ଜୟପୁର: ମଣ୍ଡି ଆରମ୍ଭର ୧୨ଦିନ ପରେ ବି ଧାନ କିଣାରେ ସ୍ବାଭାବିକ ହୋଇ ପାରିନି। ଗତ ୧୨ଦିନ ମଧ୍ୟରେ ୭ଟି ଲ୍ୟାମ୍ପ, ୨୦ଟି ଏସଏଚଜି, ଓ୨ଟି ପାଣି ପଂଚାୟତ କ୍ରୟକାରୀ ସଂସ୍ଥା ଜରିଆରେ ୬୯୨୭ଜଣ ଚାଷୀଙ୍କ ଠାରୁ ୩ଲକ୍ଷ ୨୪ହଜାର ୬୬୨ କ୍ବିଣ୍ଟାଲ ଧାନ କିଣାଯାଇଛି। ଅପରପକ୍ଷରେ ମଣ୍ଡିରେ ଧାନ କିଣା ଯେଉଁ ଜୋର ଧରିବା କଥା ଧରି ପାରିନି। ବିଭିନ୍ନ ମଣ୍ଡିରେ କଟନିଛଟନି, ମିଲକୁ ଧାନ ପହଚାଂଇବା ବିବାଦ ଜୋର ଧରିଛି। ଚାଷୀ ମାନେ ମଣ୍ଡିକୁ ଧାନ ଆଣି କ୍ରୟକାରୀ ସଂସ୍ଥା ନିକଟରେ ବିକ୍ରି କରିବା ପରେ ମଣ୍ଡିରୁ ପରିବହନ ଦାୟିତ୍ବ ମିଲର୍ସଙ୍କର ବୋଲି ଚାଷୀ ମାନେ କହିଛନ୍ତ। ଆଜି ଜୟପୁର ଆରଏମସି ୟାର୍ଡ ମଣ୍ଡିରେ ଗଡ଼ପଦର, ଉମୁରୀ, ଅନ୍ତା ଆଦି ଅଂଚଳର ଶତାଧିକ ଚାଷୀ ମିଲକୁ ଧାନ ପହଚାଂଇବାକୁ ମନା କରିବା ସହ ମଣ୍ଡିରେ ଧାରଣା ଦେଇଥିଲେ। କଟନିଛଟନି ନିଷ୍ପତି ମଣ୍ଡିରେ କରାଯିବାକୁ ଦାବି କରିବା ସହ ମିଲର ମାନେ ମଣ୍ଡିରୁ ଧାନ ନେଇ ବସ୍ତା ଖାଲି କରି ଫେରାଇବାକୁ ଚାଷୀ ମାନେ ଦାବି କରିଥିଲେ। ଆଜି ଏହି ମଣ୍ଡିରେ ୮ହଜାର କ୍ବିଣ୍ଟାଲ ଧାନ ଧରି ଚାଷୀ ମାନେ ଆସିଥିଲେ। ଚାଷୀ ମାନେ ପ୍ରବଳ ପାଟିତୁଣ୍ଡ କରିବା ସହ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ମାନେ ମଣ୍ଡିରେ ଧାନ କିଣା ସମୟରେ କାହିଁକି ଉପସ୍ଥିତ ରହୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ।
ଏହି ସୂଚନା ପଇବା ପରେ ସହକାରୀ ଯୋଗାଣ ଅଧିକାରୀ ପ୍ରିୟମ୍ବଦା ବେହେରା, ଯୋଗାଣ ନିରୀକ୍ଷକ ହରିଶ ମଲ୍ଲୀକ ମଣ୍ଡିକୁ ଆସି ଚାଷୀଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିଥିଲେ। କ୍ରୟକାରୀ ସଂସ୍ଥା ଧାନ କିଣିକି ନେବେ। ମିଲର୍ସଙ୍କ ମାନେ କ୍ରୟକାରୀ ସଂସ୍ଥା ନିକଟରୁ ଧାନ ନେଇ ଚାଉଳ ଦେବା ସରକାରୀ ନିର୍ଦେଶ ରହିଛି। ଏହା ବାଦେ ସରକାରୀ କଳ, କ୍ରୟକାରୀ ସଂସ୍ଥା ମିଳିଭଗତରେ ମଣ୍ଡିକୁ ଆସି ସେମାନେ କାହିଁକି କଟନିଛଟନି କରି ମଣ୍ଡିରେ ବିବାଦ ସୃଷ୍ଟି କରୁଛନ୍ତି ବୋଲି ଚାଷୀ ମାନେ ପ୍ରଶ୍ନ କରିଛନ୍ତି। ମଣ୍ଡିରେ ଗୋଟିଏ ରକମର କଥା କହୁଥିବା ବେଳେ ମିଲକୁ ଧାନ ପହଚିଂବା ପରେ ମିଲର୍ସଙ୍କ ରଂଗ ବଦଳିଯିବା ସହ ଚାଷୀଙ୍କ ଦୁର୍ବବ୍ୟବହାର କରି ଧାନର ଆଦ୍ରତା ଓ ଗୁଣବତ୍ତା ଠିକ ନଥିବା କହି ଅଧିକା କଟନିଛଟନି କରିବାକୁ ବାଧ୍ୟ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଚାଷୀ ମାନେ ପରିବହନ ଭଡା ଅଧିକା ହେଉଥିବା ଭୟରେ ଧାନ ଦେବାକୁ ବାଧ୍ୟ ହେଉଛନ୍ତି ବୋଲି ଏମାନେ ଦାବି କରିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଚାଷୀ ମାନେ ନିଜ ଜିଦରେ ରହିବା ସହ ଆଠ ହଜାର କ୍ବିଣ୍ଟାଲ ଧାନ ଆରଏମସି ୟାର୍ଡ ମଣ୍ଡିରେ ପଡ଼ି ରହିଥିବା ଦେଖିବାକୁ ମିଳିଛି।