ତଳମୁଣ୍ଡକୁ ଯାଉନି କେନାଲ୍‌ ପାଣି, ସୋଠ ଶୁଖିଲା, ଧାନବିଲ ଫାଟି ଆଁ

କିଶନନଗର: କେନାଲ ପାଣି କେବଳ ଉପରମୁଣ୍ଡ ପର୍ଯ୍ୟନ୍ତ ଯାଉଛି। ତଳମୁଣ୍ଡରେ ଥିବା ସୋଠ ଓ ଚାଷଜମିଗୁଡ଼ିକ ଶୁଖିଲା ପଡ଼ିଛି। ଏଥିଯୋଗୁଁ ଧାନବିଲ ଫାଟି ଆଁ କରିଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି କିଶନନଗର ତହସିଲ୍‌ ଅନ୍ତର୍ଗତ ବୋଧପୁର ପଞ୍ଚାୟତର ନାନପୁର ଓ ମାଣପୁର ପଞ୍ଚାୟତର ସରପୁର ଅଞ୍ଚଳରେ। କେନାଲ ପାଣି ଆସୁ ନ ଥିବାରୁ ଚଳିତବର୍ଷ ଏହି ଅଞ୍ଚଳରେ ଖରିଫ ଧାନଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ସୋମପୁର ନିକଟ ତାଳଦଣ୍ଡା କେନାଲ୍‌ରୁ ବାହାରିଥିବା ସାଢ଼େ ୫ନମ୍ବର ଶାଖା କେନାଲ ଉପରେ ସୋମପୁର, ବୋଧପୁର, ମାଣପୁର ଆଦି ଅଞ୍ଚଳର ଚାଷୀମାନେ ନିର୍ଭର କରୁଛନ୍ତି। ହେଲେ, କେନାଲରେ ଆବଶ୍ୟକ ପରିମାଣର ପାଣି ନ ଥିବାରୁ କେବଳ ଉପରମୁଣ୍ଡରେ ଥିବା ଧାନ ଜମି ଜଳସେଚିତ ହୋଇପାରୁଛି ବୋଲି ଚାଷୀମାନେ ସୂଚନା ଦେଇଛନ୍ତି। ବିଶେଷ କରି, ବୋଧପୁର ପଞ୍ଚାୟତର ନାନପୁର ଓ ମାଣପୁର ପଞ୍ଚାୟତର ସରପୁର ଗ୍ରାମ ନିକଟବର୍ତ୍ତୀ ଚାଷଜମିରେ ଥିବା ସୋଠକୁ ଆଦୌ ପାଣି ଉଠୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଏଥିଯୋଗୁଁ ଅଞ୍ଚଳର ୫୦ ଏକରରୁ ଅଧିକ ଧାନବିଲ ଫାଟି ଆଁ କରିଥିବା ଜଣାପଡ଼ିଛି। ସେଚ ବିଭାଗର ତ୍ରୁଟିପୂର୍ଣ୍ଣ କେନାଲ ଜଳ ପରିଚାଳନା ଯୋଗୁଁ ଏଭଳି ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଚାଷୀମାନେ କହିଛନ୍ତି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଧାନ ଜମିରେ ଜଳସେଚନ ସମସ୍ୟାର ସମାଧାନ କରିବାକୁ ଶୁକଦେବ ପରିଡ଼ା, ନିରାକାର ସେନାପତି, ପ୍ରେମାନନ୍ଦ ବେହେରା, ଅକ୍ଷୟ ମଲ୍ଲିକ, ସୁନାକର ମିଶ୍ର ପ୍ରମୁଖ ଚାଷୀ ଦାବି କରିଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର