ଫସଲ ହାନୀ ଓ ଋଣଭାର ସହି ନ ପାରି ଆତ୍ମହତ୍ୟା କଲେ ଚାଷୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ଅନ୍ତର୍ଗତ ଖେରମାଲ ଗାଁରୁ ଆସିଛି ଚାଷୀ ଆତ୍ମହତ୍ୟା ଖବର। ମଞ୍ଜୁର ହୋଇଥିବା ଋଣ ବାବତ ଟଙ୍କା ଦେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ବାରମ୍ବାର ଟାଳଟୁଳ ନୀତି ଅବଲମ୍ବନ କରିବା  ଏବଂ ଫସଲ ନଷ୍ଟ ହେବାର ଆଶଙ୍କାରେ ମ୍ରିୟମାଣ ହୋଇ ଅବଧୋତ ପଧାନ ବିଷ ପିଇ ଆତ୍ମହତ୍ୟାର ପଥ ବାଛି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ମୃତ ଅବଧୋତ ପଧାନଙ୍କ ପରିବାରର ସୂଚନା ଅନୁସାରେ  ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କରୁ ଜୁନ ମାସରେ ଦେଢ ଲକ୍ଷ ଟଙ୍କାର କୃଷି ଋଣ ଆବେଦନ କରିଥିଲେ ମୃତକ। ଅଗଷ୍ଟ ମାସରେ ଏହା ମଞ୍ଜୁର ହୋଇ ଯାଇଥିଲେ ମଧ୍ୟ ଅବଧୋତଙ୍କୁ ଟଙ୍କା ମିଳି ପାରୁ ନ ଥିଲା।  ପ୍ରତି ଥର ଟଙ୍କା ପାଇଁ ପ୍ରଶ୍ନ କଲେ ବ୍ୟାଙ୍କ ଅଧିକାରୀ ସମୟ ଗଡ଼ାଇ ଦିଅନ୍ତି।

ଅଗଷ୍ଟ ୨୫ ତାରିଖରେ ସେ ଋଣ ଟଙ୍କା ପାଇଁ ବ୍ୟାଙ୍କ ଯାଇଥିବାବେଳେ ପୁନଶ୍ଚ ୭ ଦିନ ପରେ  ଆସିବାକୁ କହିଥିଲେ ପଦସ୍ଥ ଅଧିକାରୀ । ଏ ନେଇ ଉତକ୍ଷିପ୍ତ ହୋଇ ଏହି ଭଳି ବାରମ୍ବାର ହଇରାଣ କଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ଅବଧୋତ ।

ଏହି ଘଟଣାର ମାତ୍ର ୩ ଦିନ ପରେ ଅବଧୋତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଲଗାତାର ୬ ଦିନ ଧରି ଜୀବନ-ମୃତ୍ୟୁ ସହିତ ସଂଘର୍ଷ ପରେ ବୁଧବାର ଚିକିତ୍ସାଧିନ ଅବସ୍ଥାରେ ସମ୍ବଲପୁରସ୍ଥିତ ଏକ ନର୍ସିଂହୋମରେ ଅବଧୋତଙ୍କ ମୃତ୍ୟୁ ହୋଇଥିଲା। ଖରାପ ଫସଲ, ଋଣ ବୋଝ ସହିତ ନୂଆ ଋଣ ନ ମିଳିବାରୁ ଚାଷୀ ଅବଧୋତ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର କହିଛନ୍ତି।

ଅବଧୋତଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ, ୨୮ ତାରିଖ ଦିନ ବିଷପିଇ ଅବଧୋତ ଛଟପଟ ହେଉଥିବାବେଳେ ତାଙ୍କ ପରିବାର ତୁରନ୍ତ ସମ୍ବଲପୁର ସଦର ଚିକିତ୍ସାଳୟ ଏବଂ ପରେ ବୁର୍ଲା ଡାକ୍ତରଖାନା ନେଇ ଯାଇଥିଲେ। ରାତିରେ ବୁର୍ଲା ଡାକ୍ତରଖାନାରେ ପହଞ୍ଚିବାବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ସାରିଥିଲା। ତୁରନ୍ତ ଆଇସିୟୁ ଏବଂ ଜୀବନ ରକ୍ଷାକାରୀ ଭେଣ୍ଟିଲେଟରର ଆବଶ୍ୟକତା ଥିବା ଡାକ୍ତର କହିଥିଲେ। ମାତ୍ର ଡାକ୍ତରଖାନାରେ ଆଇସିୟୁ ନ ଥିବା କୁହାଯାଇ କୌଣସି ବିକଳ୍ପ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଥିଲେ। ଜଣେ କନିଷ୍ଠ ଡାକ୍ତର ଏହି ନର୍ସିଂହୋମ ସହିତ ଯୋଗାଯୋଗ କରାଇ ତାଙ୍କୁ ଏଠାକୁ ପଠାଇଥିଲେ। ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବାବଦରେ ପ୍ରାୟ ୭୦ ହଜାର ଟଙ୍କା ବକେୟା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର