ଜୟପୁର: ଧାରା ଶ୍ରାବଣ ମାସରେ ଯେଉଁଭଳି ବର୍ଷା ପଡ଼ିବ ବୋଲି ଆଶା କରାଯାଉଥିଲା ସେ ଭଳି ବର୍ଷା ହେଉନି। ଏହାର ପ୍ରଭାବ ଜିଲ୍ଲାର ଚାଷ ଉପରେ ପଡ଼ିଛି। ଯେଉଁ ଅଞ୍ଚଳରେ ମୁଖ୍ୟକେନାଲ କିମ୍ବା ନଦୀ, ନାଳ ରହିଛି ସେ ଅଞ୍ଚଳରେ ଚାଷୀ ମାନେ ମୋଟର ଲଗାଇ ପାଣି ମଡ଼ାଇ ରୁଆ କରୁଛନ୍ତି। ଫଳରେ ଯେଉଁ ମାତ୍ରାରେ ଧାନ ରୁଆ ଏପର୍ଯ୍ୟନ୍ତ ହେବ ବୋଲି ଆଶା କରାଯାଉଥିଲା ତାହା ହୋଇ ପାରିନି। ‌ଗତ କିଛିଦିନ ହେବ ବର୍ଷା ଲୁଚକାଳି ଖେଳ ଖେଳୁଛି।

Advertisment

ଏହିକ୍ରମରେ ଆଜି ଗୁରୁବାର ଜୟପୁର ଉପଖଣ୍ଡର ଜୟପୁରରେ ୮.୨ମିଲିମିଟର, କୋଟପାଡରେ ୪ ମିଲିମିଟର, ବୈପାରୀଗୁଡାରେ ୧ ମିଲିମିଟର ବର୍ଷା ହୋଇଥିବା ବେଳେ ବୋରିଗୁମ୍ମା ଓ କୁନ୍ଦ୍ରା‌ରେ ବର୍ଷା ‌ହିଁ ହୋଇନି। ଅପରପକ୍ଷରେ ଘରେ ଥିବା ଗୋବର ଖତ ଓ ଗତ ବର୍ଷର ପୁରୁଣା ସାର ପକାଇ ହାଇବ୍ରିଡ଼ ବିହନରେ ତଳି ପ୍ରସ୍ତୁତ କରି ରଖିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି। ପର୍ଯ୍ୟାପ୍ତ ପରିମାଣର ବର୍ଷା ହେଉନଥିବାରୁ ଚାଷୀ ତଳି ପ୍ରସ୍ତୁତ କରି ରଖିଥିଲେ ହେଁ କାଦୁଅ କରି ନ ପାରି ରୁଆ କରିପାରୁ ନାହାନ୍ତି ବୋଲି କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଶ୍ବରାଜ ରଥ। ଗୋଟିଏ ପଟେ ବର୍ଷା ଓ ଅନ୍ୟ ପଟେ ସାର ମିଳୁନି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ସାର ଏବର୍ଷ ଗଚ୍ଛିତ ରହିଛି ବୋଲି କହୁଥିବା ବେଳେ ବିତରକ ମାନେ ସେମାନଙ୍କ ନିକଟରେ ଆଉ ସାର ନଥିବା କହୁଛନ୍ତି। ଜିଲ୍ଲାରେ ୟୁରିଆ ୨୧ହଜାର ୫୦୦ କ୍ବିଣ୍ଟାଲ, ସୁପର ପସଫେଟ୍ ୨୦୫ କ୍ବିଣ୍ଟାଲ, ଡିଏପି ୧୨ ହଜାର ୬୫୦ କ୍ବିଣ୍ଟାଲ, ପଟାସ୍ ୬ ହଜାର ୫୦୦ କ୍ବିଣ୍ଟାଲ, ମିଶ୍ରିତ ସାର ୯୨୯୩ କ୍ବିଣ୍ଟାଲ ଏଭଳି ୫୦ ହଜାର ୧୪୮ କ୍ବିଣ୍ଟାଲ ଧାର୍ଯ୍ୟ ରଖାଯାଇଛି।

publive-image Sambad

ଏପର୍ଯ୍ୟନ୍ତ ଜିଲ୍ଲାରେ ୟୁରିଆ ୭ ହଜାର ୮୮୦ କ୍ବିଣ୍ଟାଲ, ଡିଏପି ୫ହଜାର ୯୧୯ କ୍ବିଣ୍ଟାଲ, ଏମଓପି ୧୯୮୪ କ୍ବିଣ୍ଟାଲ, ଏନପିକେଏସ୍ ୬୫୮୭ କ୍ବିଣ୍ଟାଲ, ଏସଏସପି ୧୧୩.୫୯ କ୍ବିଣ୍ଟାଲ ଏଭଳି ୨୨ ହଜାର ୪୮୫ କ୍ବିଣ୍ଟାଲ ବିଭିନ୍ନ ପର୍ଯ୍ୟାୟରେ ଗଚ୍ଛିତ ରହିଥିବା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୂଚନା ଦେଇଛନ୍ତି। ସାର ବିକ୍ରି କରୁଥିବା ଲ୍ୟାମ୍ପ, ଆରସିଏମଏସ୍, ବିତରକ, ଓ ଖୁଚୁରା ବ୍ୟବସାୟୀ ନୂଆ ନୂଆ ପଇଁତାରା ଆପଣାଇ ଚାଷୀ କରୁଥିବା ଜମିର ପରିମାଣ ଅନୁଯାୟୀ ସାର ଦେଉ ନାହାନ୍ତି। ପ୍ରଥମେ ଚାଷୀଙ୍କୁ ଜମିର ରେକର୍ଡ ଅଫ ରାଇଟସ (ଆରଓଆର) ଓ ଜମିର ସିସ୍ତୁ ରସିଦ ଆଣିବାକୁ କହୁଥିଲେ। ଜମିର ପରିମାଣ ଅନୁଯାୟୀ ପ୍ରାରମ୍ଭରେ ସାର ଅଳ୍ପ କିଛିଦିନ ଦେବା ପରେ ପରବର୍ତ୍ତୀ ସମୟରେ ବନ୍ଦ କରି ଦେଇଥିଲେ। ଏବେ ଆଧାରକାର୍ଡ ଆଣିବାକୁ କହୁଛନ୍ତି। ଆଧାରକାର୍ଡ଼ ନେଇ ଜମିର ପରିମାଣ ଅନୁଯାୟୀ ସାର ନ ଦେଇ ବିତରକ ଓ ଖୁଚୁରା ବ୍ୟବସାୟୀଙ୍କ ଷ୍ଟକ ଅନୁଯାୟୀ ସାର ଦିଆଯାଉଛି ବୋଲି ଏମାନେ କହିଛନ୍ତି। ଏହି ସ୍ଥିତିରେ ଚାଷୀ ମାନେ ସାର ପାଇଁ ବାରମ୍ବାର ଏମାନଙ୍କ ନିକଟକୁ ନିଜର ଛୋଟ ଛୋଟ ପିଲା ଛୁଆଙ୍କୁ ଧରି ବି ଦଉଡିବାକୁ ପଡ଼ୁଛି। ସାର ଯୋଗାଣ ପଦ୍ଧତି ଦିଗରେ ପ୍ରଶାସନ ଓ ଲୋକପ୍ରତିନିଧି ମାନେ ଦୃଷ୍ଟି ଦେଇ ଚାଷୀ ମାନେ କିଭଳି ସହଜ ଓ ସରଳରେ ସାର ପାଇବେ ସେ ଦିଗରେ ଦୃଷ୍ଟି ଦେବାକୁ ଚାଷୀ ମାନେ ଦାବି କରିଛନ୍ତି।