ଚାଷୀ ଭାଇଙ୍କ ପାଇଁ ଆସିଲା ଖୁସି ଖବର: ଲଙ୍ଗଳରେ ହଳ କଲାବେଳେ ଆଉ କଷ୍ଟ କରି କାଦୁଅ ଜମିରେ ଚାଲିବାକୁ ପଡ଼ିବନି

ବାରିପଦା: ବଳଦ ଟଣା ଲଙ୍ଗଳରେ ଧାନ ବିଲରେ ହଳ କଲାବେଳେ ଚାଷୀ ଭାଇଙ୍କୁ ଅଶେଷ କଷ୍ଟ ସହିବାକୁ ପଡ଼ିଥାଏ। ଘଣ୍ଟାଘଣ୍ଟା ଖାଲି ପାଦରେ ପାଣି କାଦୁଅରେ ଚାଲିବାକୁ ପଡ଼ିଥାଏ। ଏହି କାରଣରୁ କମ୍‌ କାମକୁ ଅଧିକ ସମୟ ନେଇଥାଏ। ଏପରିକି ଅଧିକାଂଶ ସମୟରେ ଚାଷୀମାନେ ଆଘାତ ମଧ୍ୟ ହୋଇଥାଆନ୍ତି। ମାତ୍ର ଏଣିକି ଆଉ ବଳଦ ଟଣା ଲଙ୍ଗଳରେ ହଳ କଲେ କାଦୁଅରେ ଚାଲିବାକୁ ପଡ଼ିବନି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବ ଭାରତୀୟ ସଂଯୋଜିତ ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ ୧, ଶ୍ୟାମାଖୁଣ୍ଟାର ମିଳିତ ଉଦ୍ୟମରେ ମୟୁରଭଞ୍ଜ ଜିଲାର ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଠାରେ ଧାନ ଚାଷ ପାଇଁ ଓୟୁଏଟି ବଳଦ ଟଣା କାଦୁଅ କରିବା ଯନ୍ତ୍ର ଓ ୮ ଧାଡ଼ିଆ ଗଜା ଧାନ ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ଦେଶୀ ଲଙ୍ଗଳରେ କାଦୁଅ କରିବା ପାଇଁ ଏକର ପିଛା ୧୬-୧୮ ଘଣ୍ଟା ସମୟ ଲାଗିଥାଏ। ଏଥିସହିତ ଚାଷୀଭାଇଙ୍କୁ କାଦୁଅ ଜମିରେ କଷ୍ଟକରି ଘଣ୍ଟାଘଣ୍ଟା ଚାଲିବାକୁ ପଡ଼ିଥା‌ଏ। ମାତ୍ର ଏହି ଉନ୍ନତ କାଦୁଅ କରିବା ଯନ୍ତ୍ରରେ ମାତ୍ର ୪ ଘଣ୍ଟାରେ ଯନ୍ତ୍ରରେ ବସି ଆରାମରେ କାଦୁଅ କରାଯାଇପାରିବ ବୋଲି ଏହାକୁ ବିକଶିତ କରିଥିବା ଗବେଷକ ମାନେ ପ୍ରକାଶ କରିଛନ୍ତି। ସେହିପରି ବିକଶିତ ବଳଦ ଟଣା ୮ ଧାଡ଼ିଆ ଗଜା ଧାନ ବୁଣା ଯନ୍ତ୍ର ସାହାଯ୍ୟରେ ମାତ୍ର ୩ ଘଣ୍ଟାରେ କାଦୁଅ ଜମିରେ ଧାଡ଼ିକୁ ଧାଡ଼ି ୨୦ ସେମି ବ୍ୟବଧାନରେ ଏକ ଏକର ଜମିରେ ଏକର ପିଛା ୧୩ ରୁ ୧୫ କେଜି ବିହନ ବୁଣି ଧାନ ଚାଷ କରାଯାଇ ପାରୁଥିବା ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସୂଚନା ଦେଇଛନ୍ତି।

ଏହି ନୂତନ ଯନ୍ତ୍ର ଫଳରେ ରୁଆ ଧାନ ତୁଳନାରେ ବହୁ ଅଳ୍ପ ପରିଶ୍ରମ, ଖର୍ଚ୍ଚ, ଲୋକବଳରେ ଧାନ ଚାଷ କରାଯାଇପାରୁଛି। ଚାଷୀମାନେ ଏହି ସୁବିଧାକୁ ଆପଣାଇଲେ ନିଶ୍ଚିତ ଲାଭବାନ ହେବେ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଆଜି ଅନୁଷ୍ଠିତ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମକୁ ଅନଲାଇନରେ ଏଇସିଏଆର-ସିଆଇଏଇ, ଭୋପାଳରୁ ପ୍ରକଳ୍ପ ସଂଯୋଜକ ପ୍ରଫେସର ମହାରାଣୀ ଦିନ, ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର ସିମାଚଳ ସାହୁ, ସମ୍ପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରସଂଜିତ ମିଶ୍ର, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସଞ୍ଜୟ କୁମାର ଦାଶ, କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗର ମୁଖ୍ୟ ପ୍ରଫେସର ଦେବରାଜ ବେହେରା, ଓଡିଶା ସରକାରଙ୍କ କୃଷି ବିଭାଗର କୃଷି ଯନ୍ତ୍ରୀ ଓ କୃଷି ଅଧିକାରୀମାନେ ଦେଖି ସନ୍ତୋଷ ପ୍ରକାଶ କରିଥିଲେ ଓ କ୍ଷେତ୍ର ପ୍ରଦର୍ଶନ ଅବସରରେ ଗବେଷଣା ଯନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ଯନ୍ତ୍ରର ବ୍ୟବହାର, ସୁବିଧା, ସତର୍କତା, ମୂଲ୍ୟ, ସରକାରୀ ରିହାତି ଓ ପ୍ରାପ୍ତିସ୍ଥାନ ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ଓ ବେସରକାରୀ ସଂସ୍ଥା ତଥା ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକର ସହାୟତାରେ ପ୍ରକଳ୍ପ ତରଫରୁ ଏହିପରି ଅନେକ କ୍ଷେତ୍ର ପ୍ରଦର୍ଶନ କରାଯିବାର ପ୍ରସ୍ତାବ ଅଛି ବୋଲି ପ୍ରଫେସର ସ୍ୱାଇଁ କହିଥିଲେ ଓ ଏହି ଯନ୍ତ୍ରଟିକୁ ସରକାରୀ ରିହାତି ସହ ରାଜ୍ୟର ଚାଷୀ ଭାଇମାନେ ପାଇପାରିବେ ଓ ଆବଶ୍ୟକ ସ୍ଥଳେ ପ୍ରକଳ୍ପ ତରଫରୁ ସବିଶେଷ ତାଲିମ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଉଛି ଓ ବଳଦ ଉପର ନିର୍ଭର କରୁଥିବା ରାଜ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାଇ ମାନେ ଏହି ଯନ୍ତ୍ର ଗୁଡିକ ସାହାଯ୍ୟରେ ଅପେକ୍ଷାକୃତ ଅଳ୍ପ ସମୟରେ ଅଳ୍ପ ଖର୍ଚରେ, ଅଳ୍ପ ପରିଶ୍ରମରେ ଧାନ ଚାଷ କରିପାରିବେ ବୋଲି ପ୍ରଫେସର ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ ଓ ସମ୍ପ୍ରତି ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷଓ ହୋଇଥିବାରୁ ଓ ସମସ୍ତ ଚାଷ କାମ ପଛେଇ ଯାଇଥିବା ବେଳେ ଏହି ସବୁ ବଳଦ ଟଣା ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଚାଷୀ ଭାଇମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ବୋଲି କାର୍ଯ୍ୟକ୍ରମରେ ଭାଗନେଇଥିବା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ. ସଂଘମିତ୍ରା ପଟନାୟକ ମତ ରଖିଥିଲେ ଓ ଏହି କାର୍ଯ୍ୟକ୍ରମରେ ବାରିପଦା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଲାସା ମୁର୍ମୁ ଓ ସକାରୀ କୃଷି ଯନ୍ତ୍ରୀ ଇଂ ଅନିତା ମୁଣ୍ଡା ପ୍ରମୁଖ ଜିଲାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ମାନଙ୍କର ସୁବିଧା ପାଇଁ ଏହିପରି କ୍ଷେତ୍ର ପ୍ରଦର୍ଶନ ଅନ୍ୟ ବ୍ଲକ ମାନଙ୍କରେ ଆୟୋଜନ କରିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର