ମାର୍ଶାଘାଇ: ଧାରା ଶ୍ରାବଣରେ ବର୍ଷା ଅଭାବ। ଗାଡ଼ିଆ, ପୋଖରୀଠାରୁ କେନାଲ୍‌ ପର୍ଯ୍ୟନ୍ତ ସବୁ ଶୁଖିଲା ପଡ଼ିଥିବାରୁ ଜମି ପଡ଼ିଆ ପଡ଼ିଛି। ଫଳରେ ଖରିଫ ଫସଲ ନେଇ ଚାଷୀ ଚିନ୍ତାରେ। ଅନ୍ୟପକ୍ଷରେ ପ୍ରାକ୍ ମୌସୁମୀ ସ୍ବଳ୍ପ ବର୍ଷାରେ ଚାଷୀ ବୁଣିଥିବା ସଅଳ ଅମଳକ୍ଷମ ବିଅଳି ଧାନ ଓ ତଳିଘେରା ସଂପୂର୍ଣ୍ଣ ଜଳିଗଲାଣି। ଦୂରଦୂରାନ୍ତରୁ ପମ୍ପ ସାହାଯ୍ୟରେ ପାଣି ଉଠାଇ କେତେକ ସ୍ଥାନରେ ତଳିଘେରା ବଞ୍ଚାଉଛି ଚାଷୀ। ଅନେକ ସ୍ଥାନରେ ବର୍ଷା ଅଭାବରୁ ତଳି ପଡ଼ିପାରୁ ନାହିଁ। ଖାଲୁଆ ଜମି ପାଇଁ ତଳି ପକାଇବା ସମୟ ଗଡ଼ିଗଲାଣି। ବିଗତ ବର୍ଷମାନଙ୍କରେ ଆଷାଢ଼ରେ ରୁଆ ବେଉଷଣ କାମ ଆରମ୍ଭ ହେଉଥିବାବେଳେ ଏଯାଏ ବହୁ ଶାରଦ ଧାନ ଜମିକୁ ଲଙ୍ଗଳ ଯାଇନି। ମାର୍ଶାଘାଇ କୃଷି ଜିଲ୍ଲା ଅର୍ନ୍ତଗତ ମହାକାଳପଡ଼ା, ମାର୍ଶାଘାଇ ଓ ଗରଦପୁର ବ୍ଲକ୍‌ରେ ସମାନ ସ୍ଥିତି ଜାରିରହିଛି। ଗାଡ଼ିଆ ପୋଖରୀରେ ପାଣିଥିଲେ ଚାଷୀ ପମ୍ପ ସାହାଯ୍ୟରେ କିଛି ନ ହେଲେବି ତଳିଘେରା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇପାରିଥାନ୍ତେ। ଏହା ନଥିବାରୁ ସେତକ ବି ହୋଇପାରୁ ନାହିଁ। ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ୍‌ ଶୁଖିଲା ପଡ଼ି ଚାରଣ ଭୂମି ଓ ପିଲାଙ୍କ ଖେଳପଡ଼ିଆ ପାଲଟିଥିବାରୁ ଶାଖା କେନାଲ୍‌ରେ ପାଣି ଆସିବ କେଉଁଠୁ? ଅନ୍ୟପକ୍ଷେ ବର୍ଷା ଜଳ ଅଭାବରୁ ନଳିତା ଫସଲ ଜଳିଗଲାଣି। ପାଣିପାଗର ଏପରି ବିଚିତ୍ରତା ଓ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହ ଆଗରୁ କେବେ ଦେଖା ଦେଇନଥିଲା ବୋଲି ବହୁ ପୁରୁଖା ଚାଷୀ କହିଛନ୍ତି। ମାର୍ଶାଘାଇ କୃଷି ଜିଲ୍ଲାର ତିନୋଟି ବ୍ଲକ୍‌ର ମୋଟ୍‌ ୪୮ହଜାର ୭୮୨ ହେକ୍ଟର୍‌ ଚାଷ ଜମିରୁ ୪୦ହଜାର ୨୦୦ହେକ୍ଟର୍‌ ଜମିରେ ଖରିଫ ଧାନ ଫସଲ ଚାଷ କରାଯାଇ ଥାଏ।

Advertisment

ମାର୍ଶାଘାଇ ବ୍ଲକ୍‌ର ଅଣଜଳସେଚିତ ପରକୁଳା, ରାଘବପୁର, ଆଖୁଆଦକ୍ଷିଣୀ, ବଛରାଇ, ବନ୍ଧକଟା, ଗରଜଙ୍ଗା, ତାଳସଙ୍ଗା, ବେରୁହାଁ, ମଙ୍ଗରାଜପୁର, ଅନ୍ତେଇ, ବଟିରା, ଆଇତିପୁର, ଜଳପୋକ ଆଦି ୨୪ଟିଯାକ ପଞ୍ଚାୟତରେ ଏପରି ସଙ୍ଗିନ ସ୍ଥିତି ଉପୁଜିଛି। ସେହିପରି ମହାକାଳପଡ଼ା ବ୍ଲକ୍‌ର ୨୭ଟି ପଞ୍ଚାୟତ ଓ ଗରଦପୁର ବ୍ଲକ୍‌ର ୧୮ଟି ପଞ୍ଚାୟତରେ ମଧ୍ୟ ଅନୁରୂପ ଅବସ୍ଥା। କାଁଭାଁ ନଦୀକୂଳବର୍ତ୍ତୀ ଜମିରେ ଚାଷ କରାଯାଇଥିବା ପନିପରିବା ପାଣି ମଡ଼ାଇବା ପରେପରେ ପ୍ରବଳରୁ ଅତିପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଶୁଖି ଯାଉଥିବାରୁ ତାହା ବଞ୍ଚାଇବା ସମ୍ଭବ ହୋଇପାରୁନାହିଁ। କେଉଁଠି ବି ପାଣିଟୋପେ ମିଳୁନଥିବାରୁ କେତେକ ସ୍ଥାନରେ ଚାଷୀ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଟ୍ୟାପ୍‌ରୁ ପାଣିନେଇ ଘରପାଖ ଜମିର ତଳି ଘେରାରେ ପାଣି ଦେଇ ବଞ୍ଚାଇ ରଖୁଥିବା ଦେଖାଯାଉଛି। ସ୍ବଳ୍ପ ତଥା ନିଅଣ୍ଟିଆ ବର୍ଷା ଫଳରେ ଚଳିତବର୍ଷ ଖରିଫ ଫସଲ ଅମଳର ଆଶା ଚାଷୀ ମନରୁ ମଉଳିଗଲାଣି। ବିଗତ ୪୦ ବର୍ଷ ଭିତରେ ପାଣିପାଗର ଏପରି ବିଚିତ୍ରତା ଦେଖିବାକୁ ମିଳିନଥିଲା ବୋଲି ବହୁ ପୁରୁଖା ଚାଷୀ ମତ ଦେଇଛନ୍ତି। ବିଳମ୍ବ ହେଲେବି କେନାଲ୍‌ରେ ଜଳ ଯୋଗାଇ ଦେଲେ ଜଳସେଚିତ ଅଞ୍ଚଳରେ ତଳିଘେରା ପ୍ରସ୍ତୁତ କରାଯାଇପାରନ୍ତା ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି।