ଖୋର୍ଦ୍ଧା ଜିଲ୍ଲାରେ ଚାଷର ଅଗ୍ରଗତି: ବିକ୍ରି ହୋଇଛି ମୋଟ ଆବଶ୍ୟକତାର ଅଧା ସାର

ଖୋର୍ଦ୍ଧା: ପରିବେଶ ଅସନ୍ତୁଳନର ପ୍ରଭାବ କିମ୍ବା ମୌସୁମୀ ପୂର୍ବାନୁମାନର ତ୍ରୁଟି, ଚଳିତବର୍ଷ ମୌସୁମୀ ବର୍ଷା ଚାଷ ଓ ଚାଷୀଙ୍କୁ ନିରାଶ କରିଛି। କ୍ଷେତ ପାଇଁ ଚାଷୀ ଯେତିକି ସାର ପୂର୍ବବର୍ଷ ନେଇଥିଲା ଚଳିତବର୍ଷ ତା’ଠାରୁ ଅଧା ସାର କିଣିଛି। ଏଥିରୁ ଜିଲ୍ଲାରେ ଆଗାମୀ ଦିନରେ ଧାନ ଉତ୍ପାଦନ କିଭଳି ପ୍ରଭାବିତ ହେବ ଅନୁମାନ କରାଯାଇପାରୁଛି। ଜିଲ୍ଳାରେ ଜୁନ୍, ଜୁଲାଇରେ ସ୍ୱାଭାବିକ ଭାବେ ବର୍ଷା ହେବ ବୋଲି ଆଶା କରାଯାଉଥିଲା ତାହା ଠାରୁ ୧୫ ରୁ ୨୦ ପ୍ରତିଶତ କମ୍ ବର୍ଷା ହୋଇଥିଲା। ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ବର୍ଷା ସ୍ୱାଭାବିକ ହେବ ବୋଲି ଅନୁମାନ କରାଯାଉଥିଲା, କିନ୍ତୁ ପ୍ରଥମ ୫ ଦିନ ଜିଲ୍ଲାର ଅଧିକାଂଶ ବ୍ଲକ ଶୁଖିଲା ରହିଛି। ଯେଉଁ ବର୍ଷା ହୋଇଛି ତାହା ବିକ୍ଷୀପ୍ତ ନହୋଇ ସ୍ଥାନେ ସ୍ଥାନେ ପଡ଼ିବାରୁ ଚାଷ କାମରେ ଗୋଟିଏ ବ୍ଲକ ଆଗୁଆ ଥିବାବେଳେ ଆଉ ଏକ ବ୍ଲକ ପଛୁଆ ରହିଛି।

ସାଧାରଣତଃ ଜିଲ୍ଲାରେ ଏପ୍ରିଲ ମାସରୁ ଚାଷ କାମ ପାଇଁ ଚାଷୀ ପ୍ରସ୍ତୁତି ଆରମ୍ଭ କରିଥାଏ। ଅକ୍ଷୟ ତୃତୀୟା (ମଇ ତୃତୀୟ ସପ୍ତାହ ପ୍ରାରମ୍ଭରେ) ରେ ଚାଷୀ ପାରମ୍ପରିକ ଭାବେ କ୍ଷେତରେ ପୂଜାପୂଜି କରି ଧାନ ବିହନ ବୁଣିବା ଅନୁକୂଳ କରିଥାଏ। ଯଦିଓ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରେ ବିହନ ଅନୁକୂଳ ହୋଇଥିଲା କିନ୍ତୁ ବର୍ଷା ଅଭାବରୁ ଜୁନ୍ ଦ୍ୱିତୀୟ ସପ୍ତାହରେ ଧାନ ବୁଣିବା ଆରମ୍ଭ କରିଥିଲା, ତାହା ମଧ୍ୟ ସୀମିତ ଅଞ୍ଚଳରେ। ଜୁଲାଇ ମାସ ଶେଷ ବେଳକୁ ମୋଟ ୧ଲକ୍ଷ ୬ ହଜାର ହେକ୍ଟର ଚାଷ ଜମିରୁ ମାତ୍ର ୫୦ ହଜାର ହେକ୍ଟର ଜମିରେ ହିଁ ଚାଷୀ ଚାଷ କାମ କରିପାରିଥିଲା। ଅଗଷ୍ଟ ମାସରେ ପରିସ୍ଥିତିରେ ସୁଧାର ଆସିବା ଅନୁମାନ କରାଯାଉଥିବା ବେଳେ ଏହା ମଧ୍ୟ ନିରାଶ କରିଛି। ଜିଲ୍ଲାପାଇଁ ଯେତିକି ସାର ଆବଶ୍ୟକ ତା’ଠାରୁ ଅଧା ସାର ହିଁ ଚାଷୀ କିଣିଛି। ଚଳିତ ଖରିଫ ଋତୁରେ ୧ଲକ୍ଷ ୬ହଜାର ହେକ୍ଟର ଚାଷ ଜମି ପାଇଁ ୟୁରିଆ, ଡିଏପି, ଏନ୍‌ସିକେଏସ୍, ଏମ୍ଓପି, କମ୍ପୋଷ୍ଟ ଆଦି ୧୫୯୦୦ ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ଥିଲା।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଆବଶ୍ୟକତାର ଅଧା ଅର୍ଥାତ୍ ୮୭୬୦ ମେଟ୍ରିକ୍ ଟନ୍ ସାର ଚାଷୀ କିଣି ନେଇଛି। ସରକାରୀ ଗୋଦାମ, ହୋଲ୍‌ସେଲର ଓ ଖୁଚୁରା ବ୍ୟବସାୟୀଙ୍କ ନିକଟରେ ବର୍ତ୍ତମାନ ୧୩ହଜାର ୩୦୦ ମେଟ୍ରିକ୍ ଟନ୍ ସାର ବିକ୍ରି ନହୋଇ ପଡ଼ିରହିଛି। ଏହା ମଧ୍ୟରୁ ଗୋଦାମରେ ୧୯୯୧ ମେଟ୍ରିକ୍ ଟନ୍, ହୋଲ୍‌ସେଲରଙ୍କ ଠାରେ ୪୬୫୦ ମେଟ୍ରିକ୍ ଟନ୍, ଖୁଚୁରା ବ୍ୟବସାୟୀଙ୍କ ନିକଟରେ ୪୭୫୬ ମେଟ୍ରିକ୍ ଟନ୍ ସାର ପଡ଼ିରହିଥିବା ଜଣାଯାଇଛି। ଚଳିତ ଖରିଫ ଋତୁରେ ଖୋର୍ଦ୍ଧା ଜିଲ୍ଲା ପାଇଁ ୮ହଜାର ମେଟ୍ରିକ୍ ଟନ୍ ୟୁରିଆର ଆବଶ୍ୟକତା ଥିଲା ତେବେ ୧ ଏପ୍ରିଲ୍ ଠାରୁ ଆଜି ସୁଦ୍ଧା ୩,୨୭୯.୪୧୫ ମେଟ୍ରିକ୍ ଟନ୍ ୟୁରିଆ ବିକ୍ରି ହୋଇଛି। ସେହିଭଳି ଡିଏପି ଚଳିତ ଖରିଫରେ ୨ହଜାର ମେଟ୍ରିକ୍ ଟନ୍ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦୩୩ ମେଟ୍ରିକ୍‌ ଟନ୍ ବିକ୍ରି ହୋଇଛି। ୩,୩୦୦ ମେଟ୍ରିକ୍ ଟନ୍ ଏନ୍‌ସିକେଏସ୍ (ଯବକ୍ଷାରଜାନ, ଫସଫରସ ଓ ପଟାସିଅମ) ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧,୮୫୮.୮୬ ମେଟ୍ରିକ୍ ଟନ୍ ବିକ୍ରି ହୋଇଛି। ସେହିଭଳି ୧୮୦୦ ମେଟ୍ରିକ୍ ଟନ୍ ଏମ୍ଓପି ଆବଶ୍ୟକତା ଥିବା ବେଳେ ୧,୧୫୬ ମେଟ୍ରିକ୍ ଟନ୍ ବିକ୍ରି ହୋଇଛି।

ସମ୍ବନ୍ଧିତ ଖବର