ସୁନ୍ଦରଗଡ଼ : କରୋନା ଜୀବନ ନେଉଛି, ଲୋକଙ୍କୁ ଜୀବିକା ହରା ମଧ୍ୟ କରି ଦେଉଛି। ରୋଗ ଓ ଭୋକର ଦାଉରେ କଲବଲ ହେଉଥିବା ମଣିଷ ବେଳେବେଳେ ପଥର ହୋଇଯାଉଛି, ରକ୍ତସମ୍ପର୍କକୁ ବି ପରି କରିଦେବାକୁ ପଛାଉ ନାହିଁ। ହେମଗିର ବ୍ଲକ୍ ଟାଙ୍ଗରଡିହିର ବିବାହିତା ସାବିତ୍ରୀ ଏକ୍କାଙ୍କ କ୍ଷେତ୍ରରେ ଏହା ହିଁ ଘଟିଥିଲା। ଏ ଦୁର୍ଦ୍ଦଶା ସମୟରେ ନିଜ ବାପା ତାଙ୍କୁ ସ୍ବାମୀ ଓ ଦୁଇ କୁନିଛୁଆଙ୍କ ସହ ଟିକିଏ ଆଶ୍ରୟ ଦେବାକୁ ମନା କରି ଦେଇଥିଲେ। ଗରିବ କୁଡ଼ିଆରେ ତାଙ୍କ ପରିବାରକୁ ଅନ୍ନ ନିଅଣ୍ଟ ପଡ଼ୁଥିବା ବେଳେ ପୁଣି ଚାରି ପେଟର ବୋଝ କେମିତି ସମ୍ଭାଳିବେ କହି ଦୂରଦୂର୍ କରି ଘରୁ ତଡ଼ି ଦେଇଥିଲେ।

Advertisment

ବାପାଙ୍କ ଆଚରଣରେ ହତଚକିତ ସାବିତ୍ରୀ ଶେଷକୁ ଦୁଇ ଛୁଆଙ୍କ ସହ ସ୍ବାମୀଙ୍କ ଗାଁକୁ ଫେରିଯିବାକୁ ସ୍ଥିର କରି ଘରୁ ପାଦ କାଢ଼ିଥିଲେ। ବାହାରେ ଟାଣ ଖରା, ପିଚୁ ରାସ୍ତାରେ ଖଇ ଫୁଟୁଥିଲା। ତା’ରି ଉପରେ ଖାଲି ପାଦରେ ଚାଲିଥିଲେ ସ୍ବାମୀସ୍ତ୍ରୀ, ଶ୍ରୀରାମ ଓ ସାବିତ୍ରୀ। ଶ୍ରୀରାମଙ୍କ କାନ୍ଧରେ ଦୁଇ କୁନି ଝିଅ, ସାବିତ୍ରୀ ମୁଣ୍ଡରେ ବସ୍ତାର ଏକ ବଡ଼ ବୋଝ। ରୋଜଗାର ପାଇଁ ଆସିଥିଲେ ବାପ ଗାଁ। ଫେରି ଯାଉଥିଲେ ଛତିଶଗଡ଼ ରାଜ୍ୟ ରାୟଗଡ଼। ସକାଳୁ ମାତ୍ର ୭ କିଲୋମିଟର ଆସିଥିଲେ, ଆଗକୁ ଆହୁରି ୫୪ କିଲୋମିଟର ଏମିତି ଖାଲି ପାଦରେ ଚାଲିବାକୁ ହେବ। ଥକା ଲାଗିଲେ କେଉଁଠି ରାସ୍ତା କଡ଼ ଗଛମୂଳେ ଛୁଆ ଓ ବୋଝକୁ ଓହ୍ଲାଇ କିଛି ସମୟ ବସି ଯାଉଥିଲେ, ପୁଣି ଉଠି ଚାଲୁଥିଲେ। ରୋଗ ଓ ଭୋକର କଲବଲ ମଧ୍ୟରେ ରକ୍ତସମ୍ପର୍କ ପର କରିଦେବା ପରେ ଗାଁକୁ ଯିବା ଛଡ଼ା ସେମାନଙ୍କ ପାଖରେ ଆଉ କିଛି ଚାରା ନଥିଲା। କରୋନା କାଳରେ ନିଜ ରକ୍ତର ମଣିଷର ଚେହେରା କେମିତି ବଦଳି ଯାଉଛି, ଗରିବ ଶ୍ରମିକ କେମିତି ଶୋଚନୀୟସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାର ଏକ କରୁଣ ଦୃଷ୍ଟାନ୍ତ ସାଜିଥିବା ଏହି ଦମ୍ପତିକୁ ଦେଖିବାକୁ ମିଳିଥିଲା ହେମଗିର ବ୍ଲକ୍ କନିକା ରାସ୍ତାରେ। ସାବିତ୍ରୀଙ୍କ କହିବା ଅନୁସାରେ, ରାଏଗଡ଼ରୁ ସେମାନେ କାମଧନ୍ଦା ଅନ୍ବେଷଣରେ ସପରିବାର ଚାଲି ଆସିଥିଲେ ହେମଗିର ବ୍ଲକ ଲୋକେଝରନକୁ। ସାବିତ୍ରୀଙ୍କ ବାପ ଘର ଲୋକେଝରନ ନିକଟ ଟାଙ୍ଗରଡିହିରେ। ସ୍ବାମୀ ଶ୍ରୀରାମ ଜଣକ ପାଖରେ ଶ୍ରମିକ ଭାବେ ନିୟୋଜିତ ଥିବା ବେଳେ ସାବିତ୍ରୀ ମଧ୍ୟ ପରଘରେ ବାସନ ମାଜୁଥିଲେ। ଶ୍ରୀରାମ ମାସିକ କିଛି ମଜୁରି ପାଉଥିଲେ। କିନ୍ତୁ ସାବିତ୍ରୀଙ୍କୁ କେବଳ କିଛି ରନ୍ଧା ଖାଦ୍ୟ ମିଳୁଥିଲା। ସେତିକିରେ ଶାଗତୋରାଣି କରି ଚଳୁଥିଲେ ପରିବାର। କିନ୍ତୁ କରୋନାର ଦ୍ବିତୀୟ ଲହର ଆସିବା ପରେ ଶ୍ରୀରାମକୁ ଆଉ କାମ ମିଳିଲା ନାହିଁ। ଏପରିକି ସଂକ୍ରମଣ ଭୟରେ ସାବିତ୍ରୀକୁ ମଧ୍ୟ ବାସନମଜା କାମରୁ ବାହାର କରିଦେଲେ ମାଲିକ। ଶେଷକୁ ବାପ ଘର ଟାଙ୍ଗରଡିହିକୁ ଚାଲିଆସି କିଛି ଦିନ ଆଶ୍ରୟ ଦେବାକୁ ଅନୁନୟ ହୋଇଥିଲେ। କିନ୍ତୁ ବାପା ରୋକଠୋକ୍ ମନା କରି ଦେଇଥିଲେ। ଅନ୍ୟ ଉପାୟ ନପାଇ ଝିଅ ସାବିତ୍ରୀ ସ୍ବାମୀ ଓ ଦୁଇ ଛୁଆ ସହ ଚାଲି ଚାଲି ବାହାରି ପଡ଼ିଥିଲେ ରାୟଗଡ଼।