ଖମାର: ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡ଼ା ଗାଁ ବେଲଗୁଡ଼ାସାହିରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବାପାର ଟାଙ୍ଗିଆ ଚୋଟରେ ପୁଅର ଜୀବନ ଚାଲିଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଅପରାହ୍ଣ ପ୍ରାୟ ୪ଟାବେଳେ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମୁଣ୍ଡୁରୀବେଡ଼ା ବେଲଗୁଡ଼ାସାହିର ପାଦୁକ ସାହୁ(୮୦) ଓ ତାଙ୍କ ପୁଅ ଈଶ୍ବର ସାହୁ(୫୫)ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେତେବେଳେ ଈଶ୍ବର ଚା‌ଷକାମରୁ ‌ଫେରିଥିଲେ। କଳହ ପରେ ସେ ଘରେ ଶୋଇଥିଲେ। ବାପା ପାଦୁକ ଏତେ ଅଧିକ ରାଗିଯାଇଥିଲେ ଯେ ଈଶ୍ବର ‌ଶୋଇଥିବା ଘରେ ପହଞ୍ଚି ଏକ ଟାଙ୍ଗିଆରେ ତାଙ୍କ ବେକକୁ ୩ ଚୋଟ ପକାଇଥିଲେ। ଫଳରେ ଈଶ୍ବରଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା। ପରିବାର ସଦସ୍ୟ ତାଙ୍କୁ ଆମ୍ବୁଲାନ୍‌ସରେ ଖମାର ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ଥାନାଧିକାରୀ ପ୍ରଶାନ୍ତ ପଢ଼ିହାରୀ କହିଛନ୍ତି।

Advertisment