ଧାନ କିଣ ନଚେତ ଆମେ ଆତ୍ମହତ୍ୟା କରିବୁ, ଧମକ ଦେଲେ ଘିଉରୀ ଚାଷୀ

ଜୟପୁର: ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିବାର କାହାରି ଅଧିକାର ନାହିଁ। ଆମେ ଚାଷୀ। ଗାଁରେ ରହୁଛୁ। ଟକୋନ୍ ଲାପସ୍ ତ ଆଉ କେତେ ବେଳେ ସାସ୍ ଆସିନି କହି ଭୁଆଁ ବୁଲାଇ ଧାନ କିଣା ଗଲାନି। ଆମେ ମଣ୍ଡିକୁ ବାରମ୍ବାର ଧାନ ନେଇ ଥକ୍କି ଗଲୁ। ଲ୍ୟାମ୍ପର ଅଧିକାରୀ ଓ କର୍ମଚାରୀଙ୍କ ନିକଟରେ କାକୁତି ମିନତୀ ବି ହେଲୁ। ରୁମ ମଧ୍ୟରେ ଲ୍ୟାମ୍ପର କର୍ମଚାରୀଙ୍କୁ ବି ବନ୍ଦ ରଖିଲୁ। ପ୍ରତିଶ୍ରୁତି ମିଳିଲା ଧାନ କିଣାଯିବ। କିନ୍ତୁ ଏହା ବାଦେ ବି ଆମ ଧାନ କିଣା ଗଲାନି। ଧାର ଉଧାର କରି ଧାନ ଚାଷ କରିଥିଲୁ। ଏବେ ଧାନ ଘରେ ପଡ଼ି ରହିଛି। ବ୍ୟାଙ୍କ ଋଣ, ହାତଉଧାରି କିଭଳି ସୁଝିବୁ ଚିନ୍ତାରେ ପଡ଼ିଛୁ।

ଏହି ପରିସ୍ଥିତିରେ ସରକାର ତୁରନ୍ତ ଧାନ କିଣନ୍ତୁ ନଚେତ ଆମେ ଆତ୍ମହତ୍ୟା କରିବୁ ବୋଲି ଚେତାବନୀ ଦେଇଛନ୍ତି ଜୟପୁର ବ୍ଲକର ଘିଉରୀ ଗାଁର ଚାଷୀ। ଏହି ଗାଁର ୧୩୬ଜଣ ଚାଷୀଙ୍କର ଗତ ମାସ ୨୯ଓ ୩୦ତାରିଖରେ ପ୍ରାୟ ୭ହଜାର କୁଇଣ୍ଟାଲ ଧାନ କିଣାଯିବାର ରହିଥିଲା। ତେବେ ସାସ୍ ମିଳିନଥିବା ବାହାନାରେ ଏହି ମଣ୍ଡିରୁ ଧାନ ଉଠାଗଲାନି। ଖାମଖିଆଲି କରି ଏଠାକାର ଚାଷୀଙ୍କ ଧାନ କିଣାଯାଇ ନଥିଲା। ଚାଷୀଙ୍କ ଟକୋନ୍ ଲାପସ୍ ହେବା ପରେ ଆଉ ଚାଷୀ ଧାନ ବିକ୍ରୀ କରି ପାରି ନଥିଲେ। ଏହି ସମସ୍ୟାଟି ମଣ୍ଡି ଆରମ୍ଭ ହେବା ବେଳେ ହୋଇଥିଲେ ହେଁ ଏହି ୨୫ଦିନ ମଧ୍ୟରେ ପ୍ରଶାସନ କିମ୍ବା କୌଣସି ରାଜନୈତିକ ଦଳ ପକ୍ଷରୁ ଟକୋନ୍ ପୁନଃ ସଚଳ କରାଇବା ପାଇଁ ଯେଭଳି ଉଦ୍ୟମ କରାଯିବା କଥା କରାଗଲାନି।

ଚାଷୀମାନେ ଏହି ମାସ ତମାମ୍ ଟକୋନ୍ ସଚଳ ହୋଇଯିବ ଏବଂ ସରକାରୀ ଦରରେ ଧାନ ବିକ୍ରୀ କରି ଦୁଇ ପଇସା ଲାଭ ପାଇବେ ବୋ୍ଲି ଆଶା ବାନ୍ଧି ବସିଥିଲେ। ତେବେ ସେମାନଙ୍କ ଆଶା ନିରାଶରେ ପରିଣତ ହୋଇଛି। ଏପଟେ ମୁଣ୍ଡ ଉପରେ ଖରିପ ଚାଷ ପାଇଁ ପ୍ରସ୍ତୁତି। ଧାନ ବିହନ , ସାର, କୀଟନାଶକ , ଗୋବର ଖତ ଆଦି ସହ ଶ୍ରମିକଙ୍କ ମଜୁରୀ ପାଇଁ ଟଙ୍କା ଦରକାର। ଏହି ସ୍ଥିତିରେ ଏବେ କୁଇଣ୍ଟାଲ ପିଛା ୧୨୦୦ରୁ ୧୪୦୦ମଧ୍ୟରେ ଦଲାଲ ଓ ବ୍ୟବସାୟୀଙ୍କୁ ବିକ୍ରୀ କରିବାକୁ ବାଧ୍ୟ ବୋଲି କହିଛନ୍ତି ଗୌର ଚନ୍ଦ୍ର ବାଗଦେରିଆ, ପ୍ରଦୀପ୍ତ ସାହୁ, ସୁବାସ ଚନ୍ଦ୍ର ବାଗଦେରିଆ, ଦେବରାଜ ବାଗଦେରିଆ, ରାମନାଥ ବାରିକ, ସୁନାଧର ଭୁମିଆ, ଚିତ୍ର ରଣା, ଅର୍ଜୁନ ଗୌଡ, ପ୍ରଦୀପ କୁମାର ପାତ୍ର, ଖଗପତି ବିଷୋଇ। ସରକାରୀ ଦର ଠାରୁ ପ୍ରାୟ ୫୦୦ ଟଙ୍କା କ୍ଷତି ସହିବାକୁ ପଡ଼ିବ। ପ୍ରତିବର୍ଷ ଖରିଫ ଓ ରବିରେ ଘିଉରୀ ମଣ୍ଡିରେ ହିଁ ହେଉଛି। ଏହାର କାରଣ ଖୋଜାଯାଉ। ଆମ ଧାନ ସରକାର କିଣନ୍ତୁ, ନଚେତ ଏହି ସ୍ଥିତିରେ ଆମେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ।

ସମ୍ବନ୍ଧିତ ଖବର