ସୁନ୍ଦରଗଡ଼: କମଳା ଏକ୍କା। ଟାଙ୍ଗରପାଲି ବ୍ଲକ୍ ସାନପତ୍ରାପାଲି ପଞ୍ଚାୟତ ଗୋଠବନ୍ଧାର ଆଦିବାସୀ ମହିଳା। ଏକଦା ସେ ଥିଲେ ଦାଦନ ଶ୍ରମିକ। ସ୍ବାମୀ ସୁଖଲାଲ ଓ ଦୁଇ ଛୁଆ ସହ ଗୋଆ, ହିମାଞ୍ଚଳ ପ୍ରଦେଶ ଯାଇ ଖଟୁଥିଲେ। ନାମ ମାତ୍ର ଚାଷୀ ଥିଲେ ସୁଖଲାଲ। ଜମିକୁ ଜଳସେଚନର କୌଣସି ବ୍ୟବସ୍ଥା ନଥିଲା, ଯାହା କେବଳ ବର୍ଷା ଜଳ ଭରସା। ସେଥିରୁ ମିଳୁଥିବା ସ୍ବଳ୍ପ ଆୟରେ ପରିବାର ଚଳାଇବା କଷ୍ଟ ସାଧ୍ୟ ଥିଲା। ଅନ୍ୟପଟେ ଚାଷ ପରେ ହାତକୁ ଆଉ କାମ ନଥିବାରୁ ଅନେକ ସମୟରେ ଚୁଲି ହାଣ୍ଡି ମଧ୍ୟ ଶୁଖିଲା ରହୁଥିଲା। ତେଣୁ ପରିବାରକୁ ବର୍ଷରେ ସାତ ମାସ ପର ରାଜ୍ୟରେ କାଟିବାକୁ ପଡ଼ୁଥିଲା। କିନ୍ତୁ ବର୍ଷେ ତଳେ ସ୍ବାମୀ ସୁଖଲାଲ ଯକୃତ ରୋଗରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। କମଳା ମୁଣ୍ଡରେ ଚଡ଼କ ପଡ଼ିଲା। ଯେଉଁଠି ଦିନରାତି ଖଟିଲେ ଖାଦ୍ୟ ମୁଠେ ମିଳୁଛି, ସେଇଠି ସ୍ବାମୀଙ୍କ ଚିକିତ୍ସା ପାଇଁ ଅର୍ଥ ପାଇବେ କେଉଁଠୁ। ତେବେ ସ୍ବାମୀଙ୍କ ଅସୁସ୍ଥତା ଓ ଅଭାବକୁ ନେଇ କମଳା ଚିନ୍ତାରେ ଥିବା ବେଳେ ନୂଆ ବାଟ ଦେଖାଇଥିଲା ଜୈବିକ କୃଷି। ସେଥିରେ ଯୋଡ଼ି ହୋଇଥିଲା ଜଳ ସଂରକ୍ଷଣ ଓ ସେଚନର ନୂଆ ତରିକା ଜଳ କୁଣ୍ଡ, ପାଦଚାଳିତ ପମ୍ପ, ବିନ୍ଦୁ ଜଳସେଚନ କିଟ୍।
ଜୈବିକ ପ୍ରଣାଳୀରେ ପନିପରିବା ଚାଷ କଲେ କମଳା। ସେଇଠୁ ସେ ଦାଦନ ଶ୍ରମିକରୁ ପାଲଟିଗଲେ ସଫଳ ଚାଷୀ। ସାନପତ୍ରାପାଲି ଠାରୁ ୨୨ କିଲୋମିଟର ଦୂର ଘନ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ପାଣି ପାଇଁ ଲୋକେ ୨ଟି ନଳକୂପ ଓ ଗୋଟିଏ ପୋଖରୀ ଉପରେ ନିର୍ଭର କରୁଥିଲେ। ଯାହା ଅକ୍ଟୋବର ପୂର୍ବରୁ ଶୁଖିଲା ପଡ଼ି ଯାଉଥିଲା। ଜଳସେଚନ ତ ସ୍ବପ୍ନ। ଏସ୍ଥିତିରେ ଖରିଫ୍ ଚାଷ ହିଁ ସେମାନଙ୍କୁ କିଛି ମାସର ଖାଦ୍ୟ ଯୋଗାଉଥିଲା। ଏହି ସମୟ ବ୍ୟତୀତ ଅନ୍ୟ ସମୟରେ ଜୀବିକା ପାଇଁ କୌଣସି ସାଧନ ନଥିଲା। ଗାଁ ଲୋକେ ଲଘୁ ବନଜାତ ଦ୍ରବ୍ୟ ମହୁଲ, ଶାଳ ମଞ୍ଜି, ପତ୍ର ସଂଗ୍ରହ କରି ନିଅଣ୍ଟିଆ ଜୀବନ ଜିଉଁଥିଲେ। କିଛି ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ। ସେଥିରେ କମଳାଙ୍କ ପରିବାରର ନାମ ମଧ୍ୟ ଥିଲା। ସ୍ବାମୀ ଅସୁସ୍ଥ ହେବା ପରେ ସେ ମନରେଗାରେ କାମ କରିବା ସହ ଘର ବାଡ଼ିରେ ଆରମ୍ଭ କରିଥିଲେ ପନିପରିବା ଚାଷ। କିନ୍ତୁ ଜଳସେଚନ ବଡ଼ ସମସ୍ୟା ଥିଲା। ଯାହାକୁ ‘ରୁକାର୍ଟ’ ନାମକ ମୁମ୍ବେଇର ଏକ ଆଇଆଇଟି ସଂସ୍ଥା ସମାଧାନ କରି ଦେଇଥିଲା। ନୂଆ ତରିକାରେ ଜଳ ସଂରକ୍ଷଣ ଓ ସେଚନ ବ୍ୟବସ୍ଥା ପାଦଚାଳିତ ପମ୍ପ, ଜଳକୁଣ୍ଡ, ବିନ୍ଦୁ ଜଳସେଚନ କିଟ୍ ଓ ପିକ୍- ରକ୍ଷକ ପହଞ୍ଚାଇଥିଲା।
ଏପରିକି ପନିପରିବାର ସଂରକ୍ଷଣ ପାଇଁ ପ୍ରସ୍ତୁତ କରିଥିଲା ସବଜି କୁଲର୍। ଏଥିପାଇଁ ୨୦୧୯-୨୦ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲା ରୁକାର୍ଟ। ମାତ୍ର ୩୫ ଶହ ଟଙ୍କାରେ ପାଦଚାଳିତ ପମ୍ପ, ଜଳକୁଣ୍ଡ ଓ ବିନ୍ଦୁ ଜଳସଚେନ କିଟ୍ ମିଳି ଯାଇଥିଲା କମଳାଙ୍କୁ। ୨୦୨୦ ସେପ୍ଟେମ୍ବରରେ କମଳାଙ୍କ ପରିବା ବଗିଚାରେ ଏସବୁ ଲାଗିଥିଲା। ପାଦଚାଳିତ ପମ୍ପରେ କୌଣସି ଇନ୍ଧନର ଆବଶ୍ୟକ ନଥିଲା ଓ ପ୍ଲାଷ୍ଟିକ୍ ସିଟ୍ରେ ନିର୍ମିତ ୭ ହଜାର ଲିଟର ସଂରକ୍ଷଣ କ୍ଷମତା ବିଶିଷ୍ଟ ଜଳକୁଣ୍ଡ ପନିପରିବା ଚାଷ ପାଇଁ ଆବଶ୍ୟକ ଜଳ ଯୋଗାଇ ଦେଇଥିଲା। କମଳାଙ୍କୁ ଜୈବିକ ଚାଷର ତାଲିମ ଦେଇଥିଲେ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ସିଆଇଆରଟିଡି। ବିନା ରାସାୟନିକ ସାର ଓ କୀଟନାଶକରେ ପାତଳଘଣ୍ଟା, ଲଙ୍କା, ଅମୃତଭଣ୍ଡା ଆଦି ବହୁ ପ୍ରକାର ପରିବା ତାଙ୍କ ବାଡ଼ିରେ ଫଳିଲା। ମାତ୍ର ଦୁଇ ମାସରେ ପ୍ରଥମ କରି ୩ କ୍ବିଣ୍ଟାଲ ପାତଲଘଣ୍ଟା ଉତ୍ପାଦନ କଲେ। ଯାହାକୁ ସେ କେଜି ୪୦ରୁ ୪୫ ଟଙ୍କାରେ ବିକି ଭଲ ଦୁଇ ପଇସା ରୋଜଗାର କଲେ। ଜାନୁଆରି ବେଳକୁ ପୁଣି ଉତ୍ପାଦିତ ହେଲା ପରିବା। ଯାହାକୁ ବିକି ସେ ପ୍ରାୟ ୨୫ ହଜାର ଟଙ୍କା ପାଇଥିଲେ। ସେଥିରେ ସ୍ବାମୀଙ୍କ ଚିକିତ୍ସା ସହ ପରିବାର ମୁହଁକୁ ଖାଦ୍ୟ ମିଳିଗଲା। ଦାଦନରୁ ମୁହଁ ଫେରାଇ ପରିବା ବାଡ଼ିରୁ ରୋଜଗାର ସାଉଁଟୁଥିବା କମଳା ଏବେ ଗାଁର ଅନ୍ୟ ଅଧିବାସୀଙ୍କୁ ଦେଖାଇଛନ୍ତି ଜୀବିକାର ବାଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/IMG-20210523-WA0024.jpg)
