ବେପରୁଆ ଗାଡ଼ି ଚାଳନା ହେଲା କାଳ: କ୍ରେନ୍‌ ଧକ୍କାରେ ଚାଲିଗଲା ବାପ-ଝିଅଙ୍କ ଜୀବନ 

ଡ୍ରାଇଭର ଫେରାର, ହେଲ୍‌ପର ଅଟକ

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଟି ଉପରେ ଏକ କ୍ରେନ୍‌ ଚଢ଼ିଯିବାରୁ ବାପଝିଅଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଦୁହେଁ ହେଲେ; ବାଲେଶ୍ବର ଟାଉନ୍‌ ଥାନା ବାରବାଟୀସ୍ଥ ଓଲନ୍ଦାସାହିର ଗୋପୀନାଥ ରଣା (୫୮) ଓ କବିତା ରଣା ( ୨୩)।

ସୂଚନା ଅନୁସାରେ; ଆଜି ଅପରାହ୍‌ଣ ସାଢ଼େ ୪ଟା ବେଳେ ରାମେଶ୍ବର ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଜୟ ମା’ ତାରିଣୀ ନାମକ ଏକ କ୍ରେନ୍‌ (ଓଆର୍‌-୦୧-ଇ-୭୫୮୩) ଖରାପ ହୋଇଥିବା ଏକ ଟ୍ରକ୍‌ (ଓଆର୍‌-୦୧-ଏ-୫୧୭୮)କୁ ଟାଣି ରେମୁଣା ଗୋଲେଇ ଆଡ଼କୁ ନେଉଥିଲା। ତେବେ କ୍ରେନ୍‌ର ଡ୍ରାଇଭର ଅତ୍ୟଧିକ ନିଶା ସେବନ କରିଥିବାରୁ ସେ ଏକ ଅଟୋ (ଓଡି-୦୧-ଟି-୪୮୭୨)କୁ ଧକ୍କା ଦେବା ସହ ରେମୁଣା ଆଡ଼ୁ ସ୍କୁଟି(ଓଆର୍‌-୦୧-ଏଲ୍‌-୦୫୯୦)ରେ ଆସୁଥିବା ଗୋପୀନାଥ ଓ କବିତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ବାପଝିଅ ସ୍କୁଟି ସହ ଘୋଷାରି ହୋଇ ନିକଟରେ ଥିବା ଏକ ମାର୍ବଲ୍‌ ଦୋକାନ ଭିତରେ ପଶିଯାଇଥିଲେ ଏବଂ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

ଦୁର୍ଘଟଣା ପରେ କ୍ରେନ୍‌ର ଡ୍ରାଇଭର ଫେରାର୍‌ ହୋଇଯାଇଥିବା ବେଳେ ହେଲ୍‌ପର ଧରାପଡ଼ି ନିର୍ଘାତ ମାଡ଼ ଖାଇଥିଲେ। ସହଦେବଖୁଣ୍ଟା ଥାନା ପୁଲିସ ଉଭୟ ବାପଝିଅଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ ଡାକ୍ତରଖାନା ପଠାଇଛି ଏବଂ ସମ୍ପୃକ୍ତ ହେଲ୍‌ପରଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଡାକ୍ତରଖାନା ନେଇଛି। ଏନେଇ ଥାନାରେ ୩୫୨/୨୦ରେ ଏକ ମାମଲା ରୁଜୁ ହେବା ସହ ଥିବା କ୍ରେନ୍‌ ଏବଂ ଟଣା ହୋଇ ଯାଉଥିବା ଟ୍ରକ୍‌ ତଥା ସ୍କୁଟିକୁ ଜବତ କରାଯାଇଛି।

ସମ୍ବନ୍ଧିତ ଖବର