ବରଗଡ଼: ଆଉଜଣେ ଚାଷୀଙ୍କ ଆତ୍ମହତ୍ୟା

ବରଗଡ଼: ଆଜି ସକାଳେ ବରଗଡ଼ ଜିଲ୍ଲାର ଆଉ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହେବା ପରେ ଧର୍ଯ୍ୟହରା ହୋଇ ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ଭାଲୁପାଲି ଗ୍ରାମର ଉମେଶ ଜଗଦ୍ଦଲା(୨୩ ବର୍ଷ) ନାମକ ଜଣେ ଯୁବ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମରୁଡ଼ି, ଚକଡ଼ା ପୋକ ଓ ଅଦିନିଆ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଜିଲ୍ଲାର ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ମନୋବଳ ଭାଙ୍ଗି ପଡ଼ିଛି। ସରକାର ଯେତେ ବି ପ୍ରତିଶ୍ରୁତି ଦେଳେ ମଧ୍ୟ ଚାଷୀ ସରକାରଙ୍କ ଉପରେ ଭରସା କରି ପାରୁ ନାହିଁ।। ଫଳରେ ଚଳିତ ବର୍ଷ କେବଳ ବରଗଡ଼ ଜିଲ୍ଲାରେ ୧୧ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି।
ଆଜି ସକାଳେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହୋଇଥିିବା ଦେଖି ଭାଲୁପାଲି ଗ୍ରାମର ଉମେଶ ଜଗଦ୍ଦଲା ମ୍ରିୟମାଣ ହୋଇ ପଡ଼ିଥିଲେ। ଗୋଟିଏ ପଟେ ଚାଷ ପାଇଁ ଧାର କରଜ କରିଥିବାରୁ କିପରି ଋଣ ଶୁଝିବେ ସେ ନେଇ ବ୍ୟସ୍ତ ହୋଇ ସେ କୀଟନାଶକ ଖାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉମେଶଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର