବାଧ୍ୟ ହୋଇ ନିର୍ଦ୍ଧାରିତ ସରକାରୀ ମୂଲ୍ୟଠାରୁ ବହୁ କମ ଦରରେ ସ୍ଥାନୀୟ ଦଲାଲ ମାନଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଲେ। ଅପରପକ୍ଷରେ ଅସାଧୁ ବ୍ୟବସାୟୀ ମଣ୍ଡିରେ ଜାଲ ଜମି ପଟ୍ଟା ପଞ୍ଜୀକୃତ କରି ନକଲି ଚାଷୀଙ୍କ ନାମରେ ଧାନ ବିକ୍ରି କରି ମାଲେମାଲ ହେଲେ। ସମିତି କର୍ମଚାରୀ ବେଶ ଦି’ ପଇସା ପାଇ ହାତ ଚିକ୍କଣ କଲେ। ୫ ହେକ୍ଟର କି ଦଶ ହେକ୍ଟର ନୁହେଁ ଏହିଭଳି ଭାବେ ଗୋଟିଏ ଗୋଟିଏ ଜମିପଟ୍ଟାରେ ଏକାଧିକ ଚାଷୀଙ୍କ ନାମ ଉଲ୍ଳେଖ କରି ଶହଶହ ହେକ୍ଟର ଜମି ଦର୍ଶାଇ ଅସାଧୁ ଧାନ ବ୍ୟବସାୟୀ ମଣ୍ଡିରେ ଧାନ ବିକ୍ରି କରିବାରେ ସଫଳ ହେଲେ। ସରକଣା ସେବା ସମବାୟ ସମିତି ମଣ୍ଡିରେ ଧାନକିଣାରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ସରକଣା ସେବା ସମବାୟ ସମିତି ଅଧୀନ ଉଭୟ ସରକଣା ଓ ପୂରଣ ପଧାନ ପଞ୍ଚାୟତ ଅଞ୍ଚଳରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧିଛି। ଏହାର ପ୍ରତିବାଦରେ ଆଜି ପୂର୍ବତନ ସମିତି ସଭ୍ୟ ନାରାୟଣ ସାହୁଙ୍କ ନେତୃତ୍ବରେ ଶତାଧିକ ଚାଷୀ ସମିତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାରୀ ସ୍ତରରେ ଧାନମଣ୍ଡି ଅନିୟମିତତାର ତଦନ୍ତ ପାଇଁ ଦାବି କରିଥିଲେ। ଖବର ନେବାରେ ଜଣାପଡ଼ିଛି, ଚଳିତ ଖରିଫ ଋତୁରେ ସରକଣା ମଣ୍ଡିରେ ୩୫ ହଜାର କ୍ବିଣ୍ଟାଲ ଧାନ ବିକ୍ରି ହୋଇଛି। ଉଭୟ ପଞ୍ଚାୟତର ବିଭିନ୍ନ ମୌଜାରେ ପାଖାପାଖି ୩୭୧ ହେକ୍ଟର ଜମି ଜାଲିଆତି କରି ନକଲି ଚାଷୀଙ୍କ ନାମ ଉଲ୍ଳେଖ କରି ଧାନ ବିକ୍ରି କରାଯାଇଛି। ଅପରପକ୍ଷରେ ସରକଣା, ଲୁଣା, ରଣପୁର, ପୂରଣପଧାନ, ଅଞ୍ଜିରା ଓ ବ୍ରାହ୍ମଣସୁଆଁଲୋ, ଗୋଠସାବାଳିଆ ଆଦି ମୌଜାରେ ଶତାଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରି ନଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଭାଗଚାଷୀ ମାନେ ଧାନ ବିକ୍ରି କରିପାରିବା ନେଇ ପ୍ରସ୍ତାବ ଗୃହୀତ ହୋଇଥିଲା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସମବାୟ ସମିତି ଋଣ ପ୍ରଦାନ, ଧାନକିଣା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବା ନେଇ ଚାଷୀ ସମୂହ ଏକ ଦାବିପତ୍ର ଜିଲ୍ଲାପାଳ ଏବଂ ଏଆରସିଏସ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ନେଇ ସ୍ଥିର ହୋଇଥିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/WhatsApp-Image-2022-04-22-at-5.01.33-PM.jpeg)