ଜହ୍ନାପଙ୍କ: କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଫଳରେ କେତେକ ସ୍ଥାନରେ ସାଧାରଣ ଖଟିଖିଆଙ୍କ ଉପରେ ଏହାର ପ୍ରଭାବ ବେଶୀ ପରିମାଣରେ ପଡୁଥିବା ଦେଖିବାକୁ ମିଳୁଛି। ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଜହ୍ନାପଙ୍କ ଠାରେ ଥିବା ଚାରିଶମ୍ଭୁ ଦୁଗ୍ଧ ସମବାୟ ସମିତିର ୫୦ରୁ ଊର୍ଦ୍ଧ୍ୱ ଚାଷୀ କ୍ଷୀର ବିକ୍ରି କରି ପାରି ନଥିବାରୁ ଗୁରୁବାର ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଜହ୍ନାପଙ୍କ ଛକ ରାସ୍ତା ଉପରେ କ୍ଷୀର ଢାଳି ପ୍ରତିବାଦ କରିଥିଲେ। ଚାରିଶମ୍ଭୁ ଦୁଗ୍ଧ ସମବାୟ ସମିତିର ୭୦ରୁ ଊର୍ଦ୍ଧ୍ୱ ଚାଷୀ ମନମୁଣ୍ଡା ଠାରେ ଥିବା ଓମଫେଡ଼କୁ ଏକ ବର୍ଷ ପୂର୍ବରୁ କ୍ଷୀର ଦେଉଥିଲେ। ୧୭୦ ଲିଟରର କ୍ଷୀରର ପଇସା ମନମୁଣ୍ଡା ଓମଫେଡ଼ ନଦେବାରୁ ସେମାନେ ଆଉ ମନମୁଣ୍ଡା ଓମଫେଡ଼କୁ କ୍ଷୀର ଦେଲେ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ଚାଷୀମାନେ ବୌଦ୍ଧ ସିଡିଭିଓଙ୍କୁ ଜଣାଇଥିଲେ। କିନ୍ତୁ ସିଡିଭିଓ କିଛି ପଦକ୍ଷେପ ନେଉ ନଥିବାରୁ ବାଧ୍ୟ ହୋଇ ପୁରୁଣା କଟକ ଏକ ଘରେଇ ମିଠା ଦୋକାନିକୁ ୨୫୦ ଲିଟର କ୍ଷୀର ଦେଉଥିଲେ।

Advertisment

ବର୍ତ୍ତମାନ କୋରଣା ମହାମାରୀ ପାଇଁ ଲକଡାଉନ ହେବାରୁ ଉକ୍ତ ମିଠା ଦୋକାନୀ କ୍ଷୀର ନେବା ପାଇଁ ମନା କରିଦେଲେ। ଫଳରେ ବୁଧବାର ଠାରୁ ଚାଷୀ କ୍ଷୀର କେମିତି ବିକିବେ ତାହା ସେମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇ ପଡିଲା। ଫଳରେ ବିକ୍ରି ହୋଇ ପାରି ନଥିବାରୁ ଗୁରୁବାର ସକାଳ ୭ ଟାରେ ୫୦ ରୁ ଉର୍ଦ୍ଧ ଚାଷୀ ଜହ୍ନକ୍ଷପଙ୍କ ଛକ ଠାରେ ରାସ୍ତା ଉପରେ କ୍ଷୀର ଢାଳି ଏହାର ପ୍ରତିବାଦ କରିଥିଲେ। ଏନେଇ ମନମୁଣ୍ଡା ଓମଫେଡ଼ର ଇନଚାର୍ଜ ଅମୁଲ୍ୟ ଓଝାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଚାରିଶମ୍ଭୁ ଦୁଗ୍ଧ ସମବାୟ ସମିତି ଆମକୁ ଏକ ବର୍ଷ ହେଲାନି କ୍ଷୀର ଦେଉନାହିଁ, ଏନେଇ କ୍ଷୀର ଦେବାପାଇଁ ଆମେ ଚିଠି ଦେଇଥିଲୁ କିନ୍ତୁ ସେମାନେ କ୍ଷୀର ଦେଲେ ନାହିଁ, ସେମାନେ କ୍ଷୀର ବାହାରେ ବିକ୍ରି କଲେ ତେଣୁ ତାଙ୍କ ଠାରୁ ଆମେ କ୍ଷୀର ରଖିଲୁ ନାହିଁ। ଏନେଇ ତିନି ମାସ ହେବ ଉକ୍ତ ଦୁଗ୍ଧ ସମବାୟ ସମିତିକୁ ଚିଠି ଲେଖି ଜଣାଇ ଦେଇଛୁ।