ଦିନକରେ ଚାଲିଗଲା ବାପପୁଅଙ୍କ ଜୀବନ, ଭୟଙ୍କର ହେଉଛି ବଡ଼ବିଲ ସ୍ଥିତି

ବଡ଼ବିଲ: ଭୟଙ୍କର ହେବାରେ ଲାଗିଛି ବଡ଼ବିଲରେ କରୋନା ସ୍ଥିତି। ଗୋଟିଏ ଦିନରେ କରୋନା ନେଇଗଲା ବାପପୁଅଙ୍କ ଜୀବନ। ଏଭଳି ଅତି ଦୁଃଖବ ଘଟଣା ଘଟିଛି ବଡ଼ବିଲ ପୌରାଞ୍ଚଳର ୭ ନମ୍ବର ୱାର୍ଡ ମହାନ୍ତବସ୍ତିରେ। ୧୧ ଦିନ ତଳେ ମହାନ୍ତବସ୍ତିର ୫୦ ବର୍ଷିୟା ବାପା ଓ ୨୩ ବର୍ଷିୟା ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ନିଜ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ। ମାତ୍ର ଉଭୟ ବାପପୁଅ ହଠାତ୍ ଗୁରୁତର ହୋଇପଡ଼ିବା ସହିତ ଅକ୍ସିଜେନ ସ୍ତର ହ୍ରାସ ପାଇଥିଲା। ସେମାନଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ ତାରିଖ ପୂର୍ବାହ୍‌ଣ ୧୧ ଟା ବେଳେ ପୁଅର ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ଆଜି ଭୁବନେଶ୍ବରରେ ଗୋଟିଏ ଜୁଇରେ ବାପପୁଅଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପରିବାର ଲୋକେ ସଂପୂର୍ଣ୍ଣ ଅସହାୟ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ବାପପୁଅଙ୍କୁ ମିଶାଇ ବଡ଼ବିଲ ଅଞ୍ଚଳରେ ଆଜି ଯାଏ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର