ରାଜନଗର: ଜୱାଦ ପ୍ରଭାବରେ ରାଜନଗରରେ ୩ଦିନରେ ୨୧୦ ମିଲିମିଟର ବର୍ଷା ହେଲା। ପ୍ରବଳ ବର୍ଷା ଓ ପବନ ଯୋଗୁଁ ପାଚିଲା ଓ କଞ୍ଚା ଧାନ ଫସଲ ବିଲରେ ଶୋଇଲା। ଧାନ ଫସଲ ଉପରେ ଫୁଟେ ଦୁଇଫୁଟର ପାଣି ଅନେକ ଦିନ ଧରି ଜମି ରହିଲା। ଅଧିକାଂଶ ବିଲରେ ଧାନ ପଚିଯିବା ସହ ଆଉ କିଛି ବିଲରେ ପାଚିଲା ଧାନ ଗଜା ହୋଇଗଲା। ସୁନାର ଫସଲକୁ ହରାଇ ଚାଷୀର ଆଖିରୁ ଏଯାଏଁ ଲୁହ ଶୁଖିନି। ସବୁଠୁ ଆଶା ହରାଇ ସରକାରୀ ସହାୟତା ଓ ବୀମା ଅର୍ଥକୁ ଚାଷୀ ଚାହିଁ ରହିଥିଲା। ରାଜ୍ୟ ସରକାର ଓ ବୀମା କମ୍ପାନି ପକ୍ଷରୁ ପୃଥକ ଭାବେ କ୍ରପ୍ କଟିଂ ସର୍ କରାଯାଇ ରିପୋର୍ଟ ଦିଆଗଲା। ରାଜନଗର ବ୍ଲକରେ ରାଜସ୍ବ ବିଭାଗ, କୃଷି ବିଭାଗ ଓ ଉଦ୍ୟାନକୃଷି ବିଭାଗର ମିଳିତ ସର୍ଭେ ରିପୋର୍ଟରେ ଏହି ବ୍ଲକରେ ୧୩,୭୮୧ ହେକ୍ଟର ଚାଷଜମିରେ ଖରିଫ ଧାନ ଫସଲ ନଷ୍ଟ ହୋଇଥିବା ରିପୋର୍ଟ ଦିଆଗଲା। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ୍ ସହାୟତା ବାବଦକୁ ୯ କୋଟି ୩୭ ଲକ୍ଷ ୪ହଜାର ଟଙ୍କା ପ୍ରଦାନ କରିସାରିଛନ୍ତି। ବ୍ଲକର ୨୯ଟି ପଞ୍ଚାୟତରେ ୩୩ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ କ୍ଷତି ହୋଇଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଥିଲା। ସରକାରୀ ଇନପୁଟ୍ ସହାୟତା ମିଳି ସାରିଥିବା ବେଳେ ଏଯାଏ ଫସଲ ବୀମା ଅର୍ଥ ଆଜିଯାଏଁ ମିଳିନି। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଇନ୍ସ୍ୟୁରାନ୍ସ କମ୍ପାନି ବୀମା ଅର୍ଥ ଆଜିଯାଏଁ ଦେଇନି କି ଦେବାର ନାଁ ଧରୁନି। ଫସଲ କ୍ଷୟକ୍ଷତି ରିପୋର୍ଟ ପରେ ବି ଚାଷୀ ବୀମା ଅର୍ଥ ପାଉନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ନଦୀ ନାଳ ଘେରା ରାଜନଗର ବାତ୍ୟା ଓ ବନ୍ୟା ପ୍ରବଣ ଅଞ୍ଚଳ। ଏହି ବ୍ଲକରେ ଚାଷୀମାନେ କେବଳ ଖରିଫ ଧାନ ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଗତ ୨୦୨୧ରେ ବାତ୍ୟା ଜୱାଦରେ ରାଜନଗର ଅଞ୍ଚଳରେ ବ୍ୟାପକ ଖରିଫ ଧାନ ଫସଲ କ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ଏଚ୍ଡିଏଫସି ଏର୍ଗୋ ବୀମା କମ୍ପାନି ପକ୍ଷରୁ ରାଜନଗର ଅଞ୍ଚଳରେ କ୍ରପ୍ କଟିଂ ସର୍ଭେ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ନିୟମ ମୁତାବକ ବୀମା କମ୍ପାନିର କର୍ମଚାରୀଙ୍କ ସହିତ ପରିସଂଖ୍ୟାନ ବିଭାଗର କର୍ମଚାରୀ, କୃଷିବିଭାଗ ଓ ରାଜସ୍ବ ନିରୀକ୍ଷକମାନେ ମିଳିତ ଭାବେ କ୍ରପ୍ କଟିଂ କରିଥିବା ନିୟମ ଥିବାବେଳେ କେବଳ ବୀମା କମ୍ପାନିର କର୍ମଚାରୀମାନେ ଯାଇ କ୍ରପ୍ କଟିଂ କରିଥିଲେ। ସେତେବେଳେ ଯେଉଁ ଅଞ୍ଚଳକୁ ବୀମା କମ୍ପାନିର କର୍ମଚାରୀ କ୍ରପ୍ କଟିଂ ପାଇଁ ଯାଉଥିଲେ, ସେ ଅଞ୍ଚଳରେ କ୍ଷତିଗ୍ରସ୍ତ ଜମି ବଦଳରେ ଅଧିକ କ୍ଷତି ହୋଇନଥିବା ଜମିରେ କ୍ରପ୍ କଟିଂ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଥିଲେ।
ଚାଷୀମାନେ କ୍ଷତିଗ୍ରସ୍ତ ଜମି ଦେଖାଇ କ୍ରପ୍ କଟିଂ କରିବାକୁ କହିଲେ ମଧ୍ୟ ବୀମା କମ୍ପାନି କର୍ମଚାରୀମାନେ ଶୁଣୁନଥିଲେ। ବୀମା କମ୍ପାନିର ମନମାନି ପରେ ସେମାନେ ସର୍ଭେ କରୁଥିବା ସମୟରେ ଚାଷୀମାନେ ସେମାନଙ୍କୁ ଜଗି ରହି ଠିକ୍ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ସେ ସମୟରେ ରାଜନଗର ବ୍ଲକର ଅଧିକାଂଶ ପଞ୍ଚାୟତରେ ଫସଲ କ୍ଷୟକ୍ଷତିର ରିପୋର୍ଟ ଆସିଥିଲା। ଉଦାହରଣ ସ୍ବରୂପ ରାଜନଗର ପଞ୍ଚାୟତରେ ୪୦ ରୁ ୫୦ ପ୍ରତିଶତ ଧାନ ଫସଲ କ୍ଷୟକ୍ଷତି ହୋଇଥିବା ନେଇ ବୀମା କମ୍ପାନିର ସର୍ଭେ ରିପୋର୍ଟ ଆସିଥିଲା। ଏହାସତ୍ବେ ମଧ୍ୟ ଫସଲ କ୍ଷୟକ୍ଷତି ହେବାର ୧୦ମାସ ବିତିବାକୁ ବସିଥିବା ବେଳେ ଆଜିଯାଏଁ ବୀମା ଅର୍ଥ ମିଳିପାରିନାହିଁ। ରାଜନଗର ବ୍ଲକରେ ୧୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ୧୦,୫୬୧ ଚାଷୀଙ୍କୁ ୩୭ କୋଟି ୨୧ ଲକ୍ଷ ୯୬ହଜାର ୫୦୨ ଟଙ୍କା ୨୦୨୧ ଖରିଫ ଋତୁରେ ଋଣ ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା କରୁଥିବା ଏଚ୍ଡିଏଫସି ଏର୍ଗୋ ବୀମା କମ୍ପାନି ଋଣ ଅର୍ଥର ୨ ପ୍ରତିଶତ ଅର୍ଥାତ୍ ୭୪ ଲକ୍ଷ ୪୩ ହଜାର, ୯୩୦ ଟଙ୍କା ବୀମା ଅର୍ଥ ବାବଦକୁ ନେଇଛି। ଜୱାଦ ବାତ୍ୟାରେ ସୁନାର ଫସଲକୁ ହରାଇ ଚାଷୀ ମୁଣ୍ତରେ ହାତ ଦେଇ ବସିଛି। ଏପରିସ୍ଥଳେ ଫସଲ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ବୀମା ଅର୍ଥ ଆଜିଯାଏଁ ନମିଳିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ସୃଷ୍ଟି କରିଛି।
ରାଜନଗର ବ୍ଲକରେ ସମସ୍ତ ୨୯ଟି ପଞ୍ଚାୟତରେ ୩୩ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ ଖରିଫ ଧାନ ଫସଲ କ୍ଷତି ହୋଇଥିବାରୁ ରାଜ୍ୟ ସରକାର ରାଜନଗର ପଞ୍ଚାୟତରେ ୩୪୭ ହେକ୍ଟର ପାଇଁ ୨୩,୫୯,୬୦୦ ଟଙ୍କା, ମହିଁଷାସୁର ପଞ୍ଚାୟତରେ ୫୩୦ ହେକ୍ଟର ଫସଲ କ୍ଷତି ପାଇଁ ୩୬,୦୪,୦୦୦ଟଙ୍କା, ବ୍ରାହ୍ମଣସାହି ପଞ୍ଚାୟତରେ ୬୩୬ ହେକ୍ଟର ଫସଲ କ୍ଷତି ପାଇଁ ୪୨,୫୬,୮୦୦ ଟଙ୍କା, ମହୁଲିଆ ପଞ୍ଚାୟତରେ ୪୬୫ ହେକ୍ଟର ପାଇଁ ୩୧,୬୨,୦୦୦ଟଙ୍କା, କୋଇଲିପୁର ପଞ୍ଚାୟତରେ ୭୩୦ ହେକ୍ଟର ପାଇଁ ୪୯,୬୪,୦୦୦ଟଙ୍କା, ହାତିନା ପଞ୍ଚାୟତରେ ୨୧୮ ହେକ୍ଟର ପାଇଁ ୧୪,୮୨,୪୦୦ଟଙ୍କା, ଭିତରଗଡ ପଞ୍ଚାୟତରେ ୬୮୭ ହେକ୍ଟର ପାଇଁ ୪୬,୭୧,୬୦୦ଟଙ୍କା, ଚାନ୍ଦିବାଉଁଶମୂଳ ପଞ୍ଚାୟତରେ ୪୯୧ ହେକ୍ଟର ପାଇଁ ୩୩,୩୮,୮୦୦ଟଙ୍କା, ଡେରା ପଞ୍ଚାୟତରେ ୫୪୫ ହେକ୍ଟର ପାଇଁ ୩୭,୦୬,୦୦୦ଟଙ୍କା, ହାତିନା ପଞ୍ଚାୟତରେ ୪୦୧ ହେକ୍ଟର ପାଇଁ ୨୭,୨୬,୮୦୦ଟଙ୍କା, କଣ୍ତିରା ପଞ୍ଚାୟତରେ ୧୦୭୭ ହେକ୍ଟର ପାଇଁ ୭୩,୨୩,୬୦୦ଟଙ୍କା, କୁରୁଂଟି ପଞ୍ଚାୟତରେ ୬୯୬ ହେକ୍ଟର ପାଇଁ ୪୭,୩୨,୮୦୦ଟଙ୍କା, ବାଲିସାହିପାଟଣା ପଞ୍ଚାୟତରେ ୪୬୬ ହେକ୍ଟର ପାଇଁ ୩୧,୬୮,୮୦୦ଟଙ୍କା, ବେଲପାଳ ପଞ୍ଚାୟତରେ ୧୨୫ ହେକ୍ଟର ପାଇଁ ୮,୫୦,୦୦୦ଟଙ୍କା, କେରେଡ଼ାଗଡ଼ ପଞ୍ଚାୟତରେ ୧୦୪ ହେକ୍ଟର ପାଇଁ ୭,୦୭,୨୦୦ଟଙ୍କା, ଓସ୍ତିଆ ପଞ୍ଚାୟତରେ ୨୨୯ ହେକ୍ଟର ପାଇଁ ୧୫,୫୭,୨୦୦ଟଙ୍କା, ରାଜପୁର ପଞ୍ଚାୟତରେ ୨୩୨ ହେକ୍ଟର ପାଇଁ ୧୫,୭୭,୬୦୦ଟଙ୍କା, ସାନବଡ଼ଗୋପାଳପୁର ପଞ୍ଚାୟତରେ ୪୯୧ ହେକ୍ଟର ପାଇଁ ୩୩,୩୮,୮୦୦ଟଙ୍କା, ଡାଙ୍ଗମାଳ ପଞ୍ଚାୟତରେ ୨୩୨ ହେକ୍ଟର ପାଇଁ ୧୫,୭୭,୬୦୦ଟଙ୍କା, ଘଡିଆମାଳ ପଞ୍ଚାୟତରେ ୩୫୯ ହେକ୍ଟର ପାଇଁ ୨୪,୪୧,୨୦୦ ଟଙ୍କା, ଈଶ୍ବରପୁର ପଞ୍ଚାୟତରେ ୮୩୩ ହେକ୍ଟର ପାଇଁ ୫୬,୬୪,୪୦୦ଟଙ୍କା, ଖମାରସାହି ପଞ୍ଚାୟତରେ ୩୮୫ ହେକ୍ଟର ପାଇଁ ୨୬,୧୮,୦୦୦ଟଙ୍କା, କୃଷ୍ଣନଗର ପଞ୍ଚାୟତରେ ୩୬୩ ହେକ୍ଟର ପାଇଁ ୨୬,୬୮,୪୦୦ଟଙ୍କା, ବାଘମାରୀ ପଞ୍ଚାୟତରେ ୫୭୦ ହେକ୍ଟର ପାଇଁ ୩୮,୭୬,୦୦୦ଟଙ୍କା, ତାଳଚୁଆ ୫୫୪ ହେକ୍ଟର ପାଇଁ ୩୭,୬୭,୨୦୦ଟଙ୍କା, କେରୁଆଁପାଳ ପଞ୍ଚାୟତରେ ୫୧୨ ହେକ୍ଟର ପାଇଁ ୩୪,୮୧,୬୦୦ଟଙ୍କା, ରଂଗଣୀ ପଞ୍ଚାୟତରେ ୬୩୮ ହେକ୍ଟର ପାଇଁ ୪୩,୩୮,୪୦୦ଟଙ୍କା, ସାତଭାୟା ପଞ୍ଚାୟତରେ ୨ ହେକ୍ଟର ପାଇଁ ୧୩,୬୦୦ ଟଙ୍କା, ଗୁପ୍ତି ପଞ୍ଚାୟତରେ ୮୭୨ ହେକ୍ଟର ପାଇଁ ୫୯,୨୯,୬୦୦ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କରାଯାଇଛି। ସରକାରୀ ସର୍ଭେ ୧୩,୭୮୦ ହେକ୍ଟର ଖରିଫ ଧାନ ଫସଲ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଫସଲବୀମା କରିଥିବା ବୀମା କମ୍ପାନି କାହିଁକି ଆଜିଯାଏଁ ଚାଷୀଙ୍କୁ ଭୁଆଁ ବୁଲାଇ ଚାଲିଛି, ସେ ନେଇ ପତିକ୍ରିୟା ବଢ଼ିବାରେ ଲାଗିଛି।
ଏହି ପ୍ରସଙ୍ଗକୁ ନେଇ ଚାଷୀ ଏବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କେବଳ ଖରିଫ ଧାନ ଫସଲ ଉପରେ ରାଜନଗରର ଚାଷୀ ନିର୍ଭରଶୀଳ। ରାଜନଗର ବ୍ଲକରେ ଚଳିତ ବର୍ଷ ପ୍ରାୟ ୨୨ ହଜାର ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ରାଜନଗର ଅଣଜଳସେଚିତ ଅଞ୍ଚଳ ହୋଇଥିବାରୁ ଏଠାକାର ଚାଷୀ କେବଳ ଖରିଫ ଧାନ ଚାଷ କରିଥାନ୍ତି। ବ୍ଲକର ୪୦ହଜାର ଚାଷୀ ପରିବାର ଧାନ ଚାଷ କରିଥାନ୍ତି। ସବୁ ପଞ୍ଚାୟତର ସବୁ ଗାଁରେ ଗତ ଖରିଫ ଋତୁରେ ପାଚିଲା ଧାନ ଫସଲ ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଚଳିତ ଖରିଫ ଋତୁରେ ପ୍ରଥମେ ମରୁଡ଼ି ଯୋଗୁଁ ଚାଷ କାମ ବିଳମ୍ବରେ ହୋଇଥିଲା। ଏଥିପାଇଁ ଅଧିକାଂଶ ଚାଷୀ ଶୀଘ୍ର ଅମଳକ୍ଷମ କିସମର ଧାନ ଚାଷ କରିଥିଲେ। ରାଜନଗର ଅଞ୍ଚଳରେ ପ୍ରାୟ ଶହେ ପ୍ରତିଶତ ଧାନ ଫସଲ ପାଚି ସାରିଥିଲା। ଜୱାଦ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ପାଚିଲା ଧାନ ଫସଲ ବିଲରେ ଶୋଇ ଯାଇ ପାଣିରେ ବୁଡ଼ି ରହିଥିଲା। ବର୍ଷକର ଦାନା ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ରାଜନଗର ବ୍ଲକ୍ ନଦୀ ନାଳ ଘେରା ଅଞ୍ଚଳ। ଅଦିନିଆ ଲଘୁଚାପ ଜନିତ ବର୍ଷା ସୁନାର ଫସଲକୁ ହରାଇ କିପରି ପରିବାର ସଦସ୍ୟଙ୍କ ପେଟରେ ଦି’ଓଳି ଦି ମୁଠା ଦାନା ଦେବ ଓ ସାହୁକାର ଓ ବ୍ୟାଙ୍କ ଋଣ ସୁଝିବ, ସେ ନେଇ ମୁଣ୍ତରେ ହାତଦେଇ ବସିଛି। ଚାଷୀ ମୁହଁରେ ଭାଷା ନାହିଁ। ଏପରିସ୍ଥଳେ ଫସଲ ବୀମା କମ୍ପାନି ଚାଷୀଙ୍କୁ ବୀମା ସହାୟତା ରାଶି ପ୍ରଦାନରେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି।