ବିଭିନ୍ନ ଦାବିରେ ଚାଷୀଙ୍କ ରାସ୍ତାରୋକ

ମେଲଛାମୁଣ୍ଡା: କୃଷକ ଓ ବୀର ସୁରେନ୍ଦ୍ର ସାଏ ଆଂଚଳିକ କୃଷି କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଦୀପ୍ତିପୁର ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳକୁ ତହସିଲଦାର ଶୁକଦେବ ବେହେରା, ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ମେଲଛାମୁଣ୍ଡା ଆଇଆଇସି ରଂଜିତ ନାଏକ ପ୍ରମୁଖ ଆସି ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ସହ ଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ଆଲୋଚନା କରିବା ପାଇଁ କହିଥିଲେ। ଅଙ୍ଗ ନଦୀ ଓ ଶୁରୁଙ୍ଗୀ ନଦୀର ସଙ୍ଗମ ସ୍ଥଳ ପୂଜାରୀପାଲି ଠାରେ ଏକ ନୂତନ ଜଳ ସେଚନ ଯୋଜନାର ଶୁଭ ଦେଇଥିଲେ ମଧ୍ୟ କାମ ଆରମ୍ଭ ହେଉନାହିଁ। ୩୦ ବର୍ଷ ହେଲା ସରକାର ତାଙ୍କ ଦାବିକୁ ଉପେକ୍ଷା କରୁଛନ୍ତି। ଫଳରେ ଅଂଚଳରେ ପ୍ରତିବର୍ଷ ମରୁଡି ସମସ୍ୟା ଦେଖାଦେଉଛି।

ଏହାର ସ୍ଥାୟୀ ପ୍ରତିକାର ପାଇଁ ଚାଷୀମାନେ ଦାବି କରିଥିଲେ। ଚଳିତ ବର୍ଷର ଚାଷର କ୍ଷତିପୂରଣ ୬୮୦୦ ପରିବର୍ତେ ହେକ୍ଟର ପ୍ରତି ମରୁଡି ଅଂଚଳକୁ ୧୫୦୦୦ ଟଙ୍କାକୁ ବୃଦ୍ଧି, ଫସଲ ଆଦାୟ ପର୍ଯ୍ୟନ୍ତ ୧ବର୍ଷ ପାଇଁ ମରୁଡି ଅଂଚଳକୁ ଜଣ ପ୍ରତି ମାସକୁ ୧୫ କେଜି ଚାଉଳ, ଅଙ୍ଗ ନଦୀ ବନ୍ଧ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା, ୨୦୧୬-୧୭ ମସିହାର କୃଷିଋଣକୁ ଛାଡ କରିବା, ଚାଷ ପାଇଁ କୃଷି ଋଣ, ସବସିଡି ହାରରେ ସାର, ବିହନ, ସ୍କୁଲ ଫି’ ଛାଡ, ଜମିର ଖଜଣା ଏବଂ ଜଳକର ଛାଡ଼, ଗାଈଗୋରୁଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା, ଖଟି ମୁଲିଆଙ୍କୁ ୨୦୦ ଦିନର କାମ, ଚାଷୀଙ୍କୁ ୫୦୦୦ ଟଙ୍କା ପେନସନ ଆଦି ଦାବି କରାଯାଇଛି। ପଶ୍ଚିମ ଓଡ଼ିଶାର ବିକାଶ ଅଫିସ ମଧ୍ୟସ୍ଥ ସ୍ଥାନରେ କରାଯାଉ ବୋଲି ଉପଦେଷ୍ଟା ଡମ୍ବରୁଧର ବେହେରା, ସଂଘ ଆବାହକ ରାହାସ ବିହାରୀ ସାହୁ ଦାବିପତ୍ରକୁ ପ୍ରଦାନ କରିଥିଲେ। ଗହଳ ମହାନନ୍ଦ, ଜନେକ ତାଣ୍ଡୀ, ଚକ୍ର ସୁନା, ଯାଦବ ସାହୁ, ଅମୃତ ପଧାନ, ଚନ୍ଦ୍ରମଣୀ ସାହୁ, ଜପି ବିଭାର, ଇସାକ କନ୍ଦେର, ସରୁଲାଲ ପାଇକ, ଅଶ୍ୱିନି ବାରିକ, ସୁଦାମ ସାହୁ, ଆଭାସ ରଂଜନ ଭୋଇ, ବିଶେଶ୍ୱର ନାଏକ, ତ୍ରିନାଥ ନାଏକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର