ବର୍ଷା ନାହିଁ କି, କେନାଲ ପାଣି ନାହିଁ, ଶୁଖିଲାଣି ଧାନ ବିଲ

ଭଦ୍ରକ: ଠିକ୍‌ ସମୟରେ ମୌସୁମୀ ବର୍ଷା ଆସିବା ପରେ ଚାଷୀ ଚଳିତ ବର୍ଷର ଖରିଫ୍‌ ଧାନ ଚାଷ ପାଇଁ ଚଳଚଞ୍ଚଳ ହୋଇଥିଲା। ବୁଣା ବିଲ ଛାଡି ଦେଲେ ଜିଲ୍ଲାର ଚାଷୀ ବିଶେଷକରି ଧାନ ବିହନ ତଳି ପକାଇ ଚାଷ କାମ ଆରମ୍ଭ କରିଥିଲା। କିଛି ଦିନ ବେଶ୍‌ ଭଲ ବର୍ଷା ହେବା ପରେ ତଳି ଧାନ ବଢୁଥିଲା। ଏବେ ବର୍ଷା କମ୍‌ ହେବାରୁ ତଳି ଧାନ ସବୁ ଅଧା ପତ୍ର ପୋଡା ଦେଲାଣି। କିଛି କିଛି ଜମିରେ ତଳି ଧାନ ଗଛ ହଳଦିଆ ପଡିଗଲାଣି। ଜୁଲାଇ ମାସରେ କମ୍‌ ଅନୁପାତରେ ବର୍ଷା ହେବାରୁ ତଳି ଧାନ ଉଠାଇ ରୁଆପୋତା କରାଯାଇ ପାରୁ ନାହିଁ। ଅଷାଢ ମାସ ଶେଷ ହୋଇ ଶ୍ରାବଣ ମାସର ଦୁଇ ଦିନ ବିତିଗଲାଣି କିନ୍ତୁ ଆକାଶରେ ବର୍ଷାର ଦେଖା ନାହିଁ। କେବଳ ବର୍ଷା ଚାଷୀଙ୍କ ପାଇଁ ଦାଉସାଜି ନାହିଁ।

କେନାଲରେ ପାଣି ନାହିଁ। କେନାଲ ପାଣି ଛଡା ନ ଯିବାରୁ ଲୋକଙ୍କର ବିଲ ସବୁ ଶୁଖିଲା ପଡିଛି। ବୁଣା ବିଲରେ ଘାସ ଚରି ଗଲାଣି। ଆଉ ରୁଆ ପୋତା ପାଇଁ ତଳି ଉଠାଇ ପାରୁ ନାହିଁ ଚାଷୀ। ଚାଷୀ ଏବେ ଆକାଶକୁ ଚାହିଁଛି। ଶ୍ରାବଣର ବର୍ଷା ହେଲେ ତଳି ଉଠାଇ ଚାଷୀ ରୁଆପୋତା କରିବ। ଭଦ୍ରକ ଜିଲ୍ଲାରେ ଏବେ ୬୦ ପ୍ରତିଶତ ଚାଷୀ ବର୍ଷାକୁ ଚାହିଁ ରହିଛନ୍ତି। ଜିଲ୍ଲାରେ ମୋଟ ୧ ଲକ୍ଷ ୭୪ ହଜାର ହେକ୍ଟର ଚାଷ ଉପଯୋଗୀ ଜମିରୁ ୧ ଲକ୍ଷ ୬୧ ହଜାର ୫୦୦ ହେକ୍ଟର ଚାଷ ଜମିରେ କେବଳ ଧାନ ଚାଷ କରାଯାଉଛି।

ଚଳିତ ବର୍ଷ ମୋଟ ୧୪ ହଜାର ୬୩୧ ହଜାର ହେକ୍ଟର ଚାଷ ଜମିରେ ଧାନ ବୁଣା ହୋଇଥିଲା। ବୁଣା ବିଲକୁ ବାଦ ଦେଲେ ଅବଶିଷ୍ଟ ୧ ଲକ୍ଷ ୪୫ ହଜାର ହେକ୍ଟର ଜମିରେ ଚାଷୀ ଧାନ ବିହନ ତଳି ପକାଇଛନ୍ତି। ଏମାନଙ୍କ ମଧ୍ୟରୁ ଖାଲୁଆ ଅଞ୍ଚଳରେ ଥିବା ପ୍ରାୟ ୨୦ ପ୍ରତିଶତ ଚାଷୀ ବିଲରେ ରୁଆପୋତା ଆରମ୍ଭ କରିଛନ୍ତି। ଯେଉଁ ଚାଷୀମାନେ ସେମାନଙ୍କ କ୍ଷେତରେ ରୁଆପୋତା ଆରମ୍ଭ କରିଥିଲେ, ସେହିସବୁ କ୍ଷେତରେ ଏବେ ପାଣି ନାହିଁ। ବର୍ଷାକୁ ଚାହିଁ ରହିଛି ଏଇସବୁ ରୁଆ ବିଲ।

ଅନେକ ସ୍ଥାନରେ ଏପରି କିଛି ରୁଆ ବିଲ ମଧ୍ୟ ଶୁଖିଗଲାଣି। ଶ୍ରାବଣ ମାସର ୫ରୁ ୬ ଦିନ ମଧ୍ୟରେ ଭଲ ବର୍ଷା ନହେଲେ, ଏଇ ସବୁ ଚାଷ ଜମି ଗୁଡିକରେ ଘାସ ଚରି ଯିବା ସହ, କିଛି ରୁଆ ବିଲ ମଧ୍ୟ ନଷ୍ଟ ହୋଇ ଯିବାରୁ ସମ୍ଭାବନା ରହିଛି। ପ୍ରତିବର୍ଷ ଜୁଲାଇ ମାସରେ ଜଳ ସଂପଦ ବିଭାଗ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ କେନାଲ ଗୁଡିକରେ ଖରିଫ୍‌ ଚାଷ ପାଇଁ ଜଳ ଯୋଗାଣ କରିଥାନ୍ତି। ମାତ୍ର ଚଳିତ ବର୍ଷ ଜୁଲାଇ ମାସର ଅଧାରୁ ଅଧିକ ସମୟ ଶେଷ ହେବାକୁ ବସିଥିବା ବେଳେ ଜଳ ସଂପଦ ବିଭାଗ କେନାଲରେ ପାଣି ଛାଡୁ ନାହିଁ।

ବିଶେଷକରି ସାଳନ୍ଦୀ ଓ ବୈତରଣୀ ନଦୀରୁ ଯେଉଁସବୁ କେନାଲ ବାହାରି ଚାଷ ଜମିଆଡେ ପ୍ରବାହିତ ହୋଇଛି ସେହିସବୁ କେନାଲ ଏବେ ଶୁଖିଲା ପଡିଛି। ବିଶେଷକରି ବନ୍ତ ବ୍ଲକ ଓ ଭଣ୍ଡାରିପୋଖରୀ ବ୍ଲକରେ ଥିବା କେନାଲଗୁଡିକ ସବୁ ଶୁଖିଲା ପଡିଛି। ବୈତରଣୀ ଓ ସାଳନ୍ଦୀ ନଦୀର ଉପର ମୁଣ୍ଡରେ ବର୍ଷା ନଥିବାରୁ ହଦଗଡ ଡ୍ୟାମ ପାଣି ଛାଡୁ ନାହିଁ, ଯେଉଁଥି ପାଇଁ ଶୁଖିଲା ପଡିଛି ସାଳନ୍ଦୀ ନଦୀ। ସାଳନ୍ଦୀ ନଦୀର ଜଳ ଶ୍ରୋତ ଶୁଖିଲା ପଡିଥିବାରୁ ନଦୀବନ୍ଧକୁ ର୍ନିଭର କରି ବନ୍ତ ବ୍ଲକ, ତିହିଡି ଓ ଭଦ୍ରକ ବ୍ଲକର ଯେଉଁସବୁ କେନାଲଗୁଡିକ ଖୋଳାଯାଇଛି। ସେହିସବୁ କେନାଲରେ ଏବେଡ ପାଣି ନାହିଁ।

ସେହିପରି ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବୈତରଣୀ ନଦୀବନ୍ଧ ଦେଇ ଯେଉଁ କେନାଲଗୁଡିକ ଖୋଳଯାଇଛି। ସେଥିରେ ବି ପାଣି ନାହିଁ। ଆଖୁଆପଦାଠାରେ ବୈତରଣୀ ଆନିକଟ ସିଷ୍ଟମ ସହ ମାଳଆନନ୍ଦପୁର, ରୁଢିଆ ଆନିକଟ ମରାମତି ସରି ନଥିବାରୁ କେନାଲରେ ନଳ ଯୋଗା ଯାଇ ପାରୁ ନାହିଁ। ସେହିପରି ସାଳନ୍ଦୀ ନଦୀର ଭଦ୍ରକ ବ୍ଲକ ଅନ୍ତର୍ଗତ ଗରଦପୁରଠାରୁ ବହାରିଥିବା ଦଶମୌଜା କେନାଲରେ ଏବେ ପାଣି ନାହିଁ। ଯେଉଁଥି ପାଇଁ ତିହିଡି ଓ ପୀରହାଟ ଅଞ୍ଚଳର ଚାଷୀଙ୍କ ବିଲକୁ ପାଣି ମାଡିପାରୁ ନାହିଁ।

ଅନ୍ୟପକ୍ଷରେ ସାଳନ୍ଦୀ ନଦୀରୁ ବାହାରିଥିବା ରାଣୀତାଲ ହାଇଲେବୁଲ କେନାଲ, ଚରମ୍ପା କେନାଲ, ବନ୍ତ କେନାଲ, ସୋସୋ-ଆଡିଆ କେନାଲ, ଆଗରପଡା- କାନଦବରାଙ୍ଗ, କେନାଲ ଗଣିଜାଙ୍ଗ-ବରପଦା କେନାଲରେ ପାଣି ନଥିବାରୁ ଏଇ ସବୁ ଅଞ୍ଚଳରେ ବ୍ୟାପକ ଚାଷ ଜମି ନଷ୍ଟ ହେବାକୁ ବସିଲାଣି। ଜଳ ସଂପଦ ବିଭାଗର ଉଦାସିନତା ପାଇଁ ଏବେ ଭଦ୍ରକ ଜିଲ୍ଲାର ଚାଷୀ ତାର ଖରିଫ୍‌ ଧାନ ଚାଷରେ କ୍ଷତି ସହିବ।

ସମ୍ବନ୍ଧିତ ଖବର