ମହନଦୀରେ ଡଙ୍ଗା ବୁଡ଼ିଲା; ବାପ-ପୁଅ ମୃତ, ବାଇକାନି ଯାତ୍ରା ଦେଖି ଫେରୁଥିଲେ

ବିନିକା: ବାଇକାନି ଯାତ୍ରା ଦେଖି ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ି ବାପା ଓ ପୁଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିବାସୀ ସୁଲେମାନ ଖାନ୍ (୫୧), ପୁଅ ଅଜଲାନ ଖାନ (୬), ଝିଅ ଓ ଜଣେ ପଡ଼ୋଶୀ ବାଳକ ମିହିରଙ୍କୁ ନେଇ ଶୁକ୍ରବାର ମହାନଦୀ ଭିତରେ ଥିବା ବାଇକାନି ମନ୍ଦିରକୁ ବାଇକାନି ଯାତ୍ରା ଦେଖିବାକୁ ଯାଇଥିଲେ। ସେମାନେ ଯାତ୍ରା ଦେଖି ରାତି ପ୍ରାୟ ୭ଟାରେ ‌ଏକ ଡଙ୍ଗାରେ ଫେରୁଥିଲେ। ଡଙ୍ଗାଟି ବିନିକା – ଚଢ଼େଇପଙ୍କ ମହାନଦୀ ପୋଲର ପିଲର୍‌ରେ ପିଟି ହୋଇ ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ୨ ନାଉରୀ ମିହିର ଓ ସୁଲେମାନଙ୍କ ଝିଅକୁ ଆଣି କୂଳକୁ ଆସିଥିଲେ। ତା’ ପରେ ଫେରାର୍‌ ହୋଇଯାଇଥିଲେ। ସୁଲେମାନ୍ ପୁଅ ଅଜନାଲକୁ ଆଣି ଆସୁଥିବା ବେଳେ ବୁଡ଼ି ଯାଇଥିଲେ।

ପୁଲିସ ଓ ଦମକଳ ବାହିନୀ ବହୁ ସମୟ ଖୋଜାଖୋଜି ପରେ ପ୍ରଥମେ ବାପା ସୁଲେମାନ୍ ଓ ପରେ ପୁଅ ଅଜଲାନଙ୍କ ମୃତଦେହ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁରଙ୍କ ନିର୍ଦ୍ଦେଶ କ୍ରମେ ଡାକ୍ତରଖାନାକୁ ବିନିକା ଏବିଡିଓ ନିରଞ୍ଜନ ନାଏକ ଓ ବିଏସ୍ଏସ୍ଓ ଅଶ୍ବିନୀ ପାଣ୍ଡେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ କରିଥିଲେ। ଶନିବାର ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର