ଆଷାଢ଼ ସରିଲା; ଜମି ପଡ଼ିଆ

ମାର୍ଶାଘାଇ: ଆଷାଢ ସରିଲା। ତଥାପି ବିଲକୁ ଲଙ୍ଗଳ ଗଲାନି। ଗତ ଖରିଫ ଋତୁରେ ଏହି ସମୟରେ ରୁଆବେଉଷଣ ଚାଲିଥିବାବେଳେ ଚାଷୀ ତଳିଘେରା ପ୍ରସ୍ତୁତି କରୁଛି। ତଳି ପଡିବ ଆଉ ତଳି ରୁଆ ପାଇଁ ପାଖାପାଖି ମାସେ ସମୟ ଲାଗିବ। ସେତେବେଳକୁ ଶ୍ରାବଣ ମାସ ଶେଷ ହୋଇଥିବ। ଏଥିରେ ଖରିଫ ଧାନ ଚାଷ କିପରି ହେବ ବୋଲି ଚାଷୀ ମୁଣ୍ତରେ ହାତ ଦେଇବସିଲାଣି। ବହୁ ବ୍ୟୟରେ କଳ ଲଙ୍ଗଳରେ ଚାଷ କରି ସଅଳ ଅମଳକ୍ଷମ ବିଅଳୀ ଧାନବୁଣିବାକୁ ଜମି ପ୍ରସ୍ତୁତ କରିଥିବା ଚାଷୀ ଆଉ ସମୟ ନ ଥିବାରୁ ଧାନ ବୁଣିବା ଛାଡି ଦେଇଛନ୍ତି। ସେହି ସମସ୍ତ ଜମି ଆଗାମୀ ରବି ଫସଲ ପର୍ଯ୍ୟନ୍ତ ପଡିଆ ପଡିବ। ଚାଷୀପାଖରେ ସେଥିପାଇଁ ଆଉ କୌଣସି ବିକଳ୍ପ ନାହିଁ। ଗୋଟେ ପଟେ ବର୍ଷା ଅଭାବ ସାଙ୍ଗକୁ ସରକାରୀ ଧାନ ବିହନ ଯୋଗାଣ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛିା ଆଜି ବି ଚାଷୀ ଆବଶ୍ୟକ କରୁଥିବା ବିହନ ନ ପାଇ ବାହାର ରାଜ୍ୟର ଧାନବିହନ ଉପରେ ନିର୍ଭର କରୁଛି। ଏପ୍ରିଲ୍‌ ମାସଠାରୁ ସ୍ବଳ୍ପ ବୃଷ୍ଟିପାତ ତଥା ଅନିୟମିତ ପାଣିପାଗ ଯୋଗୁ ଚଳିତ ଖରିଫ ଋତୁରେ ବିଅଳୀ ଧାନ ପରି ବହୁ ଉଚ୍ଚ ତଥା ଢିପଜମିରେ ଚାଷ କରାଯାଇଥିବା ନଳିତା ଫସଲ ବର୍ଷା ଅଭାବରୁ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସଂପୂର୍ଣ୍ଣ ଜଳିଯିବା ପରେ ତାହା ବି ପଡିଆ ପଡିଛି। ଜଳସେଚିତ ତଥା ଅଣ ଜଳସେଚିତ ଅଂଚଳରେ ସମାନ ସ୍ଥିତି ଥିବା ବେଳେ ଜମ୍ବ–ମାର୍ଶାଘାଇ କେନାଲରେ ପାଣି ଆସିବା ପରେ ଜଳସେଚିତ ଜମିରେ ବିଳମ୍ବରେ ହେଲେ ବି ତଳି ପ୍ରସ୍ତୁତି ସମ୍ଭବ ହୋଇଛି। ବହୁ ବିଳମ୍ବରେ ଦୁଇଦିନ ହେବ ମାର୍ଶାଘାଇ କୃଷି ଜିଲ୍ଲାର ମହାକାଳପଡା, ମାର୍ଶାଘାଇ ଓ ଗରଦପୁର ବ୍ଲକ ଅଂଚଳରେ ବର୍ଷା ଲାଗି ରହିଛି। ଏଥିରେ ଚାଷୀକୁ ଆଶ୍ବସ୍ତି ମିଳିଥିବା ବେଳେ ଏହି ବର୍ଷାରେ ଚାଷୀ ବହୁ ବିଳମ୍ବରେ ତଳି ଘେରା ପ୍ରସ୍ତତି କରୁଛି। ଦୀର୍ଘ ୪ମାସ ଧରି ବର୍ଷା ଜଳକୁ ଚାତକ ପରି ଚାହିଁ ଚାହିଁ ଚାଷୀ ବିଅଳୀ ଧାନ ଓ ଅର୍ଥକାରୀ ନଳିତା ଫସଲ ହରାଇ ସାରିଛି।

ଉଲ୍ଲେ୍ଖ ଥାଉ କି, ବିଭିନ୍ନ ବ୍ଲକ୍‌ରେ ଚାଷୀ କେଉଁଠି କେମିତି ପମ୍ପ ସାହାଯ୍ୟରେ ନଳିତା ଫସଲ ବଂଚାଇ ରଖିଛି। ତେବେ ନଳିତା ଫସଲର ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହା ଢେ଼ର କମ୍। ଏହି କୃଷି ଜିଳ୍ଲା ଅର୍ନ୍ତଗତ ମାର୍ଶାଘାଇ ବ୍ଲକର ଜଳସେଚିତ ଜମିକୁ ବାଦ ଦେଲେ ଆଇତିପୁର, ଜଳପୋକ, ଆଖୁଆ-ଦକ୍ଷିଣୀ, ରାଘବପୁର, ପରକୁଳା, ବଛରାଇ, ବନ୍ଧକଟା, ତାଳସଙ୍ଗା, ଗରଜଙ୍ଗା, ବେରୁହାଁ, ମଙ୍ଗରାଜପୁର, ଅନ୍ତେଇ, ବଟିରା ଆଦି ପଂଚାୟତର ଅଣଜଳସେଚିତ ଜମିର ଅବସ୍ଥା ବର୍ତମାନ ସଂଗିନ। ଉଲ୍ଳେଖନୀୟ ଏହିକି ଯେ, ବ୍ଲକର ଲୁଣା-ଚିତ୍ରୋତ୍ପଳା ତ୍ରିକୋଣଭୂମିର ଉଭୟ ପାର୍ଶ୍ବରେ କରାଣ୍ତିଆ ଓ ପୁନ୍ଦାଳ ମାଇନର ଥିବା ବେଳେ ସେଥିରେ ପାଣି ନ ଥିବାରୁ ତଳମୁଣ୍ତର ଚାଷୀ ପାଣି ପାଇ ପାରୁନାହାନ୍ତି। କରାଣ୍ତିଆ ମାଇନର କଡ଼ରେ ଥିବା କରିଲୋପାଟଣା, ଜମପଡା, ମେହେନ୍ଦିନଗର ପଂଚାୟତର ସମାନ ଅବସ୍ଥା। ଜମ୍ବୁ–ମାର୍ଶାଘାଇ ମୁଖ୍ୟ କେନାଲ ଅତୀତରେ ବର୍ଷ ସାରା ପାଣି ଯୋଗାଉ ଥିବାବେଳେ ଏବେ ତାହା ୧୦ ମାସରୁ ଅଧିକ କାଳ ଶୁଖିଲା ପଡୁଛି। ଏହି କୃଷି ଜିଲ୍ଲାର ଗରଦପୁର ବ୍ଲକର ୧୮ଟି ପଂଚାୟତ ପାଇଁ କେନାଲ ଜଳସେଚନର ବ୍ୟବସ୍ଥା ନାହିଁ। ଫଳରେ ଚାଷୀ ଚଳିତ ଖରିଫ ଋତୁରେ ଅନୁରୂପ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେହିପରି ମହାକାଳପଡା ବ୍ଲକର ଅଣଜଳସେଚିତ ତିଖିରୀଠାରୁ ଟିକରପଙ୍ଗା ଓ ତେରଗାଁଠାରୁ ଜୟଜନ୍ଦ୍ରପୁର ଆଦି ପଂଚାୟତର ଚାଷ ଜମି ଏପରି ସ୍ଥିତିରେ ଥିବା ବେଳେ ଦଶମୌଜୀ କୁହାଯାଉଥିବା କରଞ୍ଜ ଓ ବଡକୂଳ ପଂଚାୟତର ସମାନ ଅବସ୍ଥା। ସବୁଠି ବର୍ଷା ଅଭାବରୁ ଚାଷୀ ଆଉ ଚାଷ ଚଳିତ ଖରିଫ ଋତୁରେ ପଛରୁ ପଛୁଆ। ଯେଉଁ ଜମିରେ ଏବେ ଜୋରସୋରରେ ରୁଆବେଉଷଣ ଚାଲିଥାନ୍ତା ତାହା ଏବେ ଚାରଣଭୂମି ପାଲଟିଛି। ଅନ୍ୟପଟେ ଗତ ଖରିଫ ଧାନ ଅମଳ ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁ ଚାଷୀ ପାଣିରୁ ଛାଣି ଧାନ ଅମଳ କରିଥିଲା। ବିହନଯୋଗାଣ ଓ କେନାଲ ଜଳସେଚନ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ଚାଷୀର ମେରୁଦଣ୍ତ ଦୋହଲାଇ ଦେଇଛି।
ସୂଚନା ଅନୁସାରେ, ମାର୍ଶାଘାଇ କୃଷି ଜିଲ୍ଳା ମହାକାଳପଡା ବ୍ଲକର ୨୮ହଜାର ୨୦ ହେକ୍ଟର ଚାଷ ଜମିରୁ ୨୪ହଜାର ୨ଶହ ହେକ୍ଟର ଧାନ ଚାଷଜମି ଥିବା ବେଳେ ମାର୍ଶାଘାଇ ବ୍ଲକର ୧୧ହଜାର ୬୪୨ଚାଷ ଜମିରୁ ୮ହଜାର ୫ଶହ ହେକ୍ଟର ଓ ଗରଦପୁର ବ୍ଲକର ୯ହଜାର ୧୨୫ ହେକ୍ଟର ଚାଷଜମିରୁ ୭ହଜାର ୫ଶହ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି। ୮ହଜାର ୫୮୨ହେକ୍ଟର ଜମିରେ ଅଣଧାନଫସଲ ଚାଷ କରାଯାଇଥାଏ।

ସମ୍ବନ୍ଧିତ ଖବର