ବନ୍ୟା ଉଜାଡ଼ିଲା ଫସଲ: ସହାୟତା ଅପେକ୍ଷାରେ ଚାଷୀ

ନିଆଳି: ଦେବୀ ଓ ଏହାର ଶାଖା କନ୍ଦଳ ନଦୀରେ ବନ୍ୟା ଆସିବାରୁ ନିଆଳି ବ୍ଲକ୍‌ ଦେବୀ-କନ୍ଦଳ ଦ୍ବୀପାଞ୍ଚଳ ସହ ୨୨ମୌଜାରେ ବ୍ୟାପକ ଧାନ ଓ ପରିବା ଫସଲର କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ଦେବୀ-କନ୍ଦଳ ଦ୍ବୀପାଞ୍ଚଳ ଅଧୀନ ଏକବେରୁଆଁ ପଞ୍ଚାୟତର ପଳସା, ସୁଧାନଗର, ନାଟୀ, କାଳଖ, ଏକବେରୁଆଁ, ସିଠାଳୋ ପଞ୍ଚାୟତର ସିଠାଳୋ, ଅମରପଡ଼ା, ବଛସାଇଲୋ, ଶାସନପଦା, ଶଗଡ଼ାଇଲୋ ପଞ୍ଚାୟତର ସୁଆଁଲୋ, ସେଳଦା, ଶଗଡ଼ାଇଲୋ, ଗରପଦା, କଟିକଟା, ରାଣୀଓଳା ପଞ୍ଚାୟତର ପଣ୍ଡାକୂଳ, ବରଗୁଡ଼ିକୁଦ, ବରିଷଣ, ଅଳତଳଙ୍ଗ, ଦକ୍ଷିଣ ରାଣୀଓଳା, କସର୍ଦ୍ଦା ପଞ୍ଚାୟତର କସର୍ଦ୍ଦା, ଟାଇଁସଲ, କବିଚନ୍ଦ୍ରପୁର, ଖଜରା, ପତ୍ରକଣା, ବିଳାସୁଣୀ ଆଦି ଗ୍ରାମର ଶହଶହ ହେକ୍ଟର ଧାନ ଓ ପନିପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଏଥିଯୋଗୁଁ ଚାଷୀମାନେ ନାହିଁ ନ ଥିବା ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। କୃଷି ବିଭାଗ ପକ୍ଷରୁ ଫସଲ ହାନି କ୍ଷୟକ୍ଷତି ରିପୋର୍ଟ ରାଜସ୍ବ ବିଭାଗକୁ ପ୍ରଦାନ କରିଛି। ହେଲେ, କ୍ଷତିଗ୍ରସ୍ତ ଚାଷୀଙ୍କୁ କେବେ ସହାୟତା ମିଳିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶଥାଉ କି, ନିଆଳି ବ୍ଲକ୍ ଅଞ୍ଚଳର ଚାଷୀମାନେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ, ସେବା ସମବାୟ ସମିତି, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଓ ଗାଁର ମହିଳା ଗୋଷ୍ଠୀ ନିକଟରୁ ଋଣ ଆଣି ଧାନ ଓ ପନିପରିବା ଚାଷ କରିଥିଲେ। ହେଲେ, ବନ୍ୟା ଓ ଉଦବୃତ୍ତ ବର୍ଷାଜଳ ନିଷ୍କାସନ ନ ହେବାରୁ ଫସଲ ଉଜୁଡ଼ି ଯାଇଥିଲା।

ଏ ନେଇ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ରାଜସ୍ବ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରାଯାଇଛି। କୃଷି ବିଭାଗର ସୂଚନା ମୁତାବକ, ୨ ହଜାର ୫୪୩ ହେକ୍ଟର ଧାନଜମି ପାଣିରେ ବୁଡ଼ି ରହି ନଷ୍ଟ ହୋଇଛି। ୩୩.୩ ପ୍ରତିଶତ ଫସଲ କ୍ଷତିଗ୍ରସ୍ତ ହେଲେ କ୍ଷୟକ୍ଷତି ରିପୋର୍ଟ ଦିଆଯିବାର ନିୟମ ରହିଛି। ଚଳିତବର୍ଷ ଦ୍ବୀପାଞ୍ଚଳ ସମେତ ବିଳାସୁଣୀ, ବାହାରଣା, ଷଡାଂଶ ଆଦି ପଞ୍ଚାୟତରେ ଶହଶହ ହେକ୍ଟର ଧାନ, ପରିବା ଫସଲ ସହ ପାନ ବରଜ କ୍ଷତିଗ୍ରସ୍ତ ହୋଇଛି। ତେବେ ଗତ ‘ଫନି’ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଓ ପାନ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ମିଳି ନ ଥିଲା ବେଳେ ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ କେବେ ସରକାରୀ ସହାୟତା ପାଇବେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର