ସମ୍ପତ୍ତି ଲୋଭରେ ପୁଅକୁ ଜାଳିଲା ବାପା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ସିଦ୍ଧଖଣ୍ଡି ଗାଁରେ ଏକ ଘଟଣାରେ ପୁଅକୁ ବାପା ଜାଳି ମାରିଦେବାକୁ ଉଦ୍ୟମ କରିଛି। ସମ୍ପତ୍ତି ଲୋଭରେ ଦ୍ବିତୀୟ ବିବାହ କରିଥିବା ବାପା ନିଜ ପ୍ରଥମ ପତ୍ନୀଙ୍କ ଜନ୍ମିତ ପୁଅ ରିପନ୍‌ଙ୍କୁ ଶୋଇଥିବା ଅବସ୍ଥାରେ କିରାସିନି ଢାଳି ହତ୍ୟା ଉଦ୍ୟମ କରିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅର୍ଦ୍ଧଦଗ୍ଧ ରିପନ୍‌ଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାର ୪ ଦିନ ପରେ ରିପନ୍ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ଡାକ୍ତରଖାନାରୁ ତାଙ୍କ ସମ୍ପର୍କୀୟଙ୍କ ଦ୍ଵାରା ଏତଲା ପଠାଇଥିବା ଜଣାପଡ଼ିଛି। ଥାନା କେସ୍‌ ନଂ. ୫୧/୨୧ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ବାପାଙ୍କ ସମେତ ସମୁଦାୟ ୪ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି।

ପ୍ରକାଶ ଯେ, ଗତ ଫେବ୍ରୁଆରି ୨୮ ତାରିଖ ରାତିରେ ରିପନ୍ ଶୋଇଥିବା ବେଳେ ତାଙ୍କ ବାପା ଓ ୩ ଦାଦା ପୂର୍ବ ଯୋଜନା ପ୍ରକାରେ ତାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିବାରୁ ଅନ୍ୟ ଜଣେ ଦାଦାଙ୍କ ସହ ସାହି ପଡ଼ିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କାର୍‌ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ପୂର୍ବରୁ ମଧ୍ୟ ବାପା ଖାଦ୍ୟରେ ବିଷ ଦେଇ ତାଙ୍କୁ ହତ୍ୟା କରିବା ଉଦ୍ୟମ କରିଥିଲେ।

ତେବେ ସେ ବଞ୍ଚି ଯାଇଥିବା ନେଇ ରିପନ୍ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ରିପନ୍‌ ଛୋଟ ଥିବା ବେଳେ ମାଆ ଜ୍ୟୋତ୍ସ୍ନା ବିଷୋୟୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରେ ତାଙ୍କ ବାପା ଦ୍ବିତୀୟ ବିବାହ କରିଥିଲେ। ସମ୍ପତ୍ତି ଲୋଭରେ ତାଙ୍କ ବାପା ଅନ୍ୟ ୩ ଦାଦାଙ୍କ ସହ ସଲାସୁତୁରା କରି ତାଙ୍କୁ ଦୁଇ ଦୁଇ ଥର ହତ୍ୟା ଉଦ୍ୟମ କଲେଣି ବୋଲି ରିପନ୍‌ ବୟାନ ଦେଇଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ମାଧବ ଚନ୍ଦ୍ର ଟାକ୍ରି କହିଛନ୍ତି। ଗିରଫ ଭୟରେ ଅଭିଯୁକ୍ତମାନେ ଫେରାର୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର