ଜହ୍ନlପଙ୍କ: ଆମ ସମାଜରେ ଥିବା ପରମ୍ପରା ଅନୁସାରେ ପିତା ମାତାଙ୍କ ମୃତ୍ୟୁ ସଂସ୍କାରରେ କେବଳ ପୁଅମାନଙ୍କ ଅଧିକାର ରହିଥିବା ପ୍ରାଚୀନ କାଳରୁ ଚଳି ଆସିଛି l ଶବ ବୋହିବା ଠାରୁ ଆରମ୍ଭ କରି ମୁଖାଗ୍ନି ଦେବା ଓ ଶୁଦ୍ଧ କ୍ରିୟା କେବଳ ପୁଅ ହିଁ କରିଥାଏ | ବର୍ତ୍ତମାନର ଯୁଗରେ ଝିଅମାନେ ମଧ୍ୟ ଏ ସବୁ କାମ କରି ଆଦର୍ଶ ସୃଷ୍ଟି କରିବା ଦେଖିବାକୁ ମିଳୁଛି l
ଶୁକ୍ରବାର ସେଭଳି ଏକ ଘଟଣା ବୌଦ୍ଧ ବ୍ଲକ ତେଲିବନ୍ଧ ପଞ୍ଚାୟତ ସଦର ମହକୁମା ତେଲିବନ୍ଧ ଗ୍ରାମରେ ଦେଖିବାକୁ ମିଳିଥିଲା l ଗ୍ରାମରେ ଆସି ଗୋଟିଏ ଛୋଟ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ପଞ୍ଚାନନ ଭଞ୍ଜ (୬୫) ଙ୍କ ଗୁରୁବାର ରାତିରେ ମୃତ୍ୟୁ ହୋଇଥିଲା l ତେଲିବନ୍ଧ ଗ୍ରାମରେ ତାଙ୍କର ଭାଇ ବର୍ଗ ଓ ବନ୍ଧୁ ପରିଜନ ନଥିବାରୁ ଶବ ମଶାଣିକୁ ନେବା ଚିନ୍ତାର ବିଷୟ ହୋଇଥିଲା |
ଖବର୍ ପାଇ ବୌଦ୍ଧ ସଦର ବୁଟୁପାଲିରେ ଥିବା ଗଙ୍ଗାଧର ମେହେର ସ୍ଵେଚ୍ଛାସେବୀ ସଂଗଠନର ସଂଯୋଜକ ରାମଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ମଳୟ ବାରିକ, ରାଜୁ ମେହେର, ସୁମନ୍ତ ମେହେର, ବିକାଶ ମେହେର, ଇନ୍ଦ୍ରମଣି ମେହେର ପ୍ରମୁଖ ସ୍ବେଚ୍ଛାସେବୀ ଯୁବକମାନେ ଶବ ସଂସ୍କାର ପାଇଁ ତାଙ୍କ ଘରେ ପହଞ୍ଚି ଥିଲେ l
ଉକ୍ତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ତେଲିବନ୍ଧ ଗ୍ରାମର ଶ୍ରୀନିବାସ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ସୁରେଶ ନାଏକ, ସୁରେନ୍ଦ୍ର ଭୋଇ, ଓ ମୁଣ୍ଡାପଡା ସମିତି ସଭ୍ୟ ସଞ୍ଜୟ ପ୍ରଧାନ ସହଯୋଗ କରୁଥିଲେ l ମୃତ ପଞ୍ଚାନନ ଭଞ୍ଜଙ୍କ ପରିବାରରେ ଦୁଇ ଝିଅ ଓ ପତ୍ନୀ l ଶବ ଦାହ ବେଳେ କିଏ ମୁଖାଗ୍ନି ଦେବ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିବା ବେଳେ ବାପାଙ୍କ ମୁହଁରେ ମୁଖାଗ୍ନି ଦେବାକୁ ସାନ ଝିଅ ରାଧା ଆଗେଇ ଆସିଥିଲେ l ତେଲିବନ୍ଧ ଗ୍ରାମ ଶ୍ମଶାନକୁ ଯାଇ ପିତାଙ୍କ ମୁହଁରେ ମୁଖାଗ୍ନି ଦେଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ | ଚିରା ଚରିତ ପରମ୍ପରାକୁ ଭଙ୍ଗ କରି ଝିଅ ରାଧା ପିତାଙ୍କୁ ମୁଖାଗ୍ନି ଦେଇ ନୂତନ ଉଦାହରଣ ସୃଷ୍ଟି କରି ଥିବାରୁ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l