ବୌଦ୍ଧ: ଦୁଇ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ । ଆଉ ଏହି ଘଟଣାରେ ବାପଝିଅଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ବନ ବିଭାଗ | ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢ଼ାଉବେଳେ ଏମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବୋମା, ତାର, ଫାସ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁସଙ୍ଗ ରେଞ୍ଜ ଶ୍ରୀପାଜୁ ସେକକ୍ସନ ଅନ୍ତର୍ଗତ ପଦ୍ମତୋଳା ଗ୍ରାମରେ କିଛି ବନ୍ୟଜନ୍ତୁ ଶିକାରୀ ଲୁଚିଥିବା ବନ ବିଭାଗ ସୂଚନା ପାଇଥିଲା । ପରେ ମଙ୍ଗଳବାର ଦିନ ଭୋର ସକାଳୁ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ କରି ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ ।
ସର୍ଚ୍ଚ ଅପରେସନ ସମୟରେ ଶିକାରୀ ଘରୁ ଗୋଟିଏ ଦେଶୀ ବନ୍ଧୁକ, ଶିକାରରେ ବ୍ୟବହୃତ ଏକ ଟାଙ୍ଗିଆ , ବିଷାକ୍ତ ବୋମା, ଫାଶ, ବଜ୍ରକାପ୍ତା କାତି ଜବତ କରାଯାଇଛି । ଅନ୍ୟପଟେ ଗୋଟିଏ ଦିନରେ କୁସଙ୍ଗ ରେଞ୍ଜ ଅଂଚଳର ୩ଜଣ ଶିକାରୀ ନୟାଗଡ଼ ଜିଲ୍ଲା ଛାମୁଣ୍ଡିଆ ରେଞ୍ଜ ଅଞ୍ଚଳରେ ଶିକାର କରୁଥିବା ସମୟରେ କୌଣସି ମତେ ଖବର ପାଇ ଉକ୍ତ ରେଞ୍ଜ ଅଧିକାରୀ ଓ କର୍ମଚାରୀଙ୍କ ଉଦ୍ୟମରେ ୩ଶିକାରୀ ବିଭାଗ ହାବୁଡ଼ରେ ପଡ଼ିଥିଲେ l ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଫାସ ଜବତ କରି ବିଭାଗ ଅଭିଯୁକ୍ତ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମହାନଦୀ ବନ୍ୟଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।