ଶିଶୁ ପୁତ୍ରକୁ ନେଇ ବାପା ଫେରାର ଘଟଣା: ୨୦ ଦିନର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଥିଲା ବାପା

ନବରଙ୍ଗପୁର/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଂଚଳରେଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କରିବା ବାପା ନିଜର ୨୦ ଦିନର ନିଷ୍ପାପ ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିଥିବାର ଜଣାପଡିଛି। ପ୍ରକାଶ ଥାଉକି ଗତ ୩୦ ତାରିଖରେ ଝରିଗାଁ ଥାନାରେ ଜଣେ ମହିଳା ଏତଲା ଦେଇଥିଲେ ଯେ ତାଙ୍କ କୋଳରୁ ୨୦ ଦିନର ଶିଶୁ ପୁତ୍ରକୁ ଛଡାଇ ନେଇ ବାପା ଫେରାର ହୋଇଛି। ପୁଲିସ ଫେରାର ଅଭିଯୁକ୍ତକୁ ଖୋଜାଖୋଜି କରି ଅଭିଯୁକ୍ତ ବାପାକୁ କାବୁ କରିବା ପରେ ଖୋଦ ବାପା ନିଜର ଶିଶୁ ପୁତ୍ରକୁ ମାରିଥିବା ସ୍ୱୀକାର କରିଥିବା ଜାଣିବାକୁ ପାଇଛି।

ପୁଲିସ ସୂଚନା ଅନୁଯାୟୀ ଚକଲାପଦର ପଞ୍ଚାୟତର ଅଂଚଳର ଜଣେ ଯୁବତୀଙ୍କୁ ଗାଇବନ୍ଧା ଗ୍ରାମର ବାସୁଦେବ ଜାନୀ(୩୫) ଭଲ ପାଇ ଅନୈତିକ ସମ୍ପର୍କ ରଖିବା ପରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଶିଶୁ ଗର୍ଭରେ ରହିବା ପରେ ଯୁବତୀଙ୍କ ଗାଁ ଲୋକେ ଗ୍ରାମରେ ବୈଠକ କରି ଯୁବତୀଙ୍କୁ ନେଇ ବାସୁଦେବର ଘରେ ନେଇ ଛାଡି ଆସିଥିଲେ।

ବାସୁଦେବ ଗାଁ ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିଲା। ସେହି ଦିନ ଠାରୁ ଉଭୟେ ବାସୁଦେବର ଘରେ ରହୁଥିଲେ। ବାସୁଦେବ ପୂର୍ବରୁ ବିବାହିତ ଏବଂ ଗୋଟିଏ ୩ ବର୍ଷର ଏକ କନ୍ୟା ସନ୍ତାନ ରହିଛି। ଗତ ୧୦ ତାରିଖ ଦିନ ଦ୍ୱିତିୟ ସ୍ତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଗତ ୨୯ ତାରିଖ ଦିନ ରାତିରେ ମହିଳା ଜଣକ ନିଜ ଶିଶୁ ପୁତ୍ରକୁ ଧରି ଶୋଇଥିବା ବେଳେ ବାସୁଦେବ ମା କୋଳରୁ ଶିଶୁ ପୁତ୍ରକୁ ଛଡାଇ ନେଇ କେଉଁ ଆଡେ ଚାଲିଯାଇଥିଲା। ସେ ରାତିରେ ଘରକୁ ନଫେରିବାରୁ ମହିଳା ଖୋଜାଖୋଜି କରିବା ପରେ ପୁଅକୁ ନପାଇ ବାପା ଘରକୁ ଚାଲି ଆସିଥିଲା।

ପରେ ବାପା ଘର ଲୋକ ସହାୟତରେ ଗତ ୩୦ ତାରିଖ ରେ ଥାନାରେ ଏତଲା ଦେଇଥିଲେ। ଝରିଗାଁ ଥାନାରେ ଏ ନେଇ କେସ ନଂ ୧୧୫/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ଥାନା ଅଧିକାରୀ ଉମେଶ କୁମାର ସାହୁ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚାଉ କରିଥିଲେ। ଶେଷରେ ଗତକାଲି ରାତିରେ ବାସୁବେଦର ନିଜ ଘରେ ହିଁ ରହିଥିବାର ସନ୍ଧାନ ପାଇ ପୁଲିସ ବାସୁଦେବର ଘରେ ଚାଉ କରି ବାସୁଦେବକୁ କାବୁ କରି ଥାନାକୁ ଆଣିଥିଲେ। ପ୍ରଥମେ ବାସୁଦେବ ଶିଶୁ ବିଷୟରେ କିଛି ଜାଣି ନାହିଁ ବୋଲି ସଫେଇ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ସବୁକିଛି ଦୋଷ ସ୍ୱୀକାର କରିଥିଲା।

ଶିଶୁକୁ ପ୍ରଥମେ ତଟିଚିପି ହତ୍ୟା କରିବା ପରେ ଏକ ୨ କେଜି ଓଜନ ବିଶିଷ୍ଟ ଏକ ପଥରରେ ବାନ୍ଧି ୨୯ ତାରିଖ ରାତିରେ ହିଁ ଗାଁ ଠାରୁ ୧ କିମି ଦୂର ଶାଗଜବା ନାଳରେ ଫପାଡିଦେଇଥିବା କଥାକୁ ସ୍ୱୀକାର କରିଥିଲା। ଆଜି ଥାନା ଅଧିକାରୀ ଉମେଶ କୁମାର ସାହୁ , ମାଜିଷ୍ଟେଟ ଦାୟିତ୍ୱରେ ଚିନ୍ମୟ କୁମାର ସାଗର, ଏଏସଆଇ ଏମ.ସିଏଚ୍‌.ଦେହୁରୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଶିଶୁଟିକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ।

ଏହି ଘଟଣାକୁ ନେଇ ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ ଅଭିଯୁକ୍ତ ବାସୁଦେବ ପୂର୍ବରୁ ବିବାହିତ। ତାର ଏକ ୩ ବର୍ଷର ଝିଅଟିଏ ରହିଛି। ତେବେ ଜଣେ ଯୁବତୀଙ୍କ ସହିତ ପ୍ରଥମେ ଅନୈତିକ ସମ୍ପର୍କ ରଖିବା ଓ ପରେ ଏକ ଶୁଶୁ ପୁତ୍ରକୁ ଜନ୍ମ ଦେବା ପରେ ବିବାହ କରିବା ପାଇଁ ବାଧ୍ୟ ହୋଇଥିଲା। ଶିଶୁର ଉପରେ ରାଗ ରଖି ଶିଶୁ ପୁତ୍ରକୁ ହତ୍ୟା କରିଥିବାର ସ୍ୱୀକାର କରିଛି। ପୁଲିସ ବାସୁଦେବକୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର

Comments are closed.