ସମ୍ବଲପୁର: ହସ୍‌ପିଟାଲରୁ ଘରକୁ ଫେରୁଥିଲେ ବାପ-ଝିଅ, ଅଜଣା ଗାଡ଼ି ଧକ୍କା ଦେଇ ଜୀବନ ନେଲା

ଯୁଜୁମୁରା/ସମ୍ବଲପୁର: ହସ୍‌ପିଟାଲରୁ ଡାକ୍ତର ଦେଖାଇ ଘରକୁ ଫେରିବା ବେଳେ ବାପା-ଝିଅକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଯୁଜୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଗୋପାଳ ଢାବା ନିକଟରେ ମଙ୍ଗଳବାର ଅପରାହ୍ଣରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଲିପିଣ୍ଡା ଗ୍ରାମର ବିଜୟ ପ୍ରଧାନ (୫୦) ଓ ରୀତା ପ୍ରଧାନ (୨୭)।

ସୂଚନା ଅନୁସାରେ ବିଜୟ ପ୍ରଧାନ ନିଜ ଅବିବାହିତ ସାନ ଝିଅ ରୀତାଙ୍କୁ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ଦେଖାଇବା ପାଇ ନେଇଥିଲେ। ବାଇକ୍‌ରେ ଫେରିବା ବାଟରେ ତାଙ୍କୁ ଏକ ଦ୍ରୁତଗାମୀ ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା। ସେହି ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର