ଦୁର୍ଘଟଣାରେ ଶିବ ମନ୍ଦିର ପୂଜକ ମୃତ, ଝିଅ ଗୁରୁତର 

ଯୁଯୁମୁରା: ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ମୁଣ୍ଢେର ଡାକବଙ୍ଗଳା ସମ୍ମୁଖରେ ଗୁରୁବାର ଅପରାହ୍‌ଣ ୨ଟା ୪୫ରେ ଏକ ଟ୍ରଲର୍‌ ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ଛାମୁଣ୍ଡା ପଞ୍ଚାୟତ ଦେଓପାଲିର ଅଶ୍ବିନୀ ଦେହୁରୀ (୪୫)। ସେ ସ୍ଥାନୀୟ ଶିବ ମନ୍ଦିରର ପୂଜକ ଥିଲେ।

ସୂଚନା ଅନୁଯାୟୀ ଟ୍ରଲର୍‌ (ଜିଜେ-୧୨ବିଟି-୬୮୪୩)ଟି ସମ୍ବଲପୁର ଦିଗରେ ଯାଉଥିବା ବେଳେ ଅଶ୍ବିନୀ ଏକ ବାଇକ୍‌ (ଓଆର୍‌-୧୫ଏମ୍‌-୦୬୩୨)ରେ ତାଙ୍କ ଝିଅ ପାର୍ବତୀ (୧୫) ଧରି ସମ୍ବଲପୁରରୁ ଘରକୁ ଫେରୁଥିଲେ। ମୁଣ୍ଢେର ଡାକବଙ୍ଗଳା ସମ୍ମୁଖରେ ଟ୍ରଲ୍‌ରଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଶ୍ବିନୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଝିଅ ପାର୍ବତୀ ଗୁରୁତର ହୋଇଥିଲେ। ଅନ୍ୟ ଏକ ବାଇକ୍‌ରେ ସେହି  ଗ୍ରାମର ଯୁଧିଷ୍ଠିର ପୁଟା ଆସୁଥିଲେ। ଦୁର୍ଘଟଣା ଦେଖି ସେ ଗୁରୁତର ପାର୍ବତୀଙ୍କୁ ସଙ୍ଗେ ସ‌ଙ୍ଗେ ଏକ ପିକ୍‌ଅପ୍‌ରେ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ନେଇଯାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର୍‌ ଓ ବାଇକ୍‌କୁ ଜବତ କରିଥିଲା। ତେବେ ଟ୍ରଲର୍‌ ଚାଳକ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ଗାଡ଼ି ରଖି ଫେରାର ହୋଇଯାଇଥିବା ପୁଲିସ କହିଛି। ପୁଲିସ ଅଶ୍ବିନୀଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର