ନବରଙ୍ଗପୁର/ ମଇଦଲପୁର: ନବରଙ୍ଗପୁର ଜିଲ୍ଲା ମଇଦଲପୁର ଥାନା ଅଞ୍ଚଳରେ ଆଜି ଗୋଟିଏ ଅଭାବନୀୟ ଘଟଣା ଘଟିଯାଇଛି। ହିତାହିତ ଜ୍ଞାନ ଭୁଲି ନିଜର ୨ ବର୍ଷର ନିଷ୍ପାପ ଶିଶୁ ପୁତ୍ରକୁ କଚାଡି କଟୁରୀରେ ଭୁଷି ଭୁଷି ହତ୍ୟା କରିଛି ଜନ୍ମିତ ବାପା।। କେବଳ ସେତିକି ନୁହେଁ ଶିଶୁକୁ ବଞ୍ଚାଇବା ପାଇଁ ଆସିଥିବା ପଡୋଶୀ ବୃଦ୍ଧାକୁ ବି କଟୁରୀରେ ଭୁଷି ଭୁଷି ହତ୍ୟା କରିଛି ଅଭିଯୁକ୍ତ । ଏହାର ପ୍ରତିବାଦରେ ଗ୍ରାମବାସୀ ହତ୍ୟାକାରୀକୁ ନିର୍ଦ୍ଧୁମ ଛେଚିବା ସହ ଗାଁ ଦାଣ୍ଡରେ ବାନ୍ଧି ପୁଲିସର ଜିମା ଦେଇଛନ୍ତି। ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମଇଦଲପୁର ଥାନା ଅନ୍ତର୍ଗତ ମଇଦଲପୁର ପଞ୍ଚାୟତର ଗୁଜୁମାପଦର ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଗାଁରେ ଏକ ଦଶାହ ଭୋଜି ଥିଲା। ଆଜି ସକାଳୁ ସେହି ଗାଁର ରାଧେ ସାନ୍ତା (୩୫) ନାମକ ଜଣେ ଯୁବକ ତାର ସ୍ତ୍ରୀ ମାଳତ ସହ କୌଣସି କାରଣକୁ ନେଇ ବଚସା ହୋଇଥିଲା। ରାଧେ ଉତକ୍ଷିପ୍ତ ହୋଇ ନିଜ ସ୍ତ୍ରୀ ମାଳତକୁ ମାଡ ମାରି କଟୁରୀରେ ଆକ୍ରମଣ କରିବା ପାଇଁ ଗୋଡାଇବାରୁ ସ୍ତ୍ରୀ ମାଳତ ଘରେ ଥିବା ୨ ବର୍ଷର ଶିଶୁ ପୁତ୍ରକୁ ଛାଡି ପ୍ରାଣ ବିକଳରେ ବାହାରକୁ ଦୌଡି ପଳାଇଥିଲା। ଅନ୍ୟ କିଛି ଉପାୟ ନପାଇ ରାଗରେ ଜଳୁଥିବା ରାଧେ ସ୍ତ୍ରୀର ରାଗ ନିଜ ୨ ବର୍ଷର ଶିଶୁ ପୁତ୍ର ଉପରେ ସୁଝାଇଥିଲା। ସିନେମା ଭଳି ନିଜର ୨ ବର୍ଷର ଶିଶୁ ପୁତ୍ରକୁ ତଳେ କଚାଡି ସେ ଧରିଥିବା କଟୁରୀରେ ୪ ରୁ ୫ ଥର ଭୁଷିଥିଲା। ଘଟଣାସ୍ଥଳରେ ହିଁ ଶିଶୁପୁତ୍ରର ପ୍ରାଣ ବାୟୁ ଉଡିଯାଇଥିଲା।

Advertisment

ନିଜର ଶିଶୁ ପୁତ୍ରକୁ ଆକ୍ରମଣ ବେଳେ ପଡୋଶୀ ବୃଦ୍ଧା ଜନାଏ(୬୦) ସାନ୍ତା ଶିଶୁକୁ ଉଦ୍ଧାର କରିବା ପାଇଁ ଯିବା ବେଳେ ସେ ବି ରାଧେର ଆକ୍ରୋଶରୁ ରକ୍ଷା ପାଇପାରିନଥିଲେ। ବୃଦ୍ଧା ଜନାଏକୁ ବି ସେ ଧରିଥିବା କଟୁରୀରେ ପେଟ ଓ ତଳିପେଟକୁ ଏକାଧିକାର ଭୁଷି ହତ୍ୟା କରିଥିଲା। ଘଟଣାସ୍ଥଳରେ ଉଭୟଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଏହି ଘଟଣା ଜାଣିବା ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ରାଧେକୁ ନିର୍ଦ୍ଧୁମ ଛେଚିବା ସହ ବାନ୍ଧି ଗାଁରେ ରଖିଥିଲେ। ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ମଇଦଲପୁର ପୁଲିସ ପହଞ୍ଚି ରାଧେକୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ୍ ସାହାଯ୍ୟରେ ପ୍ରଥମେ ପାପଡାହାଣ୍ଡି ଓ ପରବର୍ତ୍ତୀ ସମୟରେ ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ରାଧେର ଅବସ୍ଥା ଗୁରୁତର ଥିବାରୁ ରାଧେକୁ କୋରାପୁଟ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ଘଟଣା ନେଇ ମୈଦଲପୁର ଥାନା ରେ ମୃତ ବୃଦ୍ଧା ଜନାଏର ପୁଅ ସିମାଞ୍ଚଳ ସାନ୍ତା ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଲିଖିତ ଅଭିଯୋଗକୁ ଆଧାର କରି ମଇଦଲପୁର ଥାନାରେ କେସ ନଂ ୧୫୪/୨୩ ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ବିପିନ କୁମାର କୁଲଦୀପ, ପାପଡାହାଣ୍ଡି ଏସଆଇ ଶିବଜୀ ପଣ୍ଡା, ଥାନା ଏଏସଆଇ କମଳଲୋଚନ ନାୟକ, ଲୋକେଶ ଭୋଇ ଏବଂ ଏକ ସାଇଣ୍ଟିଫିକ୍ ଟିମ୍ ପ୍ରମୁଖ ପହଞ୍ଚି ତତନ୍ତ କରିବା ସହ ଶିଶୁ ପୁତ୍ର ଓ ବୃଦ୍ଧାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏ ନେଇ ପାପଡାହାଣ୍ଡି ଏସଡିପିଓ ସୂଚନା ଦେଇ କହିଛନ୍ତି ଅଭିଯୁକ୍ତ ମଦ୍ୟପାନ କରି ତାର ମାନସିକ ସ୍ଥିତି ଠିକ ନଥିଲା । ଘରୋଇ କଳିକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତଦନ୍ତ ଚାଲୁ ରହିଛି ତଦନ୍ତ ସରିବା ପରେ ଘଟଣା ସଂକ୍ରାନ୍ତରେ ସବିଶେଷ ତଥ୍ୟ ମିଳିବ ବୋଲି କହିଛନ୍ତି।